ଭୁବନେଶ୍ବର: ସହରବାସୀଙ୍କୁ ବ୍ୟବସ୍ଥିତ ଢ଼ାଞ୍ଚାରେ ପାନୀୟ ଜଳ ଯୋଗାଣ କରିବାକୁ ଦାୟିତ୍ବ ନେଇଛି ଓ୍ବାଟ୍କୋ। ମାତ୍ର ୱାଟ୍କୋର ବିଲ୍ ବ୍ୟବସ୍ଥା ଏବେ ଉପଭୋକ୍ତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାହା ଘରକୁ ପାଣି ସଂଯୋଗ ନଥାଇ ହଜାର ହଜାର ଟଙ୍କାର ବକେୟା ବିଲ୍ ଆସୁଛି ତ କାହା ଘରକୁ ସଂଯୋଗ ଦେବାର ବର୍ଷବର୍ଷ ପରେ ବି ବିଲ୍ ଦିଆଯାଉନାହିଁ। ଏମିତିକି କିଛି ଉପଭୋକ୍ତା ମାସିକ ବିଲ୍ ପଇଠ କରିବାକୁ ଇଛା କଲେ ମଧ୍ୟ ବିଲ୍ ଦିଆଯିବା ପରେ ଫି’ ସଂଗ୍ରହ କରାଯିବ ବୋଲି କହି କାଉଣ୍ଟରରୁ ଫେରାଇ ଦିଆଯାଉଛି। ତେଣୁ ଏକକାଳୀନ ହଜାର ହଜାର ଟଙ୍କାର ବିଲ୍ ପଇଠ କଲାବେଳେ ସେମାନେ ସମସ୍ୟାରେ ପଡ଼ିବେ ବୋଲି କହିଛନ୍ତି। ସମଗ୍ର ରାଜଧାନୀରେ ଏଭଳି ଶହଶହ ଅଭିଯୋଗ ରହିଛି ଓ ଉପଭୋକ୍ତାମାନେ ଚିନ୍ତାରେ ପଡ଼ିଛନ୍ତି।
ପଣ୍ଡାକୁଦିଆ ବସ୍ତିରେ ରହୁଥିବା ଦିନ ମଜୁରିଆ ବିଧବା ଚଞ୍ଚଳା ନାୟକଙ୍କ ଅଭିଯୋଗ ମୁତାବକ ୨୦୧୯ ମସିହାରେ ସେ ପାନୀୟ ଜଳ ସଂଯୋଗ ପାଇଁ ଆବେଦନ କରିଥିଲେ। ମାତ୍ର ତାଙ୍କୁ ଏହି ସଂଯୋଗ ଦିଆଯାଇନଥିଲା। କିନ୍ତୁ ସେବେଠାରୁ ତାଙ୍କ ପାଖକୁ ବିଲ୍ ଆସୁଛି। ୨ ବର୍ଷ ଭିତରେ ଏହି ବିଲ୍ ପରିମାଣ ୩ ହଜାର ୯ଶହ ୮୮ ଟଙ୍କାରେ ପହଞ୍ଚିଲାଣି। ତେବେ ତାଙ୍କୁ କେହି ବିଲ୍ ବାବଦ ଅର୍ଥ ପଇଠ କରିବାକୁ କହୁନାହାନ୍ତି କି ବକେୟା ବିଲ୍ ପଇଠ ନକରିବା ଅଭିଯୋଗରେ ତାଙ୍କ ସଂଯୋଗ ବିଛିନ୍ନ କରୁନାହାନ୍ତି। ଏଣେ ମାସକୁ ମାସ ବିଲ୍ ଆସୁଛି। ସେହିଭଳି ଉଗ୍ରସେନ ସେଠୀଙ୍କୁ ମଧ୍ୟ ବିନା ପାଣି ସଂଯୋଗରେ ବିଲ୍ ଦିଆଯାଉଛି। କେବଳ ପଣ୍ଡାକୁଦିଆ ନୁହେଁ, ନାଗେଶ୍ବରଟାଙ୍ଗୀ ଅଞ୍ଚଳରେ ସଚ୍ଚିଦାନନ୍ଦ ପାଇକରାୟଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ୨୦୧୭ ମସିହାରେ ସେ ପାନୀୟ ଜଳ ସଂଯୋଗ ପାଇଁ ଆବେଦନ କରିଥିଲେ, କିନ୍ତୁ ସଂଯୋଗ ଦିଆଯାଇନଥିଲା। ହେଲେ ସେବେଠାରୁ ବିଲ୍ ଆସୁଛି ଏବଂ ବିଲ୍ ପରିମାଣ ୪ ହଜାର ଟପିଲାଣି। ନା ତାଙ୍କୁ ସଂଯୋଗ ଦିଆଯାଉଛି ନା ବିଲ୍ ସଂଶୋଧନ କରାଯାଉଛି। ତେଣୁ ଆଗକୁ ଏସବୁ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବ ଓ ଉପଭୋକ୍ତାମାନେ ହନ୍ତସନ୍ତ ହେବେ।
ୱାଟ୍କୋର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୂଯାୟୀ ପୂର୍ବରୁ ବିଲ୍ ଦେବା ଓ ଫି’ ଆଦାୟ କରିବା ଦାୟିତ୍ବ ରେଣ୍ଟ ସବ୍ଡିଭିଜନ୍ ଅଧୀନରେ ଥିଲା। କେହି ପାଣି ସଂଯୋଗ ପାଇଁ ଆବେଦନ କଲେ ମେଣ୍ଟେନାନ୍ସ ଡିଭିଜନ୍ ସଂଯୋଗ ଦେଉଥିଲା ଓ ଅଭିଯୋଗ ଆଧାରରେ ମରାମତି କରୁଥିଲା। ମିଟର ନଥିବା ବେଳେ ଟ୍ୟାପ୍, ସମ୍ପ ଆଧାରରେ ଏକ ନିର୍ଦ୍ଦିଷ୍ଟ ଦେୟ ଧାର୍ଯ୍ୟ ହୋଇଥିଲା। ଆବେଦନ କରିବା ପରେ ହିଁ ଆପେଆପେ ବିଲ୍ ପ୍ରସ୍ତୁତ ହୋଇଯାଉଥିଲା। ଗଦାଗଦା ଆବେଦନ ଥିବାରୁ କ୍ଷେତ୍ର ପରିଦର୍ଶନ କରି ସଂଯୋଗ ଦେବା ପାଇଁ ସମୟ ଲାଗୁଥିଲା। ଏଣୁ ସଂଯୋଗ ନ ଥାଇ ମଧ୍ୟ ବିଲ୍ ପ୍ରସ୍ତୁତ ହୋଇଯାଉଥିଲା। ଏଭଳି ଅନେକ ଅଭିଯୋଗ ପହଞ୍ଚିବା ପରେ ମେଣ୍ଟେନାନ୍ସ ଡିଭିଜନ୍ ଚଳିତବର୍ଷ ମାର୍ଚ୍ଚ ମାସରୁ ବିଲ୍ ପ୍ରସ୍ତୁତ କରିବା ଦାୟିତ୍ବ ନେଇଛି। ବିଲ୍ ଦେବା ପାଇଁ ଜଳସାଥୀଙ୍କୁ ନିୟୋଜିତ କରାଯାଇଛି। ଏବେ ଏହି ସବୁକୁ ବ୍ୟବସ୍ଥିତ କରାଯାଉଛି। ଏବେ ମିଟର ଲାଗିବା କାମ ମଧ୍ୟ ଚାଲିଛି। ସମ୍ପୂର୍ଣ୍ଣ ହୋଇନାହିଁ। ଘରକୁ ଘର ବୁଲି ସର୍ବେକ୍ଷଣ କରାଯାଉଛି। ଏଣୁ ଆଗକୁ ସମସ୍ୟା ହେବନାହିଁ। ସେହିଭଳି ବିଲ୍ ଆଦାୟ ହେଉନଥିବା ଅଭିଯୋଗ ବାବଦରେ ସୂଚନା ଦେଇ ସେ କହିଛନ୍ତି ଏକ ସ୍ବତନ୍ତ୍ର ଆପ୍ ଜରିଆରେ ହୋଲ୍ଡିଂ ଟ୍ୟାକ୍ସ ସହ ଜଳ କର, ଜନ୍ମ ମୃତ୍ୟୁ ପ୍ରମାଣପତ୍ର ଭଳି ସହରାଞ୍ଚଳ ରାଜସ୍ବ ଆଦାୟ ପାଇଁ ଗୋଟିଏ ଆପ୍ ବ୍ୟବସ୍ଥା ହେଉଛି। ସରକାରଙ୍କ ଅର୍ଥ ବିଭାଗ ଏହାକୁ ପ୍ରସ୍ତୁତ କରୁଛି। ଏହା ପ୍ରସ୍ତୁତ ହେବା ପରେ ସମଗ୍ର ପ୍ରକ୍ରିୟା ସରଳ ହୋଇଯିବ ବୋଲି ସେ କହିଛନ୍ତି।