ଶୁଖିଲା ପଡ଼ିଛି ଦୟାୱେଷ୍ଟ କେନାଲ, ଉପକଣ୍ଠରେ ପା‌ଣି ପାଇଁ ହାହାକାର

ଡ୍ରେନ୍‌ ବନ୍ଦ ନକରି ପାଣି ଛାଡ଼ିଲେ ସମସ୍ୟା

ପୁରୁଣା ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀର ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ତେଣୁ ଗତ କିଛି ବର୍ଷ ହେଲା ଖରା ଦିନ ଆରମ୍ଭରୁ ରାଜଧାନୀରେ ପା‌ଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଛି। ଯେଉଁ ଅଞ୍ଚଳକୁ ପାଇପ୍‌ ଜଳ ଯୋଗାଣ ହେବା ବ୍ୟବସ୍ଥା ହୋଇନାହିଁ, ସେଠାରେ ଲୋକେ ଗ୍ରୀଷ୍ମ ଋତୁ ସାରା ଛଟପଟ ହେଉଛନ୍ତି। ଏଭଳି ସ୍ଥିତିରେ ଦୟାୱେଷ୍ଟ୍‌ କେନାଲ ଜଳ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଲୋକଙ୍କ ଜଳ ସମସ୍ୟାକୁ ବହୁ ମାତ୍ରାରେ ଲାଘବ କରୁଥିଲା। ମାତ୍ର ଏବେ ଏହି କେନାଲ ଶୁଖିଲା ପଡ଼ିଥିବାରୁ ଏହାର ପାଖାପାଖି ଅଞ୍ଚଳରେ ଉତ୍କଟ ଜଳ ସମସ୍ୟା ଲୋକଙ୍କୁ ଛଟପଟ କରୁଛି। ଏହି କେନାଲ ଶୁଖିଲା ପଡ଼ିଥିବାରୁ ନିକଟବର୍ତ୍ତୀ ଅଞ୍ଚଳର କୂଅ ପୋଖରୀ ଶୁଖି ଯାଉଛି। ଏମିତିକି ନଳକୂଅ ମଧ୍ୟ ପ୍ରଭାବିତ ହେଉଛି। ଅନ୍ୟ ପକ୍ଷରେ ଏହି କେନାଲରେ ରାଜଧାନୀର ନର୍ଦ୍ଦମା ଜଳ ବିପୁଳ ମାତ୍ରାରେ ମିଶୁଥିବାରୁ ସ୍ଥାନୀୟ ଅଞ୍ଚଳର କୂଅ ପୋଖରୀ ଜଳ ଦୂଷିତ ହେଉଛି। ତେଣୁ ଏହି କେନାଲରେ ପାଣି ନ ଛାଡ଼ିଲେ ବି ସମସ୍ୟା, ପାଣି ଛାଡ଼ିଲେ ବି ସମସ୍ୟା ସୃଷ୍ଟି ହେଉଛି।

କେନାଲ ମରାମତି ଭେଳିକି
କେନାଲ ଜଳକୁ ପ୍ରଦୂଷଣମୁକ୍ତ କରିବାକୁ ପ୍ରାଚୀ ଜଳସମ୍ପଦ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ପ୍ରାଥମିକ ପଦକ୍ଷେପ ସ୍ବରୂପ ଏଥିରୁ ଦଳ ସଫା କରିବା ପାଇଁ ଦୁଇଟି ଟେଣ୍ଡର ହୋଇଥିଲା। ୨୦୨୦ ଜୁଲାଇ ଶେଷ ସୁଦ୍ଧା କେନାଲରୁ ଦଳ କଢ଼ାଯିବା ପାଇଁ ଯୋଜନା ହୋଇଥିଲା। କଳାରାହାଙ୍ଗରୁ ଗ୍ୟାରେଜ୍‌ ଛକ ପର୍ଯ୍ୟନ୍ତ ଦଳ ସଫା ଲାଗି ୧୨ଲକ୍ଷ ୭୬ହଜାର ଟଙ୍କା ଖର୍ଚ୍ଚ କରାଯିବ ବୋଲି ପ୍ରାଚୀ ଜଳସମ୍ପଦ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଘ୍ନରାଜ ପୁରୋହିତ କହିଥିଲେ। ଦୟାୱେଷ୍ଟ୍‌ କେନାଲ ଦଳରେ ପୋତି ହୋଇପଡୁଥିବାରୁ ଏହାକୁ ପରିଷ୍କାର କରାଯିବ ବୋଲି ସେ କହିଥିଲେ। ତେବେ ଏହି ଯୋଜନା ସେମିତି ଅଧାରେ ରହିଗଲା। ସେହିପରି ୨୦୧୦ ମସିହାରେ ଏହି କେନାଲ ନବୀକରଣ ପାଇଁ ନାବାର୍ଡ ପକ୍ଷରୁ ଜଳସମ୍ପଦ ବିଭାଗକୁ ୧୦ କୋଟି ୩୭ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ପୂର୍ବତନ ସାଂସଦ ପ୍ରସନ୍ନ ପଟ୍ଟଶାଣୀ, ଏକାମ୍ର ବିଧାୟକ, ଜଟଣୀ ବିଧାୟକ ସ୍ଥାନୀୟ ଗ୍ୟାରେଜ୍ ଛକଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ କେନାଲର ମାତ୍ର ୮୫୪ ମିଟର ନବୀକରଣ ହେବା ପରେ କାମ ବନ୍ଦ ହୋଇଗଲା। ଅଧପନ୍ତରିଆ କାମ ବାବଦରେ ୧କୋଟି ୩୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ବାକି ଟଙ୍କା ନାର୍ବାଡକୁ ଫେରିଗଲା ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସେତେବେଳେ କୁହାଯାଇଥିଲା।

 

Telegraph India

ସବୁଠି କେନାଲକୁ ଛଡ଼ା ଯାଇଛି ଡ୍ରେନ୍ ପାଣି
ନରାଜ ମୁଣ୍ଡୁଳିଠାରୁ ବାହାରିଥିବା ଏହି କେନାଲର ମୋଟ ଦୈର୍ଘ୍ୟ ୩୨ କିଲୋମିଟର। ଏଥିରୁ ୧୨ କିଲୋମିଟର ଅଂଶ ରାଜଧାନୀ ଦେଇ ପ୍ରବାହିତ ହୋଇଛି। ପରିତାପର କଥା ହେଉଛି ରାଜଧାନୀ ଦେଇ ଯାଇଥିବା ସବୁ ସ୍ଥାନରେ ଏହି କେନାଲକୁ ଡ୍ରେନ୍ ପାଣି ସଂଯୋଗ ହୋଇଛି। କେନାଲ କଡ଼ରେ ଥିବା ଜନବସତିଗୁଡିକରୁ ଡ୍ରେନ୍ ପାଣି ଛଡ଼ା ଯାଇଛି। ବସ୍ତିରୁ ଆରମ୍ଭ କରି ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ସମସ୍ତେ ଡ୍ରେନ୍ ପାଣି କେନାଲକୁ ଛାଡ଼ିଛନ୍ତି। ପ୍ରାୟ ୮୦୦ରୁ ଅଧିକ ଛୋଟ ଡ୍ରେନ୍ ଓ ୫୦ରୁ ଅଧିକ ବଡ଼ ଡ୍ରେନ୍ ଏହି କେନାଲ ସହ ସଂଯୁକ୍ତ ହୋଇଛି। ଫଳରେ ଡ୍ରେନ୍‌ ଜଳ ପଶିବା ଯୋଗୁଁ କେନାଲ ଜଳ ଦୂଷିତ ହେଉଛି।

ପାଣି ଆସିଲେ ସମସ୍ୟା
ଏହି କେନାଲରେ ପାଣି ଚାଲିଲେ ମଧ୍ୟ ବଡ଼ ସମସ୍ୟା ସୃଷ୍ଟି ହେଉଛି ବୋଲି ଅଭିଯୋଗ ହେଉଛି। କେନାଲରେ ପାଣି ଆସିବା ମାତ୍ରେ ବ୍ୟାପକ ଅଞ୍ଚଳରେ ଭୂତଳଜଳ ସ୍ତର ବୃଦ୍ଧି ପାଏ। ଫଳରେ କୂଅ, ପୋଖରୀ ପାଣି ଖରା ଦିନେ ବି ହ୍ରାସ ପାଏ ନାହିଁ। କିନ୍ତୁ ଗତ କିଛି ବର୍ଷ ହେଲା ଦୟାୱେଷ୍ଟ୍‌ କେନାଲରେ ରାଜଧାନୀର ନର୍ଦ୍ଦମା ଜଳ ମିଶୁଛି। ଫଳରେ କେନାଲ୍‌ ଜଳ ଦୂଷିତ ହେବା ସହ ଝର ପାଣି ଯୋଗୁଁ କୂଅ, ପୋଖରୀ ଜଳ ବି ପ୍ରଦୂଷିତ ହେଉଛି। ତେଣୁ କେନାଲ ପାଖାପାଖି ଅଞ୍ଚଳରେ ଏହି ପ୍ରଦୂଷିତ ଜଳ ବ୍ୟବହାର କରି ଲୋକେ ଜଣ୍ଡିସ ଭଳି ରୋଗର ଶିକାର ହେଉଛନ୍ତି।

କେନାଲରେ ପାଣି ନ ଆସିଲେ ସମସ୍ୟା
ଏହି କେନାଲରେ ପାଣି ନ ଆସିଲେ, ତଳ ଅଞ୍ଚଳର ଚାଷ ପ୍ରଭାବିତ ହେଉଛି। ଜଟଣୀ ବ୍ଲକ୍‌ ପଞ୍ଚୁପଲ୍ଲୀ ପଞ୍ଚାୟତର ବ୍ୟାପକ ଅଞ୍ଚଳରେ ଚାଷ ବନ୍ଦ ହୋଇଯାଉଛି। ଏହି କାରଣରୁ ଗତ କିଛି ବର୍ଷ ହେଲା ବ୍ରହ୍ମକୁଣ୍ଡଳ, ପଞ୍ଚୁପଲ୍ଲୀ, ତୃତୀୟାପଡ଼ା, ସାନନୂଆଗାଁ ବେରୁଆଁ, ବାଇରଙ୍ଗ ଓ ରଥିପୁର ଆଦି ଅଞ୍ଚଳରେ ଖରାଦିନିଆ ଧାନ ଚାଷ କମି କମି ଯାଉଛି। ସେହିଭଳି ଏହି ସବୁ ଗାଁରେ କୂଅ, ପୋଖରୀ ମଧ୍ୟ ଶୁଖି ଯାଉଛି। ସେହିଭଳି ବିଏମ୍‌ସିର ୧୮ ନମ୍ବର ୱାର୍ଡଠାରୁ ଆରମ୍ଭ କରି ୬୭ ନମ୍ବର ୱାର୍ଡ ପର୍ଯ୍ୟନ୍ତ ଅଞ୍ଚଳରେ କୂଅ, ପୋଖରୀ ଓ ନଳକୂଅ ସବୁ ଶୁଖିଯାଉଛି। ବିଶେଷ କରି ୧୮, ୧୯, ୩୧, ୩୨, ୪୩, ୪୪, ୪୫, ୫୪, ୫୫, ୫୬, ୫୭, ୫୮, ୫୯, ୬୧, ୬୨ ଓ ୬୭ ନମ୍ବର ୱାର୍ଡ ଅଞ୍ଚଳରେ କୂଅ ପାଣି ଉପରେ ନିର୍ଭର କରୁଥିବା ଲୋକେ ହନ୍ତସନ୍ତ ହେଉଛନ୍ତି। ସୁନ୍ଦରପଦା, କପିଳପ୍ରସାଦ, ଆଜାଦନଗର, ଭୀମଟାଙ୍ଗି, ଶ୍ରୀରାମନଗର, ଗୌରୀନଗର, କପିଳେଶ୍ୱର, ଶାସନପଡ଼ିଆ, ବ୍ରହ୍ମେଶ୍ୱର ପାଟଣା, ବଡ଼ଗଡ଼, ଲକ୍ଷ୍ମୀସାଗର, ଝାରପଡ଼ା, ରସୁଲଗଡ଼ ଆଦି ଅଞ୍ଚଳରେ ଲୋକେ ପାଣି ପାଇଁ କଷ୍ଟ ପାଉଛନ୍ତି। ଏବେ କୂଅଗୁଡ଼ିକରେ ଅଳ୍ପ କିଛି ପାଣି ଅଛି। ଆଗକୁ ଖରା ବଢ଼ିବା ଦ୍ବାରା କୂଅ ସବୁ ଶୁଖିଯିବ ଓ ସମସ୍ୟା ଆହୁରି ବଢ଼ିବ। ସେତେବେଳେ ଲକ୍ଷ ଲକ୍ଷ ଲୋକ ରହୁଥିବା ଜନବସତିକୁ ସରକାର ଟ୍ୟାଙ୍କରରେ ପାଣି ଯୋଗାଇବା ମଧ୍ୟ ଅସମ୍ଭବ ହୋଇପଡ଼ିବ। ତେଣୁ ଦୟାୱେଷ୍ଟ୍‌ କେନାଲରେ ପାଣି ଛାଡ଼ି ଜଳ ସଂକଟ ଦୂର କରିବାକୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର