ଏଣିକି ଆଉ ନଷ୍ଟ ହେବନି ବଳକା ଖାଦ୍ୟ, ଏନ୍‌ଜିଓ ଜରିଆରେ ଭୋକିଲା ଲୋକଙ୍କ ପାଖରେ ପହଞ୍ଚିବ

ହଙ୍ଗର ପଏଣ୍ଟରେ ମିଳୁଛି ମାଗଣା ମଧ୍ୟାହ୍ନ ଓ ରାତ୍ରଭୋଜନ
ରାଜଧାନୀ ଓ ରାଉରକେଲାରେ ଦୁଇ ଏନ୍‌ଜିଓ ଅନୁବନ୍ଧିତ
ସବୁ ଜିଲ୍ଲା ପାଇଁ ଖୋଜା ଚାଲିଛି ଏନ୍‌ଜିଓ
ନିୟମିତ ଯାଞ୍ଚ ହେବ ଖାଦ୍ୟର ମାନ

ଭୁବନେଶ୍ବର : ଖାଦ୍ୟ ନଷ୍ଟ ହେବନି ଓ ତାହା ସାଙ୍ଗକୁ କୁପୋଷଣକୁ ରୋକିବା ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ପକ୍ଷରୁ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ବିବାହ ଭୋଜି ହେଉ କିମ୍ବା ହୋଟେଲ ଓ ସ୍କୁଲ/କଲେଜ ମେସ୍‌ରେ ବଳକା ହେଉଥିବା ଖାଦ୍ୟକୁ ଏନ୍‌ଜିଓ ଜରିଆରେ ଭୋକିଲା ଲୋକଙ୍କ ପାଖରେ ପହଞ୍ଚାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ରାଜଧାନୀ ଓ ରାଉରକେଲାର ଦୁଇଟି ଏନ୍‌ଜିଓ ଏଥିପାଇଁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇ ସହିତ ଅନୁବନ୍ଧିତ ହୋଇଛନ୍ତି। ଆଗାମୀ ଦିନରେ ସବୁ ଜିଲ୍ଲାରେ ଏଭଳି ଏନ୍‌ଜିଓମାନଙ୍କୁ ଅନୁବନ୍ଧିତ କରିବା ପାଇଁ ଯୋଜନା ହୋଇଥିବା ସୂଚନା ମିଳିଛି।

ବିବାହ ଭୋଜି ହେଉ କିମ୍ବା ହୋଟେଲରେ ଅଧିକାଂଶ ସମୟରେ ଖାଦ୍ୟ ନଷ୍ଟ ହେଉଛି। ଏସବୁ ଖାଦ୍ୟ ଭୋକିଲା ଲୋକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ତାହା ନଷ୍ଟ ହୋଇଯାଉଛି। ତେଣୁ ଏହି ବଳକା ଖାଦ୍ୟ କିଭଳି ଖାଦ୍ୟ ଆବଶ୍ୟକ ଥିବା ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେଥିପାଇଁ ଏଫ୍‌ଏସ୍‌ଏସ୍‌ଏଆଇ ଉଦ୍ୟମ କରିଛି। ଇଟ୍‌ରାଇଟ୍‌ ଇଣ୍ଡିଆ ଅଧୀନରେ ଆରମ୍ଭ ହୋଇଛି ‘ସେଫ୍‌ ଫୁଡ୍‌, ସେୟାର ଫୁଡ୍ ଓ ସେୟାର ଜଏ’ କାର୍ଯ୍ୟକ୍ରମ। ଏଥିରେ କ୍ୟାଟେରିଂ ସଂସ୍ଥା, ହୋଟେଲ, ସ୍କୁଲ/କଲେଜ ମେସ୍‌ ସହିତ ଖାଦ୍ୟ ସୁରକ୍ଷା ପକ୍ଷରୁ ସଂପୃକ୍ତ ଏନ୍‌ଜିଓକୁ ସହାୟତା ଦିଆଯାଉଛି। ରାଜଧାନୀରେ ଫିଡିଂ ଇଣ୍ଡିଆ ଓ ରାଉରକେଲାରେ ଡ୍ରିମ୍ ଟିମ୍ ଫାଉଣ୍ଡେସନ୍‌ର ‘ପୂର୍ଣ୍ଣାଞ୍ଜଳି’ ପକ୍ଷରୁ ମାଗଣରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ଗତ ୧ମାସ ହେବ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ରାଜ୍ୟ ଖାଦ୍ୟ ସୁରକ୍ଷାର ଜନୈକ ଅଧିକାରୀଙ୍କ ସୂଚନା ମୁତାବକ, ଏଥିପାଇଁ ସଂପୃକ୍ତ ଏନ୍‌ଜିଓକୁ ଏଫ୍‌ଏସ୍‌ଏସ୍‌ଏଆଇ ପୋର୍ଟାଲରେ ପଞ୍ଜୀକୃତ ହେବାକୁ ପଡ଼ିବ। ପରେ ସଂପୃକ୍ତ ସଂସ୍ଥା ସହିତ ଖାଦ୍ୟ ସୁରକ୍ଷା ପକ୍ଷରୁ ଏକ ବୁଝାମଣାପତ୍ର (ଏମ୍‌ଏଓୟୁ) ସ୍ବାକ୍ଷରିତ କରାଯିବ। ଏହାସହ ଏନ୍‌ଜିଓ ସଂପୃକ୍ତ ଜିଲ୍ଲାର କେଉଁ କେଉଁ ସ୍ଥାନ କ୍ଷୁଧା ସୂଚୀ ବା ହଙ୍ଗର ପଏଣ୍ଟ୍ ରହିଛି ତାହାର ଚିହ୍ନଟ କରିବେ। ଏଥିପାଇଁ ସଂପୃକ୍ତ ଏନ୍‌ଜିଓ ନ୍ୟୁଟ୍ରିସନ୍ ବୋର୍ଡର ମଧ୍ୟ ସହାୟତା ନେଇପାରିବେ। ପରେ ସଂପୃକ୍ତ ଏନ୍‌ଜିଓକୁ ଖାଦ୍ୟ ସୁରକ୍ଷା ପକ୍ଷରୁ କ୍ୟାଟେରିଂ, ହୋଟେଲ୍‌ କିମ୍ବା ସ୍କୁଲ/କଲେଜ ସହିତ ଯୋଗାଯୋଗ କରାଇ ଦିଆଯିବ। ଯାହାଫଳରେ ବଳକା ଖାଦ୍ୟ ନେବା ପାଇଁ ସେମାନେ ସଂପୃକ୍ତ ଏନ୍‌ଜିଓକୁ ଯୋଗାଯୋଗ କରିବେ। ଖାଦ୍ୟ ନେବା ପରେ ଏନ୍‌ଜିଓ ଏହାକୁ ନିଜର ଡିପ୍‌ଫ୍ରିଜରରେ ରଖିବେ। କେବଳ ମଧ୍ୟାହ୍ନ ଓ ରାତ୍ରଭୋଜନ ସମୟରେ ଚିହ୍ନଟ ହୋଇଥିବା ହଙ୍ଗର ପଏଣ୍ଟରେ ଏହି ଖାଦ୍ୟ ବଣ୍ଟାଯିବ। ଦିନରେ ଅତିକମ୍‌ରେ ୧୫/୨୦ଟି ମିଲ୍‌ ସେମାନେ ପ୍ରଦାନ କରିବା ପାଇଁ ନିର୍ଦେଶ ରହିଛି।

