ଭୁବନେଶ୍ବର : ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ବିଏମ୍‌ସିର ମୁଣ୍ଡବିନ୍ଧା ବଢ଼ିବାରେ ଲାଗିଛି। ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ୩୧ଟି ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ଆବଶ୍ୟକତା ପୂରଣ କରିପାରୁନଥିବା ବେଳେ ଭୁଆସୁଣି ଡମ୍ପିଂୟାର୍ଡରେ ବାୟୋମାଇନିଂ ପ୍ରକଳ୍ପ ଆରମ୍ଭ ହୋଇପାରୁନଥିବାରୁ ଚିନ୍ତା ଦ୍ବିଗୁଣିତ ହୋଇଛି। ଏହି ସବୁ ବର୍ଜ୍ୟବସ୍ତୁର କିଭଳି ସୁପରିଚାଳନା ହୋଇପାରିବ, ସେନେଇ ବିଏମ୍‌ସି ମାନସମନ୍ଥନ ଚଳାଇଛି। ଏଥିରେ ଜାତୀୟସ୍ତରର ବିଶେଷଜ୍ଞଙ୍କ ପରାମର୍ଶକୁ ନେଇ ନୂଆ ରଣନୀତି ପ୍ରସ୍ତୁତ କରୁଛି ବିଏମ୍‌ସି। ମେୟର ସୁଲୋଚନା ଦାସଙ୍କ ପରାମର୍ଶ ଆଧାରରେ ଜାତୀୟସ୍ତରର ବିଶେଷଜ୍ଞ ମଦୁରାଇ ଆଞ୍ଚଳିକ ନିର୍ବାହୀଯନ୍ତ୍ରୀ ଭେଲାନ୍‌ ମୃଗସେନଙ୍କ ସହ ଆଲୋଚନା ହୋଇଛି। ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ଏମ୍‌ସିସି ବାବଦରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।

Advertisment

publive-image

ଶ୍ରୀ ମୃଗସେନ ୧୫ଟି ଏମ୍‌ସିସି ଓ ଏମ୍‌ଆରଏଫ୍‌ ସେଣ୍ଟର ପରିଦର୍ଶନ କରିବା ପରେ ଇଞ୍ଜିନିୟର୍ସ, ସାନିଟାରି ଇନ୍ସପେକ୍ଟର, ସାନିଟେସନ୍ ଏକ୍ସପର୍ଟ, ଏସ୍‌ବିଏ ସେଲ୍ ଏକ୍ସପର୍ଟଙ୍କୁ ନେଇ ଆଲୋଚନା କରିଥିଲେ। ବର୍ଜ୍ୟବସ୍ତୁ ସଂଗ୍ରହ ଓ ପ୍ରକ୍ରିୟାକରଣ ପାଇଁ ଭଲ ଭିତ୍ତିଭୂମି ଏବଂ ଯାନବାହନ ସହାୟତାକୁ ସେ ପ୍ରସଂଶା କରିଥିଲେ। ତେବେ ଏମ୍‌ସିସି ଥିବା ସ୍ଥାନରେ ପ୍ରବଳ ଦୁର୍ଗନ୍ଧ କିଭଳି କମିବ ସେ ନେଇ ପରାମର୍ଶ ଦେଇଥିଲେ। ନିୟମ ଅନୁସାରେ ୯୦ ଲିଟର ପାଣିରେ ୫ କେଜି ଗୁଡ଼ ଓ ୩ କେଜି ଦହି ମିଶାଇ ୭ ଦିନ ରଖିବା ପରେ ଆବର୍ଜନାରେ ମିଶା ଯିବା କଥା। ସେହି ନିୟମ ଅନୁସାରେ କରାଯାଉଛି। ହେଲେ ୭ ଦିନରେ ଏହି ମିଶ୍ରଣ ଆଲ୍‌କୋହଲ ଭଳି ଗନ୍ଧ ହେଉନାହିଁ। ଏଣୁ ଏହି ମିଶ୍ରଣକୁ ୮ ଦିନ କିମ୍ବା ୯ ଦିନ ରଖିବା ପରେ ଯଦି ଆଲ୍‌କୋହଲ ଗନ୍ଧ ଆସୁଛି, ସେତେବେଳେ ଆବର୍ଜନା ସହ ମିଶାଇଲେ ଯାଇ ଦୁର୍ଗନ୍ଧ ହେବ ନାହିଁ ଓ ଭଲ କମ୍ପୋଷ୍ଟ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି। ଅନ୍ୟପ‌ଟେ ଆବର୍ଜନାକୁ ନିୟମିତ ଘାଣ୍ଟି ତଳଉପର କରିବାର ଅଛି। ପବନ ବାଜିବା ସହ ଖରା ବାଜିଲେ ତାହାକୁ ପରିଚାଳନା କରିବା ସହଜ ହେବ।

ଏମ୍‌ସିସିଗୁଡ଼ିକରେ ସାଧାରଣତଃ ୩ ଦିନରେ ଥରେ ଆବର୍ଜନାକୁ ଘଣ୍ଟା ଯାଉଛି। ଯାହା ଫଳରେ ପରିଚାଳନାରେ ସମସ୍ୟା ହେଉଛି। ଏଣୁ ଆବର୍ଜନାକୁ ପ୍ରତିଦିନ କିମ୍ବା ଅତି କମ୍‌ରେ ଦୁଇଦିନରେ ଥରେ ଘାଣ୍ଟିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଘରୁ ଘରୁ ଆସୁଥିବା ଆବର୍ଜନା ଉଚିତ୍ ଢଙ୍ଗରେ ପୃଥକ୍‌ ହେଉନାହିଁ। ଶୁଖିଲା ଓଦା ମିଶି ରହୁଛି। ଏଣୁ ପୃଥକୀକରଣ ନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରାଯିବ ବୋଲି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ କହିଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ କଲ୍ୟାଣ କୁମାର ରଥ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଡେପୁଟି କମିସନର୍ (ସାନିଟେସନ୍) ଶୁଭେନ୍ଦୁ କୁମାର ସାହୁ ଏମ୍‌ସିସି ଓ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ତଥ୍ୟ ଉପସ୍ଥାପନ କରିଥିଲେ।