ପୁରୁଣା ଭୁବନେଶ୍ବରରେ ପାଣି ପାଇଁ ହାହାକାର, ଖଣ୍ଡୁଆଳ ବସ୍ତିରେ ମୁଣ୍ଡପିଛା ଏକ ଲିଟର

ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱରର ବହୁ ଅଞ୍ଚଳରେ ପାଣି ପାଇଁ ହାହାକାର ଅବସ୍ଥା ସୃଷ୍ଟି ହେଲାଣି। ଟିକରପଡ଼ା ହୁଡ଼ା ସାହି, ଖଣ୍ଡୁଆଳ ସାହି ଓ ବଡ଼ ଭୋଇସାହିରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଟିକରପଡ଼ା ହୁଡ଼ା ସାହିକୁ ପାନୀୟ ଜଳ ଯୋଗାଣ ହୋଇପାରୁ ନଥିବା ବେଳେ ଖଣ୍ଡୁଆଳ ବସ୍ତିକୁ ମୁଣ୍ଡ ପିଛା ଏକ ଲିଟର ହିସାବରେ ପାଣି ମିଳୁଛି ବୋଲି ଅଭିଯୋଗ ହେଉଛି। ସେହିଭଳି ବଡ଼ ଭୋଇସାହିରେ ପାଇପ୍ ଫାଟି ଯାଇଥିଲେ ମଧ୍ୟ ମରାମତି ହେଉ ନଥିବାରୁ ଲୋକେ ପାଣି ନପାଇ ବଡ଼ ଡହଳବିକଳ ହେଉଛନ୍ତି।

ଖଣ୍ଡୁଆଳ ବସ୍ତିରେ ରହୁଛନ୍ତି ପ୍ରାୟ ୮୦ ପରିବାର। ଏଠାରେ ବହୁ ଦିନ ଧରି ପାଣି ସମସ୍ୟା ଲାଗି ରହିଛି। କିଛି ଦିନ ତଳେ ‘ସମ୍ବାଦ’ରେ ଏନେଇ ଖବର ବାହାରିବା ପରେ ଖଣ୍ଡୁଆଳ ବସ୍ତିକୁ ପାଇପ୍‌ ସଂଯୋଗ କରି ପାଣି ଯୋଗାଇ ଦିଆଯାଇଥିଲା। ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ପାଇଁ ଏଠାକୁ ବହୁ କମ୍ ସମୟ ଜଳ ଯୋଗାଣ ହେଉଛି। ଫଳରେ ମୁଣ୍ଡପିଛା ମାତ୍ର ଗୋଟିଏ ଲିଟର ଜଳ ମିଳୁଛି ବୋଲି ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ତେବେ କିଛି ଲୋକ ମଟର ଲଗାଇ ପାଣି ଟାଣି ନେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କିଛି ପଦକ୍ଷେପ ନେଉ ନାହାନ୍ତି। ବିଜୁଳି ସ୍ବାଇଁଙ୍କ ଅଭିଯୋଗ ଅନୁସାରେ, ବିଭାଗୀୟ ଅଧିକାରୀମାନଙ୍କୁ କମ୍‌ ଜଳଯୋଗାଣ ଓ ମଟର ବ୍ୟବହାର ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହାକୁ ବନ୍ଦ କରିବା ପାଇଁ କିଛି ଠୋସ୍ ପଦ‌କ୍ଷେପ ନିଆଯାଉନାହିଁ। ଏନେଇ ମଧ୍ୟ ସାହିବାସିନ୍ଦା ଏୟାର୍‌ଫିଲଡ୍‌ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ତାହା ବି କିଛି କାମରେ ଆସିଲା ନାହିଁ। ସେହିଭଳି ଟିକରପଡା ହୁଡାସାହିରୁ ମିଳିଥିବା ଅଭିଯୋଗ ଅନୁସାରେ, ପ୍ରାୟ ୫୦ ପରିବାର ଏହି ସାହିରେ ରହୁଛନ୍ତି। ଏଠାରେ ପାଣି ପାଇପ୍‌ ଭାଙ୍ଗି ଯାଇଛି। ୨ବର୍ଷ ହେଲା ମରାମତି ହୋଇପାରୁନାହିଁ। ‌ତେଣୁ ସେମାନେ ୨ବର୍ଷ ହେଲା ପାନୀୟ ଜଳଯୋଗାଣରୁ ବଞ୍ଚିତ ହୋଇ ଆସୁଛନ୍ତି। ଏନେଇ ସେମାନେ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ ବୋଲି ଟିକରପଡ଼ା ହୁଡ଼ା ସାହିର କାଳନ୍ଦୀ ଭୋଇ ଓ ଶାନ୍ତି ବେହେରା କହିଛନ୍ତି। ସେହିଭଳି ବର୍ଷେ ହେଲା ପାଣି ପାଇଁ ହଇରାଣ ହେଉଛନ୍ତି ବଡ଼ ଭୋଇ ବସ୍ତି ବାସିନ୍ଦା। ଏଠାରେ ମଧ୍ୟ ପାଣି ପାଇପ୍‌ ଫାଟି ଯାଇଥିବାରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଗତ ମାସରେ ‘ସମ୍ବାଦ’ରେ ଏନେଇ ଖବର ବାହାରିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ବସ୍ତିକୁ ଆସିଥିଲେ ଓ ଖୁବ୍‌ ଶୀଘ୍ର ପାଇପ୍‌ ମରାମତି କରାଇ ପାଣି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାଏ ପାଇପ୍‌ ମରାମତି ହୋଇପାରିନାହିଁ। ବିଭାଗୀୟ ଅଧିକାରୀମାନଙ୍କ ଏଭଳି ବୈମାତୃକ ମନୋଭାବ ଏବେ ବସ୍ତିବାସିନ୍ଦାଙ୍କ ଅସନ୍ତୋଷର କାରଣ ପାଲଟିଛି। ତେଣୁ ସେମାନେ ଏକାଠି ବିଭାଗୀୟ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର