ପୌର ନିର୍ବାଚନ ପରେ ବଢ଼ିବ ପାଣି ବିଲ୍‌!

ଆରମ୍ଭ ହେଲା ୱାଟ୍‌କୋ, ଏବେ ମିଳିବ ୬୦କୋଟିର ସବ୍‌ସିଡି, ତିନି ବର୍ଷ ପରେ ସ୍ବୟଂଚାଳିତ ସଂସ୍ଥା ହେବ

ଭୁବନେଶ୍ବର : ସହରାଞ୍ଚଳର ପ୍ରତ୍ୟେକ ଘରକୁ ୨୪ଘଣ୍ଟା ଅନବରତ ବିଶୁଦ୍ଧ ପାଣି ଯୋଗାଇବା, ଆବଶ୍ୟକୀୟ ପାନୀୟ ଜଳ ଉତ୍ପାଦନ ଓ ବିଶୋଧନ କରିବା, ପାଣି କର ନିୟମିତ ଆଦାୟ କରିବା ପାଇଁ ୱାଟ୍‌କୋ କାର୍ଯ୍ୟକ୍ଷମ ହୋଇଛି। ନଗର ଉନ୍ନୟନ ବିଭାଗ ଅଧୀନରେ ତିନିବର୍ଷ ତଳୁ ଗଠନ ହୋଇଥିବା ଏହି ସ୍ବତନ୍ତ୍ର ସଂସ୍ଥା ବହୁ ବିଳମ୍ବ ହେଲେ ବି ଶେଷରେ କାମ କରିବା ଆରମ୍ଭ କରିଛି। ଏହା ଏବେ ଭୁବନେଶ୍ବର, ଖୋର୍ଧା ଓ ଜଟଣୀ ସହରାଞ୍ଚଳରେ କାର୍ଯ୍ୟକ୍ଷମ ହେଉଥିବାବେଳେ ଆଗାମୀ ଦିନରେ ସାରା ଓଡ଼ିଶାରେ ଲାଗୁ ହେବ। ୱାଟ୍‌କୋ କାର୍ଯ୍ୟକ୍ଷମ ହେବାକୁ ବାରମ୍ବାର ଦିନ ଗଡ଼ିବା ପରେ ରାଜ୍ୟ ସରକାର ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ପରେ ହିଁ ୱାଟ୍‌କୋକୁ କାର୍ଯ୍ୟକ୍ଷମ କରିଦେଇଛନ୍ତି। ଆଉ ୱାଟ୍‌କୋ କେବଳ ଜଳ କର ଆଦାୟ କରି ସ୍ବୟଂଚାଳିତ ସଂସ୍ଥା ହେବାକୁ ଥିବାରୁ ଆସନ୍ତା ପୌର ନିର୍ବାଚନ ପରେ ଜଳ କର ବଢ଼ିବ ବୋଲି ଜଣାପଡ଼ିଛି।

ତିନିଟି ସହରାଞ୍ଚଳର ଜଳ ଯୋଗାଣ ବ୍ୟବସ୍ଥା ଜନସ୍ବାସ୍ଥ୍ୟ ବିଭାଗରୁ କାଢ଼ି ୱାଟ୍‌କୋକୁ ଦିଆଯାଇଛି। ରାଜ୍ୟ ସରକାର ଏହାକୁ ସ୍ବୟଂଚାଳିତ କରିବାକୁ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବେ। ପ୍ରଥମ ବର୍ଷ ଶତ ପ୍ରତିଶତ, ଦ୍ବିତୀୟ ବର୍ଷ ୫୦% ଏବଂ ତୃତୀୟ ବର୍ଷ ୨୫% ଅର୍ଥ ଦେବାକୁ ସ୍ଥିର ହୋଇଛି। ହେଲେ ତିନି ବର୍ଷ ମଧ୍ୟରେ ୱାଟ୍‌‌କୋ ସ୍ବୟଂଚାଳିତ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। କାରଣ ୱାଟ୍‌କୋ କେବଳ ଜଳ ଯୋଗାଣ ଏବଂ ନୂଆ ସଂଯୋଗରୁ ରାଜସ୍ବ ପାଇବାକୁ ଥିବାବେଳେ ଏବେ ଏଥିରୁ ବାର୍ଷିକ ପ୍ରାୟ ୩୦କୋଟି ପାଉଛି। କିନ୍ତୁ କର୍ମଚାରୀଙ୍କ ବେତନ, ଜଳ ବିଶୋଧନ କେନ୍ଦ୍ର, ପମ୍ପ୍ ହାଉସ୍‌ର ରକ୍ଷଣାବେକ୍ଷଣ ଏବଂ ଜଳ ପ୍ରକ୍ରିୟାକରଣ ବାବଦକୁ ବାର୍ଷିକ ପ୍ରାୟ ୬୫କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିବାରୁ ୱାଟ୍‌କୋ ତିନି ବର୍ଷରେ ସ୍ବୟଂଚାଳିତ ହେବା ଅସମ୍ଭବ। ତେଣୁ ରାଜ୍ୟ ସରକାର ଜଳ କର ବଢ଼ାଇବାକୁ ଯୋଜନା କରିଛନ୍ତି। କିନ୍ତୁ ଆଗକୁ ଏହି ତିନି ସହରାଞ୍ଚଳରେ ପୌର ନିର୍ବାଚନ ଥିବାରୁ ଏହାପରେ ଜଳ କର ବଢ଼ିବ ବୋଲି ବିଭାଗୀୟ ସ୍ତରରେ ଆପାତତଃ ନିଷ୍ପତ୍ତି ହୋଇଛି। ସାଧାରଣ ନିର୍ବାଚନ ପାଇଁ ୱାଟ୍‌କୋ ପ୍ରାୟ ୮ମାସ ବିଳମ୍ବରେ ଆରମ୍ଭ ହେବା ପରି ଏବେ ଜଳ କର ପୌର ନିର୍ବାଚନ ପରେ ବଢ଼ାଇବାକୁ ଯୋଜନା ହୋଇଛି।

ରାଜ୍ୟ ସରକାର ୱାଟ୍‌କୋକୁ ପ୍ରଥମ ବର୍ଷର ସମସ୍ତ ଖର୍ଚ୍ଚ ସବ୍‌ସିଡି ଆକାରରେ ଦେବାକୁ ନି‌ଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୬୦କୋଟି ସବ୍‌ସିଡି ଦିଆଯିବ। ଆସନ୍ତା ବଜେଟ୍‌ରେ ଏନେଇ ବ୍ୟୟ ବରାଦ ହେବ। ଏହାପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ୩୦କୋଟି ଏବଂ ୧୫କୋଟି ଲେଖାଏଁ ପ୍ରଦାନ କରାଯିବ। ପ୍ରଥମ ତିନି ବର୍ଷରେ ୱାଟ୍‌କୋ କ‌େଷ୍ଟମଷ୍ଟେ ଚାଲିଯିବ। ହେଲେ ଏହାପରେ ରାଜ୍ୟ ସରକାର ସବ୍‌ସିଡି ନଦେଲେ ୱାଟ୍‌କୋ ଚଲାଇବା କଷ୍ଟକର ବ୍ୟାପାର ହୋଇପଡ଼ିବ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ରାଜଧାନୀରେ ପାନୀୟ ଜଳ ଯୋଗାଣ ପାଇଁ ଯେତିକି କର ଆଦାୟ ହେଉଛି ତାହାକୁ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ ଆଗକୁ ପୌର ନିର୍ବାଚନ ଥିବାରୁ ଏବଂ ପ୍ରଥମ ବର୍ଷର ଆୟ ବ୍ୟୟ ହିସାବକୁ ଦେଖି ଦ୍ବିତୀୟ ବର୍ଷରେ (ଆସନ୍ତା ବର୍ଷ) ଜଳ କର ବଢ଼ାଇବାକୁ ଯୋଜନା ଅଛି। ତିନି ବର୍ଷ ମଧ୍ୟରେ ଜଳକର ବର୍ତ୍ତମାନ ଠାରୁ ୪ଗୁଣା ଅଧିକ ବଢ଼ିବ। ଜଳ କର ବଢ଼ାଇବା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ହୋଇଥିବାରୁ ଏବଂ କ୍ୟାବିନେଟ୍‌ ଏହା ଉପରେ ନିଷ୍ପତ୍ତି ନେବାକୁ ଥିବାରୁ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ବି ଜଳକର ବଢ଼ିବା ନେଇ ମୁହଁ ଖୋଲୁନାହାନ୍ତି। ଜନସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଜ୍ୟ ସରକାର ୱାଟ୍‌କୋକୁ ପରୀକ୍ଷାମୂଳକ ଭାବେ ତିନିଟି ସହରାଞ୍ଚଳରେ ଆରମ୍ଭ କରିଛନ୍ତି। ତେଣୁ ଏହାକୁ ସ୍ବୟଂସଂପନ୍ନ କରିବା ପର୍ଯ୍ୟନ୍ତ ରାଜ୍ୟ ସରକାର ସହାୟତା ଯୋଗାଇବେ। କିନ୍ତୁ ପରବର୍ତ୍ତୀ ସମୟରେ ପାଣି କର ବଡ଼ ଆକାରେ ନବଢ଼ାଇଲେ ଆଉ ଯେ କିଛି ବାଟ ନାହିଁ ତାହା ଜଳଜଳ ଦିଶୁଛି। ହେଲେ ସୂଚନା ମିଳିଛି ଯେ, ଏବେ ସହରାଞ୍ଚଳରେ କମର୍ସିଆଲ୍‌ ସ˚ଯୋଗ ନେଇଥିବା ହିତାଧିକାରୀଙ୍କ ଠାରୁ ୟୁନିଟ ପିଛା (ହଜାରେ ଲିଟରରେ ଏକ ୟୁନିଟ) ୧୧ଟଙ୍କା ୨୬ପଇସା, ଘରୋଇ ସ˚ଯୋଗ ହୋଇଥିଲେ ୟୁନିଟ ପିଛା ୩ଟଙ୍କା ୯୫ପଇସା ଆଦାୟ ହେଉଛି। ପ୍ରତିବର୍ଷ ୧୦% ଜଳକର ବଢ଼ୁଛି। ଆସନ୍ତା ତିନି ବର୍ଷରେ ଏହାକୁ ୪ଗୁଣା ବଢ଼ାଯିବ। ପାଣି କର ହଠାତ୍ ବହୁଗୁଣା ବଢ଼ିବାକୁ ଥିବାରୁ ରାଜ୍ୟ ସରକାର ଏହାକୁ ତିନିଟି ପର୍ଯ୍ୟାୟରେ ବଢ଼ାଇବାକୁ ଚାହୁଁଥିବା ଆଲୋଚନା ହେଉଛି।

ଅପରପକ୍ଷେ ୱାଟ୍‌କୋକୁ କାର୍ଯ୍ୟକ୍ଷମ କରିବା ପାଇଁ ଜନସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବରର ତିନିଟି ଡିଭିଜନକୁ ପୁନଃଗଠନ କରିଛନ୍ତି। ଏବେ ଜନସ୍ବାସ୍ଥ୍ୟ ବିଭାଗରୁ ଅଧିକାରୀ ଓ କର୍ମଚାରୀମାନେ ଯଦିଓ କିଛି ମାତ୍ରାରେ ସ୍ଥାନାନ୍ତର ହୋଇଛନ୍ତି କିନ୍ତୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାଭଳି କର୍ମଚାରୀ ଓ ଅଧିକାରୀ ସ୍ଥାନାନ୍ତର ହୋଇନାହାନ୍ତି କି ସମସ୍ତ କାଗଜପତ୍ର ଡିଭିଜନ ସ୍ତରରେ ନେଣଦେଣ ହୋଇନି।

ଏନେଇ ଜନସ୍ବାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏସ୍‌. ଲକ୍ଷ୍ମୀପତି କହିଛନ୍ତି ଯେ, ୱାଟ୍‌କୋ ଏବେ କାର୍ଯ୍ୟକ୍ଷମ ହୋଇଛି। ଜନସ୍ବାସ୍ଥ୍ୟ ବିଭାଗର ଯେଉଁଠି ଯେଉଁ ଅଧିକାରୀ ଥିଲେ ସେମାନଙ୍କୁ ସେଠାରେ ରହି କାମ କରିବାକୁ କୁହାଯାଇଛି। ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଏବେ ସେମାନଙ୍କ ପୂର୍ବ ଅଫିସରେ ବସି ନୂଆ କାମ କରୁଛନ୍ତି। ଖୁବ୍ ଶୀଘ୍ର ସବୁ ଅଲଗା ହୋଇଯିବ। ଜଳ କର ବଢ଼ିବ କି ନାହିଁ ସେନେଇ ଏବେ କିଛି ନିଷ୍ପତ୍ତି ହୋଇନି। ଆଗକୁ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ।

ଵାଟ୍‌କୋ କେମିତି କାମ କରୁଛି

ଵାଟ୍‌କୋ ପ୍ରାରମ୍ଭିକ ପର୍ଯ୍ୟାୟରେ ଜନସ୍ବାସ୍ଥ୍ୟ ବିଭାଗର ଭୁବନେଶ୍ବର ଡିଭିଜନ୍‌-୧, ଡିଭିଜନ-୨ ଓ ଡିଭିଜନ-୩ ଜଳ ଯୋଗାଣ କରୁଥିବା ଅଞ୍ଚଳରେ ଜଳ ଯୋଗାଣ କରୁଛି। ଭୁବନେଶ୍ବର, ଖୋର୍ଦ୍ଧା ଏବ˚ ଜଟଣୀରେ ଏହାକୁ ଲାଗୁ କରାଯାଇଛି। ଜଳ ଯୋଗାଣ ଏବ˚ ଆବଣ୍ଟନ ପାଇଁ ଦୁଇଟି ଡିଭିଜନ ରହିଛି। ପୂର୍ବରୁ ଥିବା ଜନସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବର ଡିଭିଜନ-୨କୁ ଵାଟ୍‌କୋ ଡିଭିଜନ-୧ ଓ ଜନସ୍ବାସ୍ଥ୍ୟ ବିଭାଗ-୧କୁ ୱାଟ୍‌କୋ ଡିଭିଜନ-୨ରେ ନାମକରଣ କରାଯାଇଛି। ଏଠାରେ କାର୍ଯ୍ୟ କରୁଥିବା ନିର୍ବାହୀ ଯନ୍ତ୍ରୀମାନେ ୱାଟ୍‌କୋର ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଥିବା ଜନସ୍ବାସ୍ଥ୍ୟ ବିଭାଗ ଡିଭିଜନ୍-୩ କାର୍ଯ୍ୟାଳୟ କେବଳ ଜନସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବର ଡିଭିଜନ ଭାବେ କାର୍ଯ୍ୟ କରୁଛନ୍ତି।

ଜନସ୍ବାସ୍ଥ୍ୟ ବିଭାଗ ଅଧୀନରେ କ’ଣ ରହିଲା

ଜନସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବର ଡିଭିଜନ୍‌ ଅଧୀନରେ ଏବେ ଡିଭିଜନ-୧ ଅଧୀନରେ ଥିବା ୟୁନିଟ-୩, ୟୁନିଟ-୪ ସବ୍‌ଡିଭିଜନ ଏବ˚ ଡିଭିଜନ-୨ ଅଧୀନରେ ଥିବା ୟୁନିଟ-୯ ସବ୍‌ଡିଭିଜନ ଜନସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବର ଡିଭିଜନ ଅଧୀନକୁ ଆସିଛି। ଏହାର ଏସ୍‌ଡିଓମାନେ ବର୍ତ୍ତମାନ ଥିବା ପଦରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ଅଧୀନରେ ଥିବା ସହକାରୀ ଯନ୍ତ୍ରୀମାନେ ବି ସେମାନଙ୍କ ମୂଳ ପଦରେ ରହିଛନ୍ତି। ଏଥିପାଇଁ ୧୨ଜଣ ସହାୟକ ଯନ୍ତ୍ରୀ ୧୨ଟି ସେକ୍ସନରେ ରହିଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ ଡିଭିଜନ-୩ର ଡିଏଓ ଜନସ୍ବାସ୍ଥ୍ୟ ବିଭାଗ ଡିଭିଜନକୁ ଆସିଛନ୍ତି।

ପାଣି ବିଲ୍‌ ଦେୟ କେହି ନେଉନାହାନ୍ତି

ୱାଟ୍‌କୋ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଏହାକୁ ଏପର୍ଯ୍ୟନ୍ତ ଅର୍ଥ ଆଦାୟ କି ଅର୍ଥ ଖର୍ଚ୍ଚ କରିବାର କ୍ଷମତା ଦିଆଯାଇନି। ଫଳରେ ଚଳିତ ମାସରେ ‌ପାଣି ସଂଯୋଗ ନେଇଥିବା ହଜାର ହଜାର ହିତାଧିକାରୀ ଏପର୍ଯ୍ୟନ୍ତ ପାଣି ବିଲ୍‌ ଦେଇପାରୁନାହାନ୍ତି। ପୂର୍ବରୁ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ପାଣି ବିଲ୍‌ ଜମା କରୁଥିବାବେଳେ ସେଠାରେ ଏବେ ପାଣି ବିଲ୍‌ ନେବାକୁ କର୍ତ୍ତୃପକ୍ଷ ମନା କରିଦେଉଛନ୍ତି। ୱାଟ୍‌କୋ ପାଣି ବିଲ୍‌ ସଂଗ୍ରହ କରିବ ବୋଲି କହି ଫେରାଇ ଦେଉଛନ୍ତି। ଏହାପରେ ଲୋକ ୱାଟ୍‌କୋ କାର୍ଯ୍ୟାଳୟକୁ ଆସିଲା ବେଳକୁ କୁହାଯାଉଛି ଆମକୁ ଟଙ୍କା ଆଦାୟ କରିବାକୁ ଅନୁମତି ମିଳୁନି। ତେଣୁ ଏବେ ଲୋକ କ’ଣ କରିବେ ଜାଣିପାରୁନାହାନ୍ତି। ପାଣି ବିଲ୍‌ ନଦେଲେ ଜରିମାନା ଗଣିବାକୁ ପଡ଼ୁଥିବାରୁ ଲୋକମାନେ କହିଲେଣି କର୍ତ୍ତୃପକ୍ଷ ଆମକୁ ଏବେ ‌ଫେରାଇ ଦେଉଛନ୍ତି। ଆର ମାସକୁ ଜରିମାନା ଯୋଡ଼ିକି ବିଲ୍‌ ପଠାଇବେ। ସରକାରଙ୍କ ଅବହେଳା ପାଇଁ ଆମେ କାହିଁକି ଜରିମାନା ଦେବୁ।

ଏପଟେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ପାଣି ବିଲ୍‌ ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟରେ ଦେଇପାରୁନାହାନ୍ତି ସେମାନେ ଅନଲାଇନ୍‌ରେ ବିଲ୍‌ ଦିଅନ୍ତୁ। ନୂଆ ବ୍ୟବସ୍ଥା ଆରମ୍ଭ ହେଲେ ଏମିତି କିଛି ସମସ୍ୟା ଉପୁଜେ।

ସମ୍ବନ୍ଧିତ ଖବର