୫ ସହରରେ ଜନସ୍ବାସ୍ଥ୍ୟ ବିଭାଗ କାମ କରିବ ୱାଟ୍‌କୋ, ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ବର : ଭୁବନେଶ୍ବର, କଟକ, ପୁରୀ, ଜଟଣୀ, ଖୋର୍ଦ୍ଧାରେ ଜଳ ନିଗମ (ୱାଟ୍‌କୋ) ଜଳ ଯୋଗାଣ କରୁଛି। ଗତ ମେ ମାସରୁ ୱାଟ୍‌କୋ ଭୁବନେଶ୍ବର, ଖୋର୍ଦ୍ଧା ଓ ଜଟଣୀରେ ଜଳ ଯୋଗାଣ କରିଥିବା ବେଳେ ମାର୍ଚ୍ଚ ମାସରୁ କଟକ ଓ ପୁରୀରେ ଜଳ ଯୋଗାଣ କରୁଛି। ହେଲେ ଏହି ସବୁ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ସରକାରୀ କୋଠାରେ ପାନୀୟ ଜଳ ଯୋଗାଣ ସମ୍ବନ୍ଧୀୟ ଭିତ୍ତିଭୂମି ରକ୍ଷଣାବେକ୍ଷଣ କରୁଛି। କିନ୍ତୁ ଜଳ ଯୋଗାଣ କରୁଥିବା ଏବଂ ପାଣି ବିଲ୍‌ ଆଦାୟ କରୁଥିବା ସଂସ୍ଥା ଗୋଟିଏ ହୋ‌ଇଥିବା ବେଳେ ରକ୍ଷଣାବେକ୍ଷଣ କରୁଥିବା ସଂସ୍ଥା ଆଉ ଗୋଟିଏ। ଯେଉଁ ସରକାରୀ କ୍ବାର୍ଟର୍ସରେ ଜନସ୍ବାସ୍ଥ୍ୟ ବିଭାଗ ଠିକ୍‌ ଭାବେ ଅଭିଯୋଗର ସମାଧାନ ନ କରୁଛି ସେଠାରେ ପାଣି ବିଲ୍‌ ବେଳକୁ ବିବାଦ ଉପୁଜୁଛି। ତେଣୁ ୫ଟି ଯାକ ସହରରେ ୱାଟ୍‌କୋ ଜଳ ଯୋଗାଣ ସହ ସରକାରୀ କୋଠାର ରକ୍ଷଣାବେକ୍ଷଣ କରିବାକୁ ଜନସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଜନସ୍ବାସ୍ଥ୍ୟ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଏନେଇ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଜନସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି ଯେ, ଉପରୋକ୍ତ ୫ଟି ସହରରେ ଜଳ ଯୋଗାଣ ସହ ସରକାରୀ କୋଠାର ରକ୍ଷଣାବେକ୍ଷଣ, ସ୍ବେରେଜ୍‌ କାମ ୱାଟ୍‌କୋ କରିବ। ହେଲେ ଜନସ୍ବାସ୍ଥ୍ୟ ବିଭାଗର ଏହି ନିଷ୍ପତ୍ତିକୁ ରାଜ୍ୟ ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘ ବିରୋଧ କରିଛି। ସଂଘର ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜଳ ଯୋଗାଣ ଭଳି ଜରୁରୀକାଳୀନ କାର୍ଯ୍ୟ ୱାଟ୍‌କୋକୁ ଦିଆଯାଇଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ସରକାରୀ କୋଠାର ରକ୍ଷଣାବେକ୍ଷଣ ଦାୟିତ୍ବ ୱାଟ୍‌କୋକୁ ଦେବା ପୂର୍ବରୁ ଏବଂ ଭୁବନେଶ୍ବର, କଟକ ଓ ପୁରୀ ଜନସ୍ବାସ୍ଥ୍ୟ ଡିଭିଜନକୁ ସଂପୂର୍ଣ୍ଣ ଭାବେ ୱାଟ୍‌କୋରେ ମିଶାଇବା ପୂର୍ବରୁ ସରକାର ଯାନ୍ତ୍ରୀକ ସଂଗଠନ ସହ ଆଲୋଚନା କରନ୍ତୁ ବୋଲି ସଂଘ ଦାବି କରିଛି। ନଚେତ୍ ସଂଘ ଆନ୍ଦୋଳନ କରିବ ବୋଲି କହିଛି।

ସମ୍ବନ୍ଧିତ ଖବର