ଲୋକମାନଙ୍କୁ ଦିଆଯାଉଥିବା ଖାଦ୍ୟ ସୁରକ୍ଷିତ କି ନୁହେଁ ତାହାର ମଧ୍ୟ ଖାଦ୍ୟ ସୁରକ୍ଷା ପକ୍ଷରୁ ଯାଞ୍ଚ କରାଯିବ। ଖାଦ୍ୟ ସୁରକ୍ଷା ଅଧିକାରୀ ନିୟମିତ ବ୍ୟବଧାନରେ ହଙ୍ଗର ପଏଣ୍ଟରେ ପ୍ରକୃତରେ ଖାଦ୍ୟ ଦିଆଯାଉଛି କି ନାହିଁ କିମ୍ବା ଖାଦ୍ୟ ଖାଇବା ଉପଯୋଗୀ କି ନୁହେଁ ତାହାର ମଧ୍ୟ ଯାଞ୍ଚ କରାଯିବା ପାଇଁ ନିର୍ଦେଶ ରହିଛି। ନିକଟରେ ରାଜଧାନୀର ହୋଟେଲ ସଂଘ, କ୍ୟାଟେରିଂ ସଂଘ ଓ ସ୍କୁଲ/କଲେଜର ଅଧିକାରୀଙ୍କୁ ଡାକି ଏ ସଂପର୍କରେ ଏକ ବୈଠକ କରାଯାଇଥିଲା। ରାଜଧାନୀର ୫/୬ ହୋଟେଲ, ୪ କ୍ୟାଟେରିଂ ସଂସ୍ଥା ଏଥିପାଇଁ ସହମତି ପ୍ରକାଶ କରିଛନ୍ତି। ଅପରପକ୍ଷରେ ରାଜଧାନୀରେ ଆହୁରି ୨ଟି ଏନ୍‌ଜିଓ ଏଭଳି କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଖୁବଶୀଘ୍ର ସେମାନଙ୍କ ସହିତ ଏମ୍‌ଓୟୁ କରାଯିବ। କେବଳ ଏହି ଯୋଜନା କେବଳ ବଡ଼ ସହରରେ ଅଟକି ନ ଯାଇ ସବୁ ଜିଲ୍ଲାରେ କିଭଳି କାର୍ଯ୍ୟକାରୀ ହେବ ସେଥିପାଇଁ ଏନ୍‌ଜିଓମାନଙ୍କୁ ଚିହ୍ନଟ ଚାଲିଛି। ଯାହାଫଳରେ ଖାଦ୍ୟ ନଷ୍ଟ ‌ନ ହେବା ସହିତ କୁପୋଷଣରୁ ମଧ୍ୟ ରକ୍ଷା ମିଳିପାରିବ।

ସମ୍ବନ୍ଧିତ ଖବର