ପାନୀୟ ଜଳ କିଓସ୍କ ରକ୍ଷଣାବେକ୍ଷଣ ପାଇଁ କିନ୍ନରଙ୍କୁ ନିୟୋଜିତ କଲା ୱାଟ୍‌କୋ: ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ବର: ରାଜଧାନୀରେ ଥିବା ୱାଟର କିଓସ୍କଗୁଡ଼ିକର ରକ୍ଷଣାବେକ୍ଷଣ ଠିକ୍ ଭାବେ ହେଉନଥିବାରୁ ଏହା କାମରେ ଲାଗୁନି। ଏପରିକି ଅଧିକାଂଶ କିଓସ୍କ ଅଚଳ ହୋଇପଡ଼ିଛି। ତେଣୁ ଏହାର ରକ୍ଷଣାବେକ୍ଷଣ ପାଇଁ ୱାଟ୍‌କୋ ପକ୍ଷରୁ ‘ସ୍ବୀକୃତି ଟ୍ରାନ୍ସଜେଣ୍ଡର ସ୍ବୟଂ ସହାୟିକା ଗୋଷ୍ଠୀ’କୁ କାର୍ଯ୍ୟାଦେଶ ଦିଆଯାଇଛି। ଏନେଇ ୱାଟ୍‌କୋ ଓ ସ୍ବୀକୃତି ମଧ୍ୟରେ ଏକ ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ମେ’ ୧ରୁ ୱାଟର କିଓସ୍କଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହ ନିୟମିତ ସଫା କରିବା ଦାୟିତ୍ବ ସ୍ବୀକୃତିକୁ ଦିଆଯାଇଛି।

ଏନେଇ ୱାଟ୍‌କୋର ସିଇଓ ଇଂ. ପ୍ରଦୀପ୍ତ କୁମାର ସ୍ବାଇଁ କହିଛନ୍ତି ଯେ,କିନ୍ନରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ କରିବା ପାଇଁ ୱାଟ୍‌କୋ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। କଟକସ୍ଥିତ ପ୍ରତାପନଗରୀଠାରେ ଥିବା ୱାଟ୍‌କୋର ଜଳବିଶୋଧନାଗାରର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ସ୍ଥାନୀୟ କିନ୍ନର ଗୋଷ୍ଠୀଙ୍କୁ ଚଳିତ ମାସରେ ଦିଆଯାଇଥିବାବେଳେ ଆଗାମୀ ଦିନରେ ଅନ୍ୟ ସହରରେ ଜଳବିଶୋଧନ ଜନିତ ବିଭିନ୍ନ କାର୍ଯ୍ୟରେ ସ୍ଥାନୀୟ କିନ୍ନର ଗୋଷ୍ଠୀମାନଙ୍କୁ ନିୟୋଜିତ କରାଯିବ। ଏହିଭଳି ପଦକ୍ଷେପ ନେବାରେ ଓଡ଼ିଶା ଦେଶରେ ପ୍ରଥମ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।
ଆଜି ୱାଟ୍‌କୋ ମୁଖ୍ୟାଳୟରେ ୱାଟ୍‌କୋ ସିଇଓ ଇଂ.ପ୍ରଦୀପ୍ତ କୁମାର ସ୍ବାଇଁଙ୍କ ଉପସ୍ଥିତିରେ ହୋଇଥିବା ଚୁକ୍ତି ସ୍ବାକ୍ଷର କାର୍ଯ୍ୟକ୍ରମରେ ସ୍ବୀକୃତି ଟ୍ରାନ୍ସଜେଣ୍ଡର ସ୍ବୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ମେଘନା ସାହୁ, ସଦସ୍ୟା ଆଇଶା ପ୍ରିୟଦର୍ଶିନୀ ପଣ୍ଡା, ୱାଟ୍‌କୋର ପରିଚାଳନା ନିର୍ଦ୍ଦେଶକ ଶରତ ମିଶ୍ର, ଭୁବନେଶ୍ବର ଡିଭିଜନ-୧ର ମହାପ୍ରବନ୍ଧକ ବିଷ୍ଣୁଚରଣ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର