ଭୋଟ୍‌ ପାଇଁ ଅଟକିଛି ୱାଟ୍‌କୋ

ଜନସ୍ବାସ୍ଥ୍ୟ ବିଭାଗ ଛାଡ଼ିବାକୁ ଯନ୍ତ୍ରୀ ଅମଙ୍ଗ, ୱାଟ୍‌କୋ କାର୍ଯ୍ୟକ୍ଷମ ହେଲେ ଜଳକର ଚାରିଗୁଣା ବଢ଼ିବ

ଭୁବନେଶ୍ବର : ସହରାଞ୍ଚଳର ପ୍ରତ୍ୟେକ ଘରକୁ ୨୪ଘଣ୍ଟା ଅନବରତ ବିଶୁଦ୍ଧ ପାଣି ଯୋଗାଇବା, ପାନୀୟ ଜଳ ଉତ୍ପାଦନ ଓ ବିଶୋଧନ କରିବା, ପାଣି ବିଲ୍ ନିୟମିତ ଆଦାୟ କରିବା ପାଇଁ ନଗର ଉନ୍ନୟନ ବିଭାଗ ଅଧୀନରେ ସ୍ବତନ୍ତ୍ର ସଂସ୍ଥା ‘ୱାଟ୍‌କୋ’ ଗଠନ ହୋଇଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ସମେତ ଖୋର୍ଦ୍ଧା ଓ ଜଟଣୀ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଜନସ୍ବାସ୍ଥ୍ୟ ବିଭାଗ ଅଧୀନରୁ ଏହି ସବୁ ଅଞ୍ଚଳକୁ ବାଦ୍‌ ଦେବାକୁ ସମସ୍ତ ପ୍ରସ୍ତୁତି ବି ଶେଷ ହୋଇଛି। ଏପରିକି ଜନସ୍ବାସ୍ଥ୍ୟ ବିଭାଗ ନଗର ଉନ୍ନୟନ ବିଭାଗକୁ ନୀଳ ନକ୍ସା ପ୍ରଦାନ କରିଦେଇଛି। କିନ୍ତୁ ୱାଟ୍‌କୋ ଆରମ୍ଭ ହୋଇପାରୁନି। ଯେଉଁ ବିଭାଗୀୟ ସଚିବ ୱାଟ୍‌କୋକୁ ଏପ୍ରିଲ୍‌ ୨୦୧୮ରୁ ଆରମ୍ଭ କରିବାକୁ କହିଥିଲେ ସେ ଏବେ ୱାଟ୍‌କୋ କାର୍ଯ୍ୟକ୍ଷମ ହେବା ନହେବା ନେଇ ମୁହଁ ଖୋଲୁନାହାନ୍ତି। ଏପରିକି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ୱାଟ୍‌କୋ କାର୍ଯ୍ୟକ୍ଷମ ନକରିବାକୁ ଆପାତତଃ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ସହରାଞ୍ଚଳରେ କମର୍ସିଆଲ୍‌ ସ˚ଯୋଗ ନେଇଥିବା ହିତାଧିକାରୀଙ୍କଠାରୁ ୟୁନିଟ ପିଛା(ହଜାରେ ଲିଟରରେ ଏକ ୟୁନିଟ) ୧୧ଟଙ୍କା ୨୬ପଇସା, ଘରୋଇ ସ˚ଯୋଗ ହୋଇଥିଲେ ୟୁନିଟ ପିଛା ୩ଟଙ୍କା ୯୫ପଇସା ଆଦାୟ ହେଉଛି। ପ୍ରତିବର୍ଷ ୧୦% ଜଳକର ବଢ଼ୁଛି। କିନ୍ତୁ ୱାଟ୍‌କୋ ଲାଗୁ ହେଲେ ୟୁନିଟ୍‌ ପିଛା ଆହୁରି ୪ଗୁଣା ଅଧିକ ଦେୟ ଦେବାକୁ ପଡ଼ିବ। ଆସନ୍ତା ସାଧାରଣ ନିର୍ବାଚନ ଓ ପୌର ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କଲେ ଏହି ତିନିଟି ସହରାଞ୍ଚଳରେ ଥିବା ପ୍ରାୟ ଦେଢ଼ ଲକ୍ଷ ହିତାଧିକାରୀଙ୍କ ଉପରେ ପ୍ରଭାବ ପଡ଼ିବାର ଥିବାରୁ ରାଜ୍ୟ ସରକାର ପଛଘୁଞ୍ଚା ଦେଇଛନ୍ତି। ସରକାର ଜଳକର ବଢ଼ାଇବାକୁ ଚାହୁଁନଥିବାରୁ ବିଭାଗୀୟ ଅଧିକାରୀମାନେ ଯେଉଁ ଗତିରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଆଗେଇଥିଲେ ଏବେ ପୂରା ଶିଥିଳ ପଡ଼ିଯାଇଛନ୍ତି। ୱାଟ୍‌କୋ କାର୍ଯ୍ୟକ୍ଷମ ହେବାକୁ ଆଉ କିଛି ସମୟ ଲାଗିବ ବୋଲି କହୁଛନ୍ତି। ଏପରିକି ଆସନ୍ତା ଆର୍ଥିକ ବର୍ଷରୁ ଅର୍ଥାତ୍ ସାଧାରଣ ନିର୍ବାଚନ ସରିଲେ ଏହାକୁ ଲାଗୁ କରିବାକୁ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି।

ୱାଟ୍େକା କେବେଠୁ କାର୍ଯ୍ୟକ୍ଷମ ହେବ ସେନେଇ ଏହାର ଉପାଧ୍ୟକ୍ଷ ଏସ୍‌.ଲକ୍ଷ୍ମୀପତିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ୱାଟ୍‌କୋ ନେଇ ସମସ୍ତ ପ୍ରସ୍ତୁତି ଶେଷ ‌େହାଇଛି। ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଯେତିକି ପଦବି ଦରକାର ସେଗୁଡ଼ିକୁ ଅର୍ଥ ବିଭାଗ ମଞ୍ଜୁର କରିଛି। ସେହି ଅନୁଯାୟୀ, କିଏ କେଉଁ ଡିଭିଜନ, ସବ୍‌ଡିଭିଜନରେ କେଉଁ ପଦରେ ରହିବେ, ନୂଆ ପଦବି କ’ଣ ହେବ ସେନେଇ ଆମେ ତାଲିକା ପ୍ରସ୍ତୁତ କରି ବିଭାଗକୁ ପଠାଇଛୁ। ନଗର ଉନ୍ନୟନ ବିଭାଗ ଏହାକୁ ମଞ୍ଜୁର କଲେ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ୱାଟ୍‌କୋରେ କାର୍ଯ୍ୟ କରିବେ।

ଅପରପକ୍ଷେ ଜନସ୍ବାସ୍ଥ୍ୟ ବିଭାଗର କେତେକ ଅଧିକାରୀ ୱାଟ୍‌କୋକୁ ଯିବାକୁ ଚାହୁଁନାହାନ୍ତି। ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀରେ କେବଳ ପାନୀୟ ଜଳ ଯୋଗାଣ ୱାଟ୍‌କୋ ଦ୍ବାରା ହେବାକୁ ଥିବାରୁ ଯନ୍ତ୍ରୀମାନେ ଜନସ୍ବାସ୍ଥ୍ୟ ବିଭାଗ ଛାଡ଼ିବାକୁ ଚାହୁଁନାହାନ୍ତି। ଜନସ୍ବାସ୍ଥ୍ୟ ବିଭାଗ ଅୀଧନରେ ରହିବାକୁ ଥିବା ଯନ୍ତ୍ରୀମାନେ ବିଭିନ୍ନ ସରକାରୀ କ୍ବାର୍ଟର୍ସ, ସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ଆଦିର ମରାମତି ଓ ରକ୍ଷଣାବେକ୍ଷଣ କରିବେ। ଏହି କ୍ଷେତ୍ରରେ ଅଧିକ ଅନୁଦାନ ଆସିବା ସହ ଅଧିକ କାର୍ଯ୍ୟ ହେବ। ତେଣୁ ଜନସ୍ବାସ୍ଥ୍ୟ ବିଭାଗ ଛାଡ଼ିବାକୁ ଯନ୍ତ୍ରୀ ଅମଙ୍ଗ।

ତେଣୁ ଯେଉଁ ଯନ୍ତ୍ରୀ ଓ ଅଧିକାରୀଙ୍କ ନାମ ୱାଟ୍‌କୋକୁ ପଠାଯାଇଥିବା ତାଲିକାରେ ଅଛି ସେଥିରୁ ଅଧିକାଂଶ ଏଥିରୁ ନାମ କାଟିବାକୁ ଜୋରଦାର୍‌ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ରାଜନେତା ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ମାଧ୍ୟମ‌େର ମଧ୍ୟ ଚାପ ପକାଉଛନ୍ତି। ଫଳରେ ନଗର ଉନ୍ନୟନ ବିଭାଗକୁ ଦିଆଯାଇଥିବା ତାଲିକା ଚୂଡ଼ାନ୍ତ ହୋଇପାରୁ ନଥିବାରୁ ବିଭାଗୀୟ ସଚିବ ମଧ୍ୟ ଏହାକୁ ମଞ୍ଜୁର କରୁନାହାନ୍ତି। ଯାହା ୱାଟ୍‌କୋ କାର୍ଯ୍ୟକ୍ଷମ ହେବାରେ ଅନ୍ୟତମ ବାଧକ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, ଜନସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏବଂ ମରାମତି କାର୍ଯ୍ୟକୁ ଅଲଗା କରିବାକୁ ନିଷ୍ପତ୍ତି ହୋଇଛି। ୱାଟ୍‌କୋ ମାଧ୍ୟମରେ ଜଳ ଯୋଗାଣ ପାଇଁ ଗତ ସାଢ଼େ ତିନି ବର୍ଷ ହେଲା ଯୋଜନା ପ୍ରସ୍ତୁତ ହେଲାଣି। ଗତ ଅକ୍ଟୋବରରୁ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ କେବଳ ଦିନ ଗଡ଼ି ଚାଲିଛି। କିନ୍ତୁ ନିଷ୍ପତ୍ତି ନିଆଯାଇପାରୁନି। କେତେବେଳେ ପଦବି ମଞ୍ଜୁର ନେଇ ଦିନ ଗଡ଼ୁଛି ତ କେତେବେଳେ ସୀମା ଚିହ୍ନଟ ନେଇ। ଏବେ ନିର୍ବାଚନକୁ ନଜରରେ ରଖି ଦିନ ଗଡ଼ିବାରେ ଲାଗିଛି।

ଗତ ଜୁନ୍ ମାସରେ ରାଜ୍ୟ ସରକାର ୱାଟ୍‌କୋ ପାଇଁ ୬୯ଟି ପଦବି ମଞ୍ଜୁର କରିବା ସମୟରେ କୁହାଯାଉଥିଲା ଯେ, ନଭେମ୍ବରରୁ ୱାଟ୍‌କୋ କାର୍ଯ୍ୟକ୍ଷମ ହେବ। କିନ୍ତୁ ଏବେ ଏହି ୬୯ଟି ପଦବିରେ କିଏ କିଏ କାର୍ଯ୍ୟକରିବେ ତାହା ଚୂଡ଼ାନ୍ତ ହୋଇପାରୁନଥିବାରୁ ପୁଣି କଣ୍ଟ ଘୁଞ୍ଚିଛି। ଏବେ ଜନସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଵାଟକୋର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ଅଧୀକ୍ଷଣ ଯନ୍ତ୍ରୀ ଲେଭେଲ୍‌-୨ର ଜଣେ ଅଧିକାରୀଙ୍କୁ ଵାଟକୋର ନିର୍ଦ୍ଦେଶକ (ଅପରେସନ୍‌) ଏବ˚ ଆଉ ଜଣଙ୍କୁ ନିର୍ଦ୍ଦେଶକ (ପ୍ରକଳ୍ପ) ଭାବେ ନିଯୁକ୍ତି ଦିଆଯାଇଛି।

କେମିତି କାମ କରିବ

ଵାଟ୍‌କୋ ପ୍ରାରମ୍ଭିକ ପର୍ଯ୍ୟାୟରେ ଜନସ୍ବାସ୍ଥ୍ୟ ବିଭାଗର ଭୁବନେଶ୍ବର ଡିଭିଜନ୍‌-୧, ଡିଭିଜନ-୨ ଓ ଡିଭିଜନ-୩ ଜଳ ଯୋଗାଣ କରୁଥିବା ଅଞ୍ଚଳରେ ଜଳ ଯୋଗାଣ କରିବ। ତେଣୁ ଜନସ୍ବାସ୍ଥ୍ୟ ବିଭାଗର ଢାଞ୍ଚାକୁ ଭୁବନେଶ୍ବର, ଖୋର୍ଦ୍ଧା ଏବ˚ ଜଟଣୀରେ ସ˚ପୂର୍ଣ୍ଣ ବଦଳାଯିବ। ରାଜଧାନୀରେ ଜଳ ଯୋଗାଣ ଏବ˚ ଆବଣ୍ଟନ ପାଇଁ ଦୁଇଟି ଡିଭିଜନ୍‌ ରହିବ। ଏବେ ଜନସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବର ଡିଭିଜନ-୨କୁ ଵାଟ୍‌କୋ ଡିଭିଜନ-୧ରେ ପରିଣତ କରାଯିବ। ଜନସ୍ବାସ୍ଥ୍ୟ ବିଭାଗ-୧ର ନିର୍ବାହୀ ଯନ୍ତ୍ରୀ ଵାଟକୋର ଡିଭିଜନ-୨ର ମହାପ୍ରବନ୍ଧକ ଏବ˚ ଜନସ୍ବାସ୍ଥ୍ୟ ବିଭାଗ-୨ର ନିର୍ବାହୀ ଯନ୍ତ୍ରୀ ଵାଟ୍‌କୋ ଡିଭିଜନ-୧ର ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରିବେ। ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ପଦବି ନୂଆ କରି ସୃଷ୍ଟି କରି ତାଙ୍କୁ ଵାଟକୋର ପ୍ରୋଜେକ୍ଟ ଡିଭିଜନର ମହାପ୍ରବନ୍ଧକ ଭାବେ ନିଯୁକ୍ତି ଦିଆଯିବ। ଏବେକାର ଜନସ୍ବାସ୍ଥ୍ୟ ବିଭାଗ ଡିଭିଜନ୍-୩ କାର୍ଯ୍ୟାଳୟ କେବଳ ଜନସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବର ଡିଭିଜନ ଭାବେ କାର୍ଯ୍ୟ କରିବ।

ଜନସ୍ବାସ୍ଥ୍ୟ ବିଭାଗ ଅଧୀନରେ କ’ଣ ରହିବ

ଜନସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବର ଡିଭିଜନ୍‌ ଅଧୀନରେ ଏବେ ଡିଭିଜନ-୧ ଅଧୀନରେ ଥିବା ୟୁନିଟ-୩, ୟୁନିଟ-୪ ସବ୍‌ଡିଭିଜନ ଏବ˚ ଡିଭିଜନ-୨ ଅଧୀନରେ ଥିବା ୟୁନିଟ-୯ ସବ୍‌ଡିଭିଜନ ନୂଆକରି ହେବାକୁ ଥିବା ଜନସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବର ଡିଭିଜନ୍‌ ଅଧୀନକୁ ଆସିବ। ଏହାର ଏସ୍‌ଡିଓମାନେ ବର୍ତ୍ତମାନ ଥିବା ପଦବିରେ କାର୍ଯ୍ୟ କରିବେ। ସେମାନଙ୍କ ଅଧୀନରେ ଥିବା ସହକାରୀ ଯନ୍ତ୍ରୀମାନେ ବି ସେମାନଙ୍କ ମୂଳ ପଦବିରେ ରହିବେ। ଏଥିପାଇଁ ୧୨ଜଣ ସହାୟକ ଯନ୍ତ୍ରୀ ୧୨ଟି ସେକ୍ସନରେ ରହିବେ। ଜନସ୍ବାସ୍ଥ୍ୟ ବିଭାଗ ଡିଭିଜନ-୩ର ଡିଏଓ ଜନସ୍ବାସ୍ଥ୍ୟ ବିଭାଗ ଡିଭିଜନକୁ ଆସିବେ। ଏହି ସବୁ ପଦବିକୁ ଅନ୍ୟ ଡିଭିଜନ୍‌ର ଅଧିକାରୀମାନେ ଆଖେଇ ଥିବାରୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଠାଯାଇଥିବା ତାଲିକାରେ ଚୂଡ଼ାନ୍ତ ମୋହର ବାଜିପାରୁନି।

ସମ୍ବନ୍ଧିତ ଖବର