ବାଲିଅନ୍ତା : ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ପ୍ରକଳ୍ପରେ ବୈଷୟିକ ତ୍ରୁଟି ଯୋଗୁଁ ସ୍ଥାନୀୟ ବିଶୁନିଆପଡ଼ାରେ ଜଳ ସଂକଟ ସମସ୍ୟା ଦେଖାଦେଇଛି। ଲୋକମାନଙ୍କର ଆବଶ୍ୟକତା ଅନୁଯାୟୀ ଓଭରହେଡ୍ ଟାଙ୍କିରୁ ଷ୍ଟାଣ୍ଡପୋଷ୍ଟକୁ ପାଣି ଯୋଗାଣ ପର୍ଯ୍ୟାପ୍ତ ହେଉନାହିଁ। ଷ୍ଟାଣ୍ଡପୋଷ୍ଟରୁ ଧୀରେଧୀରେ ପାଣି ବାହାରୁ ଥିବାରୁ ଦୀର୍ଘ ସମୟ ପରେ ମଧ୍ୟ ଗରା, ବାଲତି ପୂରୁନି। ତେଣୁ ପାଣି ନେବା ପାଇଁ ଷ୍ଟାଣ୍ଡପୋଷ୍ଟ ଓ ଗାଁରେ ଥିବା ନଳକୂପ ନିକଟରେ ଗ୍ରାମବାସୀଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଲାଗୁଛି। ମହିଳା, ପିଲା ଓ ଯୁବତୀ ପାଣି ନେବା ପାଇଁ ଧାଡ଼ି ବାନ୍ଧି ଠିଆ ହେଉଥିବାରୁ ଗାଁ ରାସ୍ତା ଅବରୋଧ ଭଳି ସମସ୍ୟା ସୃଷ୍ଟି ହେଉଛି। ଅପରପକ୍ଷେ କିଛି ଷ୍ଟାଣ୍ଡପୋଷ୍ଟ ଓ ଏହା ଚାରିକଡ଼ରେ ନିର୍ମାଣ କରାଯାଇଥିବା ଚାନ୍ଦିନୀର ଚିହ୍ନବର୍ଣ୍ଣ ନଥିବା ବେଳେ ଆଉ କିଛି ଷ୍ଟାଣ୍ଡପୋଷ୍ଟକୁ ପାଣି ପହଞ୍ଚୁନି। ଏହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।
ପାଇପ୍ ଯୋଗେ ଜଳ ଯୋଗାଣ ସମସ୍ୟାଠାରୁ ବଳି ପଡ଼ିଛି ଅଚଳ ନଳକୂପ ମରାମତି ନହେବା ସମସ୍ୟା। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଜଳସ୍ତର ହ୍ରାସ ପାଉଥିବାରୁ ବହୁବାର ନଳକୂପ ହ୍ୟାଣ୍ଡେଲ ବାଡ଼େଇବା ପରେ ପାଣି ବାହାରୁଛି। ତେବେ ସେଥିରୁ ଏତେ ପାଣି ବାହାରୁଛି ଯେ ଅଧଘଣ୍ଟାଏ କାଳ ହ୍ୟାଣ୍ଡେଲ ସହ କସରତ କରିବା ପରେ ବି ବାଲତି, ଗରା ପୂରୁନି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇଦେବା ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ୧ ଲକ୍ଷ କ୍ଷମତା ବିଶିଷ୍ଟ ଓଭରହେଡ୍ କଂକ୍ରିଟ୍ ଟାଙ୍କି ନିର୍ମାଣ କରାଯାଇଥିଲା। ସେହିପରି ବୋରୱେଲ୍ରୁ ପାଣି ବିଶୁଦ୍ଧୀକରଣ ପାଇଁ ନିକଟରେ ଲୌହ ଦୂରୀକରଣ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। କିନ୍ତୁ ଏହା ସତ୍ତ୍ବେ ବୋରୱେଲରୁ କମ୍ ପାଣି ବାହାରୁଛି। ତେଣୁ ପାଖରେ ସମ୍ପରୁ ମଟର ଯୋଗେ ଓଭରହେଡ୍ ଟାଙ୍କିକୁ ପାଣି ଯୋଗାଣ କରାଯାଉଛି।
ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏତେ ସବୁ ବ୍ୟବସ୍ଥା କରାଯାଇଥିବା ସତ୍ତ୍ବେ ତାହା ଲୋକଙ୍କର ପାନୀୟ ଜଳ ସମସ୍ୟା ଦୂର କରିପାରୁନାହିଁ। ତେଣୁ ଯେଉଁ ଉଦ୍ଦେଶ୍ୟ ନେଇ ଏଠାରେ ପ୍ରକଳ୍ପ ନିର୍ମାଣ କରାଯାଇଥିଲା, ତାହା ଫେଲ ମାରିଥିବା କୁହାଯାଉଛି।
ପାଣି ଯୋଗାଣ ଦାୟିତ୍ବରେ ଥିବା ନିୟମିତ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ବୋରୱେଲରେ ୫ ଏଚ୍ପି ମଟର ଯୋଗେ ପାଣି ଉଠାଯାଉଥିବାରୁ ଓଭରହେଡ୍ ଟାଙ୍କିକୁ ପାଣି ଯୋଗାଣରେ ବିଳମ୍ବ ହେଉଛି। ୧୦ ଏଚ୍ପି ମଟର ସଂଯୋଗ ପାଇଁ ବ୍ୟୟ ଅଟକଳ କରାଯାଇଛି। ୧୦ ଏଚ୍ପି ମଟରରୁ ମାଟି ତଳେ ବିଛାଯାଇଥିବା ୪ ଇଞ୍ଚିଆ ପାଇପ୍ ବଦଳାଇ ୬ ଇଞ୍ଚିଆ ପାଇପ୍ ଯୋଡ଼ାଯିବା ପାଇଁ ସ୍ଥିର ହୋଇଛି। ଟେଣ୍ଡର୍ ସରିଥିଲେ ହେଁ ଠିକାଦାର କାମ ଆରମ୍ଭ କରିବରେ ବିଳମ୍ବ କରୁଛି। ଫଳରେ ବିଶୁନିଆପଡ଼ା, ବାରୁଦଖାନା, ମହାନ୍ତି ସାହି, ବାଲିଆମାଳ ଆଦି ଗ୍ରାମର ପାଖାପାଖି ୨ହଜାର ପରିବାର ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏ ଦିଗରେ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।