ସମ୍ବାଦ ପ୍ରଭାବ: ବର୍ଷେ ପରେ ଦୟାେଓ୍ଵଷ୍ଟ୍‍ କେନାଲ୍‌ରେ ପାଣି ଆସିଲା

ଚନ୍ଦ୍ରଶେଖରପୁର: ବାରଙ୍ଗ କାନପୁରରୁ ବାହାରି ପଟିଆ, ମଞ୍ଚେଶ୍ୱର, ପଳାଶୁଣି ଓ ରସୁଲଗଡ଼ ଦେଇ ଯାଇଥିବା ଦୟାେଓ୍ଵଷ୍ଟ କେନାଲ ବର୍ଷେ ହେବ ଶୁଖିଲା ପଡ଼ିଥିଲା। ସ୍ଥାନୀୟ ଲୋକେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ନିରାଶ ହୋଇ ପଡ଼ିଥିଲେ। ତେବେ ଏ ସଂପର୍କରେ ୨୫ ତାରିଖରେ ସମ୍ବାଦ ମହାନଗର ପୃଷ୍ଠାରେ ‘ଉତ୍କଟ ହେଉଛି ପାଣି ସମସ୍ୟା’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଛି। ବିଭାଗ ପକ୍ଷରୁ ଏବେ କେନାଲ୍‌ରେ ପାଣି ଛଡ଼ା ଯାଇଛି। ଏ ନେଇ ସ୍ଥାନୀୟ ଲୋକେ ପାଣି ସମସ୍ୟାର ସମାଧାନ ନେଇ ସମ୍ବାଦ ନିକଟରେ କୃତଜ୍ଞତା ଜଣାଇଛନ୍ତି। ସୂଚନା ଥାଉକି ବାରଙ୍ଗ କେନାଲ୍‌ ଶାଖାରୁ ବାହାରିଥିବା ଦୟାେଓ୍ଵଷ୍ଟ କେନାଲ୍‌ରେ ମରାମତି କାର୍ଯ୍ୟ ଚାଲୁଥିବା ଦର୍ଶାଇ ଜଳସେଚନ ବିଭାଗ ଗତ ବର୍ଷ ୬ମାସ ଧରି କେନାଲରେ ପାଣି ଛାଡ଼ିନଥିଲା। ଏହା ପରେ ବିନା କାରଣରେ ୬ମାସ ପାଇଁ କେନାଲ୍‌ରେ ପାଣି ଛଡ଼ା ଯାଇନଥିଲା। ଫଳରେ ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ପାଣି ସମସ୍ୟା ଉତ୍କଟ ହୋଇଥିଲା। ନିକଟ ଚାଷ ଜମି ଶୁଖିଲା ହୋଇଯିବା ଫଳରେ ଚାଷକାର୍ଯ୍ୟ ଏକପ୍ରକାର ଠପ୍‌ ହୋଇ ଯାଇଥିଲା। ସେହିଭଳି କୂଅ ଓ ପୋଖରୀରେ ବି ପାଣି ଶୁଖି ଯାଇଥିଲା। ଏହି ସମସ୍ୟାକୁ ନେଇ ସ୍ଥାନୀୟ ସମାଜସେବୀ ସୁବାସ ପାତ୍ର ଓ ଦାଶରଥୀ ନାୟକ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପରେ ଏବେ ଜଳସେଚନ ବିଭାଗ ଦୟାେଓ୍ଵଷ୍ଟ କେନାଲ୍‌ରେ ପାଣି ଛାଡ଼ିଛି। ଯାହାକୁ ନେଇ ସ୍ଥାନୀୟ ଅଧିବାସୀ ପଟିଆ, କଳାଝରି, କଳାରାହାଙ୍ଗ, ରଙ୍ଗମାଟିଆ, ଗାଡ଼କଣ, ଚକେଇସିଆଣି, ମଞ୍ଚେଶ୍ୱର, ପଳାଶୁଣୀ ଓ ରସୁଲଗଡ଼ ଆଦି ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ସମ୍ବନ୍ଧିତ ଖବର