ବାଲିପାଟଣା : ଗାଁ ମୁଣ୍ଡରେ ଯାଇଛି ବସୁଧା ଜଳଯୋଗାଣ ପ୍ରକଳ୍ପ ପାଇପ୍। କିନ୍ତୁ ଗାଁ ଲୋକେ ପ୍ରତିଦିନ ଅଧ କିଲୋମିଟର ବାଟ ନ ଧାଇଁଲେ, ପିଇବା ପାଣି ପାଉ ନାହାନ୍ତି। ଗାଁରେ ଥିବା ଦୁଇଟି ନଳକୂଅ ବି ଏକପ୍ରକାର ଅଚଳ। ଗୋଟିକରୁ ଲୌହଗୁଣ୍ଡ ମିଶା ପାଣି ବାହାରୁ ଥିବାରୁ ବ୍ୟବହାର ହେଉନାହିଁ। ଅନ୍ୟଟିରୁ ପାଣି ବାହାରୁନାହିଁ। ଏହା ହେଉଛି ବାଲିପାଟଣା ନରଦା ବେହେରା ସାହି ବାସିନ୍ଦାଙ୍କ ଅବସ୍ଥା। ଗାଁ ମୁଣ୍ଡ ଦେଇ ଯାଇଥିବା ପାଣି ପାଇପ୍ରୁ ଦୂର ଗାଁ ଲୋକେ ପାଣି ପାଉଛନ୍ତ, ଅଥଚ ନରଦା ଗାଁର ଦେଢ଼ଶହରୁ ଅଧିକ ଲୋକ ପାଣି ପାଇଁ ଅଧ କିଲୋମିଟର ଧାଉଁଛନ୍ତି।
ସୂଚନାନୁସାରେ, ବାଲିପାଟଣା ବ୍ଲକ୍ ତୁରିନ୍ତିରା ପଞ୍ଚାୟତରେ ରହିଛି ଏହି ଛୋଟ ଗାଁଟି। ୨୦ଟି ପରିବାରରେ ପ୍ରାୟ ଦେଢ଼ ଶହ ଲୋକ ବସବାସ କରନ୍ତି। ବହୁ ଦିନ ପୂର୍ବରୁ ଏଠାରେ ଏକ ଷ୍ଟାର୍ ନଳକୂପ ବସା ଯାଇଥିଲା। ୮୦ଫୁଟ୍ ଗଭୀରର ଏହି ନଳକୂପରୁ ଭଲ ପାଣି ବାହାରୁଥିଲା। ମାତ୍ର କିଛି ଦିନ ପରେ ସମସ୍ୟା ଦେଖାଦେଲା। ଜଳସ୍ତର ହ୍ରାସ ପାଇବାରୁ ଏଥିରୁ ପାଣି ବାହାରିଲା ନାହିଁ। ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ ପୁଣି ଏକ ନଳକୂପ ବସିଲା। କିନ୍ତୁ ସେଥିରୁ ଲୁହା ମିଶା ପାଣି ବାହାରିଲା। ସେ ପାଣି କିଛି ସମୟ ରହିଲେ ଦୁର୍ଗନ୍ଧ ବାହାରୁଛି। ସେଥିରେ ଲୁଗାପଟା ମଧ୍ୟ ସଫା କରି ହେଉନାହିଁ। ଖରାଦିନ ପୂର୍ବରୁ ଗାଁ ଲୋକେ ସାଧାରଣ କୂଅ ଓ ପୋଖରୀରୁ ପାଣି ନେଇ ଚଳୁଥିଲେ। କିନ୍ତୁ ଏବେ କୂଅପୋଖରୀ ଶୁଖି ଗଲାଣି। ତେଣୁ ଭଲ ପିଇବା ପାଣି ପାଇଁ ମହିଳାମାନେ ଅଧ କିଲୋମିଟର ଦୂରକୁ ଯାଉଛନ୍ତି।
ଏହି ଗାଁଠାରୁ ମାତ୍ର ଅଳ୍ପ କିଛି ଦୂରରେ ଘୁଷୁରି ପଡ଼ିଆରେ ବସୁଧା ପାନୀୟ ଜଳ ପ୍ରକଳ୍ପ ବସିଛି। ଗାଁ ମୁଣ୍ଡ ଦେଇ ଅନ୍ୟ ଗାଁକୁ ପାଇପ୍ ଯୋଗେ ପାଣି ଯାଉଛି। ହେଲେ ନରଦା ବେହେରାସାହି ଏହି ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି। ବ୍ଲକ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ସୁଚିତ୍ରା ସେନ୍ଙ୍କ ସୂଚନାନୁସାରେ, ଅଭିଯୋଗ ପାଇବା ପରେ ଗାଁକୁ କର୍ମଚାରୀ ପଠାଇ ତଦନ୍ତ କରାଯାଇଛି। ଷ୍ଟାର୍ ନଳକୂପ ଓ ଅନ୍ୟ ନଳକୂପ ସମସ୍ୟା ବାବଦରେ ତଥ୍ୟ ସଂଗ୍ରହ କରାଯାଇଛି। ତେବେ ତାଙ୍କ କହିବା କଥା ଗାଁକୁ ସ୍ବଜଳ ଧାରା ପାଣି ପାଇପ୍ ପଡ଼ିଥିଲା। କିନ୍ତୁ ରାସ୍ତା କାମ ବେଳେ ଠିକାଦାର ନଷ୍ଟ କରିଦେଲେ। ତେଣୁ ପୁଣିଥରେ ପାଇପ୍ ସଂଯୋଗ ଦେବାକୁ ବ୍ୟବସ୍ଥା କରାଯାଉଛି ଓ ଖୁବ୍ ଶୀଘ୍ର ନରଦା ବେହେରା ସାହି ସମସ୍ୟା ସମାଧାନ ହେବ ବୋଲି ସେ କହିଛନ୍ତି।