ବର୍ଜ୍ୟବସ୍ତୁରୁ ଅଟୋ‌ମେଟିକ୍‌ ହ୍ୟାଣ୍ଡ ସାନିଟାଇଜର୍‌ ମେସିନ୍‌

ଭୁବନେଶ୍ବର: ବର୍ଜ୍ୟବସ୍ତୁରେ ବି ଝଲସିପାରେ ସୃଜନଶୀଳତା। ଅଦରକାରୀ ଅବ୍ୟବହୃତ ସାମଗ୍ରୀ ବି ହୋଇପାରେ ସୁନ୍ଦର ଓ ବ୍ୟବହାର ଉପଯୋଗୀ। ଲକ୍‌ଡାଉନ୍‌ ଏବେ ସମସ୍ତଙ୍କୁ ଗୃହବନ୍ଦୀ କରିଥିବା ବେ‌ଳେ ଏହା ଅନେକଙ୍କ ସୃଜନଶୀଳତାକୁ ଇନ୍ଧନ ଯୋଗାଇଛି। ପୋଖରୀପୁଟ୍ ଅଞ୍ଚଳରେ ଶେଖ୍ ଫୟାଜ୍‌ଙ୍କ ଏଭଳି ସୃଜନଶୀଳତା ଏବେ ବର୍ଜ୍ୟବସ୍ତୁରେ ଝଲସୁଛି। ବିଭିନ୍ନ ପ୍ଲାଷ୍ଟିକ୍ ବୋତଲ, ଡବା, ଷ୍ଟ୍ର, କୋଲ୍ଡଡ୍ରିଙ୍କ ବୋତଲରୁ ବାହାରୁଥିବା ଆଲୁମିନିୟମ୍‌ ହୋଲ୍‌ଡର୍‌ ଓ କ୍ୟାପ୍‌, ଭେସ୍‌ଲିନ୍‌, ଅମୂଲ ଡବା, ଘରସଜା ସାମଗ୍ରୀ, ଖେଳନା, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଆଦିରୁ ଫୟାଜ ତିଆରି କରିଛନ୍ତି, ଚାର୍ଜ ହୋଇପାରୁଥିବା ତଥା ଅନ୍ୟତ୍ର ନିଆଯାଇପାରୁଥିବା ଫ୍ୟା‌ନ୍‌, ପ୍ଲାଷ୍ଟିକ ଭାକ୍ୟୁମ୍‌ କ୍ଲିନର୍‌, ସେନ୍‌ସର ଅଟୋମ୍ୟାଟିକ୍‌ ହ୍ୟାଣ୍ଡ ସାନିଟାଇଜର, ଏମରଜେନ୍ସି ଲାଇଟ୍‌, ହେୟାର ଡାୟର୍‌ ଓ ବାଇକ୍‌ ମଡେଲ ଇତ୍ୟାଦି।

ଭୁବନେଶ୍ବର ସରକାରୀ ଆଇଟିଆଇର ପ୍ରଥମ ବର୍ଷର ଇଲେକ୍‌ଟ୍ରୋନିକ୍ସ ଛାତ୍ର ଫୟାଜ୍‌ ପିଲାଟି ଦିନୁ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଉପରେ ବେଶ୍‌ ଆଗ୍ରହୀ। ଛାତ୍ର ହିସାବରେ ‌ଶ୍ରେଣୀ କକ୍ଷରେ ଯାହା ଶିଖୁଛନ୍ତି, ତାହାକୁ ସୃଜନଶୀଳତାରେ ଉତାରି ନିଆରା ସାମଗ୍ରୀମାନ ତିଆରି କରିଛନ୍ତି। ଏବେ କରୋନା ସମୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ସାନିଟାଇଜର୍‌ ହୋଇଥିବା ବେଳେ ସେ ଅଟୋମେଟିକ୍‌ ହ୍ୟାଣ୍ଡ ସାନିଟାଇଜର୍‌ ମେସିନ୍‌ ପ୍ରସ୍ତୁତ କରିଛନ୍ତି। ଏହି ମେସିନ୍ କେବଳ ହାତ ନୁହେଁ, ସମ୍ପୂର୍ଣ୍ଣ ଶରୀରକୁ ମଧ୍ୟ ସାନିଟାଇଜ୍ କରିପାରିବ। ଏହି ସାନିଟାଇଜର୍ ବକ୍ସକୁ ୫ଭୋଲ୍ଟ୍ ରିଲେ ମୋଡ୍ୟୁଲ୍‌ରେ ବ୍ୟବହାର କରାଯାଇଛି। ଏହାସହ ପାୱାର ସପ୍ଲାୟ ମୋଟର ମଧ୍ୟ ସଂଯୋଗ କରାଯାଇଛି। ଏହାକୁ ମୋବାଇଲ୍‌ ଚାର୍ଜରରେ ଚାର୍ଜ କରିହେବ। ଥରେ ଚାର୍ଜ କଲେ, ୪ରୁ ୫ ଘଣ୍ଟା ବ୍ୟବହାର କରି ହେବ। ଏଥିସହ ଇଲେକ୍ଟ୍ରିସିଟି ନଥିବା ବେଳେ ମଧ୍ୟ ଏହାକୁ ପାୱାର ବ୍ୟାଙ୍କ୍‌ରେ ଚାର୍ଜ କରିହେବ। ଏଥିରେ ପ୍ଲାଷ୍ଟିକ୍ ଟ୍ୟାପ୍ ସହିତ ସେନ୍‌ସର ଲାଗିଛି। ଘରେ ପଡ଼ି ରହିଥିବା ଥର୍ମୋଫ୍ଲାସ୍‌, ବଡ଼ ବଡ଼ ଅମୂଲ ଡବା ଓ ପ୍ଲାଷ୍ଟିକ୍ ଡବାରୁ ସେ ଏହାକୁ ପ୍ରସ୍ତୁତ କରିଛନ୍ତି। ଗୋଟିଏ ଦିନରେ ସେ ଏଭଳି ଗୋଟିଏ ସାନିଟାଇଜର୍ ମେସିନ୍ ତିଆରି କରିପାରୁଛନ୍ତି।

ଫୟାଜ୍‌ କହିଛନ୍ତି, ମାନୁଆଲ୍‌ ସାନିଟାଇଜର୍‌କୁ ବାରମ୍ବାର ସମସ୍ତେ ସ୍ପର୍ଶ କରିବାକୁ ପଡ଼ୁଛି। କିନ୍ତୁ ମୁଁ ତିଆରି କରିଥିବା ସାନିଟାଇଜର୍‌ରେ ଲୋକମାନେ ହାତ ଦେଖାଉ ଦେଖାଉ ଆପେ ଆପେ ସାନିଟାଇଜର୍‌ ସିଞ୍ଚନ ହୋଇଯିବ। ଫଳରେ ବାରମ୍ବାର ଗୋଟିଏ ଜିନିଷକୁ ସ୍ପର୍ଶ କରି କରୋନା‌ ବ୍ୟାପିବାର ଭୟ ରହିବ ନାହିଁ। ଏହି ଅଟୋମେଟିକ୍‌ ହ୍ୟାଣ୍ଡ ସାନିଟାଇଜର୍‌ ତିଆରି କରିବାକୁ ମତେ ୫ଶହ ଖର୍ଚ୍ଚ ହେଉଥିବା ବେଳେ ୮ଶହ ଟଙ୍କାରେ ବିକ୍ରି କରୁଛି। ବଜାରରେ ମିଳୁଥିବା ଏଭଳି ସାନିଟାଇଜର୍‌ର ମୂଲ୍ୟ ୭ରୁ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଆସୁଛି। ତେବେ ଏକ ମାସ ମଧ୍ୟରେ ତାଙ୍କର ୪୦ଟି ସାନିଟାଇଜର୍‌ ବିକ୍ରି ହୋଇଗଲାଣି ବୋଲି ସେ କହିଛନ୍ତି। ଫୟାଜ୍‌ଙ୍କ ବୟସ ମାତ୍ର ୨୦ ବର୍ଷ। ତାଙ୍କ ବାପା ଗାଡ଼ି ଚଲାଇ ପେଟ ପୋଷନ୍ତି। କିନ୍ତୁ ଶେଖ୍‌ଙ୍କ ପାଠପଢ଼ାରେ ସେ କେବେ ହେଲେ ବାଧା ଦେଇନାହାନ୍ତି। ଶେଖ୍ ବି ନିଜ ସ୍ବପ୍ନକୁ ନେଇ ବେଶ୍‌ ଆଗରେ। ନିଜ ଇଚ୍ଛାଶକ୍ତି ସହ ସୃଜନଶୀଳତାକୁ ନେଇ ସେ ତିଆରି କରିଥିବା ସେନ୍‌ସର ସାନିଟାଇଜିଂ ମେସିନ୍ ନିହାତି ଭାବେ ବିରଳ।

ସମ୍ବନ୍ଧିତ ଖବର