ଛିଡ଼ୁନି ଅଳିଆ ଅଡ଼ୁଆ : ୧୫ରୁ ଅଳିଆ ଉଠିବା ନେଇ ଆଶଙ୍କା, ଏସ୍କାଲେସନ୍ ଫି’କୁ ନେଇ ଚାଲିଛି ଟଣାଓଟରା

ଭୁବନେଶ୍ବର : ରାଜଧାନୀର ପରିମଳ ବ୍ୟବସ୍ଥା ସଜାଡ଼ିବାକୁ ବିଏମ୍‌ସି ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିଚାଲିଛି। ହେଲେ ଯେଉଁଠି ସମସ୍ୟାର ମୂଳ ଅଛି ତାହାକୁ ସଜାଡ଼ିପାରୁନି। ଯେଉଁ ସଫେଇ କର୍ମଚାରୀମାନେ ରାତି ଅଧରୁ ଉଠି କାମ କରୁଛନ୍ତି ସେମାନଙ୍କ ମଜୁରି ନେଇ ଦୀର୍ଘ ବର୍ଷ ହେଲା ଟଣାଓଟରା ଚାଲିଥିଲେ ହେଁ ଏହାର ସମାଧାନ ହୋଇପାରୁନି। ଫଳରେ ଫେବ୍ରୁଆରି ୧୫ରୁ ପୁଣି ରାଜଧାନୀରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଧମକ ଦେ‌ଇଛନ୍ତି।

ପୂର୍ବରୁ ମଜୁରି ନ ବଢ଼ିଲେ ଜାନୁଆରି ୨୭ରୁ କାମ ବନ୍ଦ କରିବେ ବୋଲି ସଫେଇ କର୍ମଚାରୀମାନେ ଚେତାବନୀ ଦେଇଥିଲେ। ତିନି ସଫେଇ ସଂସ୍ଥା ସଫେଇ କର୍ମଚାରୀଙ୍କ ଠାରୁ‌ ଫେବ୍ରୁଆରି ୧୫ପର୍ଯ୍ୟନ୍ତ ମହଲତ ଆଣିଥିଲେ। ଆଉ ଦୀର୍ଘ ବର୍ଷ ହେଲା ବଢ଼ି ନ ଥିବା ଏସ୍କାଲେସନ୍ ଫି’ ତୁରନ୍ତ ବଢ଼ାଇବାକୁ ବିଏମ୍‌ସିକୁ ଚିଠି ଲେଖିଥିଲେ। ହେଲେ ଏ ପର୍ଯ୍ୟନ୍ତ ଏସ୍କାଲେସନ୍ ଫି’ ବିବାଦର ସମାଧାନ ହୋଇପାରିନଥିବାରୁ ଦିନକ ପରେ ରାଜଧାନୀର ସଫେଇ ଠପ୍ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି।

ସଫେଇ କର୍ମଚାରୀମାନେ ଦିନକୁ ୨୯୮ ଟଙ୍କା ହିସାବରେ ମଜୁରି ନମିଳିଲେ ସଫେଇ କରିବେନି ବୋଲି କହୁଛନ୍ତି। ଏପଟେ ସଫେଇ ସଂସ୍ଥା କହୁଛନ୍ତି ବିଏମ୍‌ସି ଆମର ଏସ୍କାଲେସନ୍ ଫି’ ବଢ଼ାଉନି। ଆମେ ସଫେଇ କର୍ମଚାରୀଙ୍କୁ ୨୭୦ ଟଙ୍କା (୨୨୪ଟଙ୍କା ନଗଦ ବାଦ୍ ଇପିଏଫ୍‌ ଓ ଇଏସ୍‌ଆଇକୁ ମିଶାଇ) ଦେଉଛୁ। ରାଜ୍ୟ ସରକାର ପ୍ରତିବର୍ଷ ଶ୍ରମିକଙ୍କ ମଜୁରି ବଢ଼ାଉଥିବାରୁ ସଫେଇ କର୍ମଚାରୀ ପ୍ରତିବର୍ଷ ମଜୁରି ବଢ଼ିବାକୁ ଦାବି କରୁଛନ୍ତି। ବିଏମ୍‌ସି ଆମକୁ ୧୫୦ ଟଙ୍କା ହିସାବରେ ମଜୁରି ଦେଉଥିବାବେଳେ ଆମେ ସଫେଇ କର୍ମଚାରୀଙ୍କୁ ୨୭୦ ଟଙ୍କା ଦେଉଛୁ। ଏମିତିରେ ଆ‌େମ ଜଣଙ୍କ ପିଛା ୧୨୦ ଟଙ୍କା ଅଧିକ ଦେଉଛୁ। ହେଲେ ବିଏମ୍‌ସି ଆମର ଏସ୍କାଲେସନ୍ ଫି ବଢ଼ାଉନଥିବାରୁ ଆମେ ଆଉ ମଜୁରି ବଢ଼ାଇପାରିବୁନି। ଏଥର ସଫେଇ ବନ୍ଦ ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ତା’ର ସମାଧାନ କରିବେ। ଆମେ କିଛି କରିପାରିବୁନି।

ସଫେଇ ସଂସ୍ଥାଙ୍କ ସୂଚନା ଅନୁଯାୟୀ, ୨୦୧୩ ମସିହାରେ ବିଏମ୍‌ସି ସହ ଚୁକ୍ତି ହେବା ସମୟରେ ଚୁକ୍ତିପତ୍ରରେ ଉଲ୍ଲେଖ ଥିଲା ଯେ, ଏସ୍କାଲେସନ୍ ଫି’ ଓ ଶ୍ରମିକଙ୍କ ମଜୁରି ଏକାସଙ୍ଗେ ବଢ଼ିବ। ହେଲେ ୭ବର୍ଷ ଭିତରେ ୫ଥରରୁ ଅଧିକ ଶ୍ରମିକଙ୍କ ମଜୁରି ବଢ଼ିଲାଣି, କିନ୍ତୁ ଏସ୍କାଲେସନ୍ ଫି’ ଥରଟେ ବଢ଼ିନି। ଏବେ ବିଏମ୍‌ସି କର୍ତ୍ତୃପକ୍ଷ ଏସ୍କାଲେସନ୍ ଫି’ ବଢ଼ାଉଥିଲେ ହେଁ ବହୁତ କମ୍‌ ବଢ଼ାଉଛନ୍ତି। ଯାହାକୁ ଗ୍ରହଣ କରିବା ସମ୍ଭବ ନୁହେଁ। ବିଏମ୍‌ସି କର୍ତ୍ତୃପକ୍ଷ ସବୁ ଜାଣିକି ବି ନଜାଣିଲା ଭଳି ହେଉଥିବାରୁ ବିବାଦର ସମାଧାନ ହୋଇପାରୁନି।

ସଫେଇ ସଂସ୍ଥାମାନେ କହିଛନ୍ତି ଯେ, ବିଏମ୍‌ସି ଏସ୍କାଲେସନ୍ ଫି’ ନିୟମ ଅନୁଯାୟୀ ଦେଉନି। ଏବେ ଗୋଟିଏ ଟନ୍ ଆବର୍ଜନା ଉଠାଇବା ପାଇଁ ୩୪୦୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଆମକୁ ବିଏମ୍‌ସି ୨୪୮୫ଟଙ୍କା ଦେଉଛି। ବହୁ ଦାବି କରିବା ପରେ ଏହାକୁ ୨୭୦୦ ଟଙ୍କାକୁ ବଢ଼ାଇବାକୁ ପ୍ରସ୍ତାବ ଦେଇଛି। ତାହା ପୁଣି ଏବେ ଠାରୁ ଲାଗୁ ହେବ। ଆମର ଗୋଟିଏ ଟନ୍ ଆବର୍ଜନା ଉଠାଇବାକୁ ୩୪୦୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଆମେ କିପରି ୨୭୦୦ ଟଙ୍କା ନେବୁ ଜାଣିପାରୁନୁ। କ୍ଷତି ସହିବାର ବି ଗୋଟିଏ ସୀମା ଅଛି। ବିଏମ୍‌ସି କର୍ତ୍ତୃପକ୍ଷ ଆବର୍ଜନା ଉଠାଇବାକୁ ଟଙ୍କା ଦେବେ‌ନି ଅଥଚ କେଉଁଠି ଅଳିଆ ଉଠିବାରେ କିଛି ସମସ୍ୟା ହେଲେ ଜରିମାନା ଆଦାୟ କରିବେ। ଆମେ ଚାହୁଁଛୁ ଆମକୁ ବିଏମ୍‌ସି ସହ ଚୁକ୍ତି ହେବା ଦିନଠାରୁ ହିସାବ କରି ପିଛିଲା ଭାବେ ଏସ୍କାଲେସନ୍ ଫି’ ଦିଆଯାଉ। ଆମର ପ୍ରାପ୍ୟ ଆମକୁ ମିଳୁ। ଏହାପରେ ଯଦି କିଛି ସମସ୍ୟା ରହୁଛି ତେବେ ଆମଠାରୁ ଜରିମାନା ଆଦାୟ କରାଯାଉ।

ବର୍ତ୍ତମାନ ଓଡ଼ିଶା ସମେତ ସାରା ଦେଶରେ ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯାଉଛି। କିନ୍ତୁ ଏସ୍କାଲେସନ୍ ସମସ୍ୟାକୁ ବର୍ଷ ବର୍ଷ ଧରି ସମାଧାନ କରା ନ ଯାଇ ପରିମଳ ବ୍ୟବସ୍ଥା ସହ ଖେଳାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ଏହି କାରଣ ପାଇଁ ସଫେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯାହାର ପରିଣତି ସ୍ବରୂପ ରାଜଧାନୀରେ ପରିମଳ ବ୍ୟବସ୍ଥା ଭୟଙ୍କର ଭାବେ ବିଗିଡ଼ିଛି ଓ ଜନ ଅସନ୍ତୋଷ ଦେଖାଦେଇଛି। ଅତୀତର ଅଭିଜ୍ଞତାରୁ ବିଏମ୍‌ସି କିଛି ଶିକ୍ଷା ପାଇନି। ସେହି ସମସ୍ୟାର ସମାଧାନ ହୋଇପାରି ନ ଥିବାରୁ ପୁଣି ଥରେ ପରିମଳ ବ୍ୟବସ୍ଥା ବିଗିଡ଼ିବାର ଆଶଙ୍କା ଦେଖାଦେଲାଣି। ତଥାପି ବିଏମ୍‌ସି ଖାଲି ଦିନ ଗଡ଼ାଇବା ସଚେତନ ନାଗରିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

ପ୍ରଶ୍ନ ଉଠୁଛି, ଯଦି ଘରୋଇ ସଂସ୍ଥା ସହ ଚୁକ୍ତି ସମୟରେ ଏସ୍କ‌ାଲେସନ୍ ଫି’ ବଢ଼ାଇବାକୁ ସର୍ତ୍ତ ରଖାଯାଇଥିଲା, ତେବେ ପରବର୍ତ୍ତୀ ସମୟରେ ଏହି ଫି ଦେବାରେ ଅସୁବିଧା କେଉଁଠି? ନିଜ ଚୁକ୍ତିକୁ ନିଜେ କିପରି ମାନୁନାହିଁ ବିଏମ୍‌ସି? ଯଦି ଏହି ସର୍ତ୍ତ ଭୁଲ୍‌ ବୋଲି ବର୍ତ୍ତମାନର ଅଧିକାରୀମାନେ ଭାବୁଛନ୍ତି, ତେବେ ଏଥି ପାଇଁ ଦାୟୀ କିଏ? ବର୍ଷ ବର୍ଷ ଧରି ଏହି ଗୋଟିଏ ସମସ୍ୟାର ସମାଧାନ ନ କରି ସଫେଇ କର୍ମଚାରୀଙ୍କ ପେଟକୁ ଲାତ ମାରି ବିଏମ୍‌ସି କି ବାର୍ତ୍ତା ଦେବାକୁ ଚେଷ୍ଟା କରୁଛି?

ସମ୍ବନ୍ଧିତ ଖବର