ରାସ୍ତାରେ ଭାସୁଛି ଆବର୍ଜନା ପାଣି, କରୋନା ଆଳରେ ସମସ୍ୟା ଶୁଣିବାକୁ ବିଏମ୍‌ସି ନାରାଜ

ଭୁବନେଶ୍ବର: ରାସ୍ତାରେ ଭାସୁଛି ମଇଳା, ଆବର୍ଜନା ପାଣି। ଘରର ବ୍ୟବହୃତ ଅପରିଷ୍କାର ଓ ପାଇଖାନା ପାଣି ଏତେ ମାତ୍ରାରେ ରାସ୍ତାରେ ଜମି ରହୁଛି ଯେ ଲୋକେ ଯିବା ଆସିବା କରିପାରୁନାହାନ୍ତି। ଦୁର୍ଗନ୍ଧରେ ଲୋକେ ଘରେ ମଧ୍ୟ ରହି ପାରୁନାହାନ୍ତି। ବର୍ଷା ହେଲେ ଏହି ଆବର୍ଜନା ପାଣି ଘର ଦୁଆର ମୁହଁରେ ଭାସୁଛି। ଏନେଇ ବିଏମ୍‌ସିକୁ ଅଭିଯୋଗ କଲେ କରୋନା ଆଳ ଦେଖାଇ କିଛି ହୋଇପାରିବ ନାହିଁ ବୋଲି ଉତ୍ତର ମିଳୁଛି। ଏଭଳି ଏକ ପୂତିଗନ୍ଧମୟ ପରିବେଶ ଦେଖିବାକୁ ମିଳୁଛି ୬୬ ନମ୍ବର ଵାର୍ଡ ଡୁମୁଡୁମା ହାଉସିଂବୋର୍ଡ କଲୋନିସ୍ଥିତ ଫେଜ୍-୩ ଅଞ୍ଚଳରେ। ସେଠାରେ କିଛି ମୁଷ୍ଟିମେୟ ଲୋକ ସରକାରୀ ଜମି ଓ ରାସ୍ତା ଜବରଦଖଲ କରି ବିଭିନ୍ନ ବ୍ୟବସାୟ ଓ ଘର କରିଛନ୍ତି। ଘରର ବ୍ୟବହୃତ ଅପରିଷ୍କାର, ଆବର୍ଜନା ପାଣି ଛାଡ଼ିବା ପାଇଁ ସ୍ବେରେଜ୍ ସହ ସଂଯୋଗ ନ ଥିବାରୁ ତାକୁ ରାସ୍ତା ଉପରେ ଛାଡ଼ୁଛନ୍ତି। ଏପରିକି ପାଇଖାନା ପାଣିକୁ ମଧ୍ୟ ରାସ୍ତାରେ ଛାଡ଼ୁଛନ୍ତି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କଲେ ମଧ୍ୟ ବିଭିନ୍ନ ଉପାୟରେ ଗଣ୍ଡଗୋଳ କରିବା ସହିତ ମାଡ଼ ମାରିବା ପାଇଁ ଧମକଚମକ ଦେଉଥିବା କହିଛନ୍ତି। ଏନେଇ ଅନେକବାର ସ୍ଥାନୀୟ ଲୋକ ବିଏମ୍‌ସି କାର୍ଯ୍ୟାଳୟରେ ଅଭିଯୋଗ କଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସେମାନେ ପୂର୍ବପରି ରାସ୍ତାରେ ଆବର୍ଜନା ପାଣି ଛାଡ଼ୁଛନ୍ତି।

ତେବେ ସ୍ଥାନୀୟ ବାସିନ୍ଦା ନୀହାରିକା ଦାସ ଜୁନ୍‌ ୨୭ରେ ଏ ସଂପର୍କରେ ଅନ୍‌ଲାଇନ୍‌ରେ ବିଏମ୍‌ସିକୁ ଅଭିଯୋଗ କରିଥିଲେ। ପରେ ବିଏମ୍‌ସି ଅଭିଯୋଗପତ୍ର ଗ୍ରହଣ କରି ଟୋକନ୍‌ ନଂ ଦେବା ପରେ କାମ ହେବା ଭାବି ନୀହାରିକା ସାମାନ୍ୟ ଆଶ୍ବସ୍ତ ହୋଇଥିଲେ। ତେବେ କିଛି ଦିନ ଅପେକ୍ଷା ପରେ କୌଣସି ସମାଧାନ ନ ହେବାରୁ ଅଭିଯୋଗର ସ୍ଥିତି ସମ୍ବନ୍ଧରେ ଜାଣିବା ପାଇଁ ନୀହାରିକା ପୁଣି ମେଲ୍‌ରେ ପ୍ରଶ୍ନ କରିଥିଲେ। କିନ୍ତୁ ଅଭିଯୋଗ ସମ୍ବନ୍ଧରେ କୌଣସି ଉତ୍ତର ମିଳି ପାରିନଥିବା ନୀହାରିକା କହିଛନ୍ତି। ସେ ଆହୁରି କହିଛନ୍ତି, ବିଏମ୍‌ସି ଖାଲି ଅନ୍‌ଲାଇନ୍‌ରେ ଲୋକଙ୍କ ଅଭିଯୋଗ ଗ୍ରହଣ କରି ସମସ୍ୟାର ସମାଧାନ କରୁଛି ନା ଟୋକେନ ନଂ ଦେଇ ବସି ପଡ଼ୁଛି।

ଏନେଇ ୬୬ ନମ୍ବର ଵାର୍ଡର ଵାର୍ଡ ଅଫିସର୍ ଗଦାଧର ସେଠୀଙ୍କୁ ପଚରାଯିବାରୁ, କରୋନା ପାଇଁ ବର୍ତ୍ତମାନ କୌଣସି ଜାଗା ଯାଇ ହେଉନି ବୋଲି ସେ କହିଛନ୍ତି। କରୋନା କାର୍ଯ୍ୟବ୍ୟସ୍ତତା ପାଇଁ କିଛି ହୋଇପାରୁନାହିଁ। ମାତ୍ର ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା, ଏ ଆଜିକାଲିର ଅଭିଯୋଗ ନୁହେଁ। କିଛି ବର୍ଷ ତଳେ ମଧ୍ୟ ଏମିତି ଅଭିଯୋଗ କରାଯାଇଥିଲା, ସେତେବେଳେ କରୋନା ନଥିଲା। କିନ୍ତୁ ବର୍ତ୍ତମାନ କାମ ନ କରିବା ବାହାନା ଅଥବା ଜବରଦଖଲକାରୀଙ୍କଠାରୁ ଟଙ୍କା ନେଇ ସେମାନଙ୍କୁ ରାସ୍ତାରେ ଆବର୍ଜନା ପାଣି ଛାଡ଼ିବାକୁ ଅନୁମତି ଦେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର