ବାଲିଅନ୍ତାରେ ଜଳ ସଂକଟ: ଶୁଖିଲା ପଡ଼ିଛି ନଦୀ, ନାଳ

ଲକ୍‌ଡାଉନ୍‌ଠାରୁ ବଳି ପଡ଼ିଲାଣି ଜଳକଷ୍ଟ

ବାଲିଅନ୍ତା: ରାଜ୍ୟରେ ସଂପ୍ରତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଭଳି ସ୍ଥିତିରେ ବାଲିଅନ୍ତା ବ୍ଲକର ବିଭିନ୍ନ ଗ୍ରାମ ଦେଇ ପ୍ରବାହିତ ନଦୀ ଓ ନାଳ ଏବେ ଶୁଖି ଯାଇଛି। ଗୋଟିଏ ପଟେ ନଦୀ ଓ ଶାଖା କେନାଲ ଶୁଖିଲା ପଡ଼ିଥିବା ବେଳେ କୂପ ଓ ନଳକୂପ ଜଳସ୍ତର ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଫଳରେ ନଳକୂପରୁ ଭଲ କରି ପାଣି ଟିକିଏ ବାହାରୁ ନାହିଁ। ସମଗ୍ର ବାଲିଅନ୍ତା ଅଞ୍ଚଳରେ ଶତାଧିକ ନଳକୂପ ଅଚଳ ହୋଇପଡ଼ିଛି। ଆଉ କିଛି ନଳକୂପର ଅବସ୍ଥା ଖରାପ। ବହୁ ବିଳମ୍ବରେ ସେଥିରୁ ପାଣି ବାହାରୁଛି। ସ୍ଥାନୀୟ ଲୋକ ଏ ସଂପର୍କରେ ଅଭିଯୋଗ କରିବା ସତ୍ତ୍ବେ ନଳକୂପ ମରାମତି ଦିଗରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।

ଅପରପକ୍ଷେ ପାନୀୟ ଜଳର ବିକଳ୍ପ ଉତ୍ସ ପାଇପ୍‌ ଲାଇନ୍‌ ଜଳଯୋଗାଣ ପ୍ରକଳ୍ପରୁ ସକାଳେ ଓ ସଂଧ୍ୟାରେ ୨ଘଣ୍ଟା ଲେଖାଏଁ ପାଣି ବିଭିନ୍ନ ଷ୍ଟାଣ୍ଡପୋଷ୍ଟକୁ ଯୋଗାଇ ଦିଆଯାଉଛି। କିନ୍ତୁ ତାହା ଲୋକଙ୍କ ଜଳକଷ୍ଟ ଦୂର କରିବାରେ ସହାୟକ ହେଉନାହିଁ। ଏଥିସହ ଧନୁଆ ନଦୀରେ ପାଣି ନଥିବାରୁ ଉପକୂଳବର୍ତ୍ତୀ ଗ୍ରାମମାନଙ୍କରେ ବର୍ତ୍ତମାନ ଘୋର ଜଳ ସଂକଟ ଦେଖାଦେଲାଣି। ଫଳରେ ଲକ୍‌ଡାଉନ୍ କଷ୍ଟଠାରୁ ବଳି ପଡ଼ିଛି ଏ ଅଞ୍ଚଳର ଜଳ ସମସ୍ୟା। ଏ ସଂପର୍କରେ ଅଞ୍ଚଳବାସୀ ସ୍ଥାନୀୟ ଜଳସେଚନ ବିଭାଗ କର୍ତୃପକ୍ଷଙ୍କୁ ବହୁବାର ଅବଗତ କରାଇଥିଲେ ହେଁ ବିଭିନ୍ନ ନଦୀ ଓ ଶାଖା କେନାଲମାନଙ୍କରେ ଜଳଯୋଗାଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ବ୍ଲକ ଅଧୀନ ବୋଧଖଣ୍ଡି ଗ୍ରାମର ବେନା ବେହରାଙ୍କ ସୂଚନାନୁସାରେ, ଦୀର୍ଘ ଦିନ ହେଲା ଧନୁଆ ଶୁଖିଲା ପଡ଼ିଛି। ନଦୀରେ ଆନିକଟ ନିର୍ମାଣ ହେଲେ ଏଠାରେ ବର୍ଷାଦିନ ପର୍ଯ୍ୟନ୍ତ ପାଣିର ଅଭାବ ରହନ୍ତା ନାହିଁ। ଧନୁଆର ଯେଉଁ କିଛି ସ୍ଥାନରେ ଅଳ୍ପ ପାଣି ରହିଛି, ସେଠାରେ ମଣିଷ ଓ ଗୃହପାଳିତ ପଶୁ ଏକାଠି ଗାଧୋଇବାକୁ ବାଧ୍ୟ ହେଉଛନ୍ତି। ଏହାଛଡ଼ା ପାଣି ପ୍ରଦୂଷିତ ହୋଇଯାଇଛି। ନଦୀରେ ଚିଙ୍ଗୁଡ଼ିଆ ଦଳ ଓ ଘାସ ଭର୍ତ୍ତି ହୋଇଛି। ଦୂଷିତ ଜଳରେ ସ୍ନାନ, ଶୌଚ ହେବା ଦ୍ବାରା ଲୋକମାନେ ବିଭିନ୍ନ ଜଳବାହିତ ରୋଗରେ ପୀଡ଼ିତ ହେଉଛନ୍ତି। ବିଶେଷକରି ଲୋକେ କାଛୁ, କୁଣ୍ଡିଆ ଭଳି ଚର୍ମରୋଗରେ ଆକ୍ରାନ୍ତ ହେଉଥିବା ବାଲିଗୁଣ୍ଡି ଗ୍ରାମର ଜଣେ ବୟସ୍କ ବ୍ୟକ୍ତି ଜଣାଇଛନ୍ତି। ଅନୁରୂପ ଭାବେ ପାଖ ବ୍ଲକ ଅଞ୍ଚଳରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି। ଏ ଦିଗରେ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର