ଆଜି ବିଶ୍ବ ଜଳ ଦିବସ : ଭୂତଳ ଜଳସ୍ତର ତଳକୁ ତଳକୁ, ମାଡ଼ିଆସୁଛି ଜଳ ସଂକଟ

ଆପାର୍ଟମେଣ୍ଟ୍‌ ଟାଣୁଛି, ଲୋକେ ପାଉନାହାନ୍ତି
ବୋରୱେଲ୍‌ରୁ ବାହାରୁଛି ପଙ୍କୁଆ ଓ ନାଲି ପାଣି

ଭୁବନେଶ୍ୱର,(କେଶବ ପାଣି): ଭୁବନେଶ୍ବରକୁ ମାଡ଼ି ଆସୁଛି ଜଳ ସଂକଟ। ଦୁଇ ପାର୍ଶ୍ବରେ ଥିବା କୁଆଖାଇ ଓ ଦୟା ନଦୀ ଏବେ ଶୁଖିଲା ପଡ଼ିଛି। ଜଳାଶୟ, ପୋଖରୀ କଥା ନ କହିବା ଭଲ। କେଉଁଠି ମାଟି ଫାଟି ଆଁ କରିଛି ତ ଆଉ କେଉଁଠି ଦଳ ଭର୍ତ୍ତି। କେନାଲରେ ବି ପାଣି ନାହିଁ। ଖରା ଆରମ୍ଭରୁ ସହରର ସ୍ଥିତି ଏମିତି ହେଲାଣି ଯେ ଲାଇଫ୍‌ଲାଇନ୍‌ କୁହାଯାଉଥିବା କୁଆଖାଇରେ ବାଲିବନ୍ଧ କରାଯାଇ ପିଇବା ପାଣି ଯୋଗାଣ ହେଉଛି। ଭୂତଳ ଜଳସ୍ତର ବି କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ନିୟମିତ ବର୍ଷା ହେଉ ନ ଥିବାରୁ ଗ୍ରାଉଣ୍ଡ ୱାଟର ରିଚାର୍ଜ ବି ହୋଇପାରୁ ନାହିଁ। ଯେଉଁଥିପାଇଁ ଆଗକୁ ଭୟଙ୍କର ସ୍ଥିତି ଉପୁଜିବାର ଆଶଙ୍କା ସୃଷ୍ଟି ହୋଇଛି।

ତଥ୍ୟ ଅନୁଯାୟୀ ୨୦୦୭ରୁ ୨୦୧୧ ମଧ୍ୟରେ ସହରର ପ୍ରମୁଖ ଅଞ୍ଚଳରେ ଭୂତଳ ଜଳସ୍ତର ଗୋଟିଏ ମିଟର ହ୍ରାସ ପାଇଥିଲା। ତେବେ ଗତ ଏକ ଦଶନ୍ଧି ଭିତରେ ସହରର ଜନସଂଖ୍ୟା ବୃଦ୍ଧି ପାଇଛି। ୨୦୧୧ ବେଳକୁ ସହରରେ ୧୦ ଲକ୍ଷ ଲୋକ ବସବାସ କରୁଥିବା ବେଳେ ଏବେ ସହରର ଲୋକ ସଂଖ୍ୟା ୧୫ ଲକ୍ଷ ଉପରକୁ ଚାଲିଗଲାଣି। ତେ‌ଣୁ ଲୋକଙ୍କ ଆବଶ୍ୟକତା ବଢ଼ୁଥିବାରୁ ଜଳ ସଂକଟ ବି ପରିଲକ୍ଷିତ ହୋଇଛି। ଭୂତଳ ଜଳସ୍ତର ପ୍ରାୟ ୫ ମିଟର କମିଛି। ଭୁବନେଶ୍ୱର ଉପକଣ୍ଠରେ ବି ସମାନ ସ୍ଥିତି ପରିଲକ୍ଷିତ ହୋଇଛି। ଗତ ୧୫ ବର୍ଷ ମଧ୍ୟରେ କିଛି ସ୍ଥାନରେ ୮ମିଟର ପର୍ଯ୍ୟନ୍ତ ଜଳସ୍ତର ହ୍ରାସ ପାଇଛି। ଶିଳ୍ପ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରୋଇ କ୍ଷେତ୍ରରେ ଜଳର ବ୍ୟବହାର ଦିନକୁ ଦିନ ବଢୁଥିବା ବେଳେ ବିପୁଳ ପରିମାଣର ଜଳ ଅପଚୟ ଦ୍ବାରା ଏଭଳି ସ୍ଥିତି ଉପୁଜିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଭୁବନେଶ୍ୱରରେ ପ୍ରାୟ ୪୨୨ ମିଲିୟନ ଲିଟର ପାଣିର ଆବଶ୍ୟକତା ରହିଛି। ଏଭଳିସ୍ଥଳେ ଭୂତଳ ଜଳ ଦୈନିକ ୧୨୨ ମିଲିୟନ ଲିଟର ଯୋଗାଇପାରିବ। ଯାହାକି ୨୦୧୦ରେ ଦୈନିକ ଆବଶ୍ୟକତା ୨୦୬ ମିଲିୟନ ଲିଟର ରହିଥିଲା। ତେବେ ୧୧ବର୍ଷ ମଧ୍ୟରେ ସହରର ଜଳ ଆବଶ୍ୟକତା ଦୁଇ ଗୁଣାରୁ ଊର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ଜଳ ସଂରକ୍ଷଣ କ୍ଷେତ୍ରରେ ଭୁବନେଶ୍ବର ବହୁ ପଛରେ ପଡ଼ିଛି। ସହର ଓ ଏହାର ଉପକଣ୍ଠରେ ଏବେ ପ୍ରାୟ ଦେଢ଼ ହଜାର ଛୋଟ ବଡ଼ ଆପାର୍ଟମେଣ୍ଟ ରହିଛି। ଉକ୍ତ ଆପାର୍ଟମେଣ୍ଟଗୁଡ଼ିକରେ ଭୂତଳ ଜଳକୁ ମନଇଚ୍ଛା ବ୍ୟବହାର କରୁଛନ୍ତି। ଗୋଟିଏ ଗୋଟିଏ ଆପାର୍ଟମେଣ୍ଟରେ ୩ରୁ ୪ଟି ବୋରୱେଲ୍‌ ଖୋଳାଯାଇ ଲୋକଙ୍କ ପାଇଁ ଜଳ ଯୋଗାଣ ହେଉଛି। ଭୂତଳ ଜଳର ବ୍ୟବହାରକୁ ନେଇ କୌଣସି ନୀତିନିୟମ ନ ଥିବାରୁ ଜଳ ଅପଚୟ ବି ବୃଦ୍ଧି ପାଉଛି। ଏମିତିକି ବଡ଼ ବଡ଼ ଆପାର୍ଟମେଣ୍ଟରେ ଦେଢ଼ ହଜାରରୁ ଅଧିକ ଲୋକ ରହୁଥିବାରୁ ସେମାନଙ୍କ ଲାଗି ଅଧିକ ବୋରୱେଲ୍‌ ଖୋଲାଯାଇ ଜଳ ଯୋଗାଣ କରାଯାଉଛି।

ସହରର ତାପମାତ୍ରା ବଢୁଥିବାରୁ ତାହାର ସିଧାସଳଖ ପ୍ରଭାବ ଭୂତଳ ଜଳ ଉପରେ ପଡ଼ୁଛି। ନିୟମିତ ବର୍ଷା ହେଉ ନ ଥିବାରୁ ଗ୍ରାଉଣ୍ଡ ଓ୍ବାଟର ରିଚାର୍ଜ ବି ବହୁ ପରିମାଣରେ କମିଯାଇଛି। ଜଳାଶୟଗୁଡ଼ିକୁ ପୋତାଯାଇ କଂକ୍ରିଟ୍‌ ଜଙ୍ଗଲ ସୃଷ୍ଟି କରାଯାଉଛି। ବଡ଼ ବଡ଼ ଅଟ୍ଟାଳିକା ତିଆରି କରାଯାଉଛି। ବର୍ଷକର ୩୦ପ୍ରତିଶତ ବର୍ଷା ଗୋଟିଏ ଦିନରେ ହୋଇଯାଉଥିବାରୁ ବର୍ଷାଜଳ ଭୂତଳକୁ ଯିବା ସମ୍ଭବ ହେଉ ନ ଥିବା ପାଣିପାଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଭୂତଳ ଜଳସ୍ତର କମିବା ଦ୍ବାରା ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ବର, ବଡ଼ଗଡ଼, ରସୁଲଗଡ଼, ଖଣ୍ଡଗିରି ଅଞ୍ଚଳରେ ସ୍ଥିତି ସଙ୍ଗିନ ହୋଇଛି। କେଉଁଠି ବୋରୱେଲ୍‌ରୁ ନାଲି ପାଣି ବାହାରୁଛି ତ ଆଉ କେଉଁଟି ଗୋଳିଆ ପାଣି। କେତେକ ସ୍ଥାନରେ ପଙ୍କୁଆ ପାଣି ବାହାରୁଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଶେଷଜ୍ଞ ସରୋଜ ମଲ୍ଲଙ୍କ ମତରେ ସହରର ଜନସଂଖ୍ୟା ବୃଦ୍ଧି ସହ ଆକାଶଛୁଆଁ ଅଟ୍ଟାଳିକା ଗଢ଼ି ଉଠୁଛି। ଜଙ୍ଗଲ କଟାଯାଇ ନୂଆ ନୂଆ ବସତି ସ୍ଥାପନ ହେଉଛି। ଲୋକେ ପାନୀୟ ଜଳ ଓ ଦୈନନ୍ଦିନ କାର୍ଯ୍ୟ ପାଇଁ ଭୂତଳ ଜଳ ଉପ‌ରେ ନିର୍ଭର କରୁଥିବାରୁ ଭୂତଳ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ହାଇଲେବୁଲ୍‌ ବୋରିଂ ଦ୍ବାରା ଭୂତଳ ଜଳ ଉତ୍ତୋଳନ ହେତୁ ଜଳସ୍ତର ସଂଘାତିକ ଭାବେ କମୁଛି। ଜଳ ସମ୍ପଦ ବିଭାଗ ତଥ୍ୟ କହୁଛି ୨୦୦୯ରୁ ୨୦୧୭ ଭିତରେ ରାଜ୍ୟରେ ଭୂତଳ ଜଳସ୍ତର ୬.୭୧ ପ୍ରତିଶତ ହ୍ରାସ ପାଇଛି। ପ୍ରାକ୍ ମୌସୁମୀ ସମୟରେ ସହରର ବିଭିନ୍ନ ସ୍ଥାନରେ ନଳକୂପର ଜଳସ୍ତର ସର୍ବନିମ୍ନ ୧.୨୨ ମିଟର ଓ ସର୍ବାଧିକ ୧୧.୩୦ ମିଟର ତଳକୁ ଖସୁଥିବାବେଳେ ହାରାହାରି ଭାବେ ୪.୭୭ ମିଟର ତଳକୁ ଖସୁଛି। ମୌସୁମୀ ପରବର୍ତ୍ତୀ ସମୟରେ ଜଳସ୍ତର ସର୍ବନିମ୍ନ ୧.୦୮ ମିଟର ଏବଂ ସର୍ବାଧିକ ୯.୦୨ ମିଟର ଏବଂ ହାରାହାରି ୪.୩୮ ତଳକୁ ଖସୁଛି। ଏହାକୁ ନଜରରେ ରଖି ଏବେଠାରୁ ଭବିଷ୍ୟତ ଲାଗି ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର