ଭୁବନେଶ୍ବର : ରାଜଧାନୀରେ ୨୪ ଘଣ୍ଟିଆ ପାଣି ଯୋଗାଣ ପାଇଁ ୱାଟ୍କୋ (ଜଳ ନିଗମ) ଲମ୍ବା ଚଉଡ଼ା ଯୋଜନା କରିଛି। କିଛି ଅଞ୍ଚଳରେ ବି ୨୪ ଘଣ୍ଟା ପାଣି ଯୋଗାଣ ହେଲାଣି। ହେଲେ ରାଜଧାନୀକୁ ପାଣି ଯୋଗାଣ ପାଇଁ ଥିବା ଜଳ ଉତ୍ସକୁ ଦେଖିଲେ ୱାଟ୍କୋ କେତେ ସଫଳ ହେବ, ସେ ନେଇ ପ୍ରଶ୍ନ ଉଠୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ମହାନଦୀ ପାଣି ଏବଂ ଶାଖା ନଦୀକୁ ନିର୍ଭର କରି ଜଳ ଯୋଗାଣ ହେଉଥିବା ବେଳେ ଶୁଖିଲା ମହାନଦୀରୁ ପାଣି ଯୋଗାଣ ଏବେ ସୁଦ୍ଧା ସମସ୍ୟା ପାଲଟିନି। କିନ୍ତୁ ମହାନଦୀରୁ ବାହାରିଥିବା କାଠଯୋଡ଼ି ଏବଂ କାଠଯୋଡ଼ିରୁ ବାହାରିଥିବା କୁଆଖାଇ ଓ ଦୟାରୁ ପାଣି ଯୋଗାଣ ଚିନ୍ତାର ବିଷୟ ପାଲଟିଛି। ରାଜଧାନୀର ପ୍ରାୟ ସମସ୍ତ ସ୍ଥାନକୁ ପାଇପ୍ ଯୋଗେ ପାଣି ଯୋଗାଣ ହେଉଥିଲେ ହେଁ ଅଧିକାଂଶ ସ୍ଥାନରେ ଏବେ ବି ଦିନକୁ ମାତ୍ର ଘଣ୍ଟାଏରୁ ଦୁଇଘଣ୍ଟା ଜଳ ଯୋଗାଣ ହେଉଛି। ତେଣୁ ପରବର୍ଦ୍ଧିତ ଭୁବନେଶ୍ବରକୁ ପାଣି ଯୋଗାଣ ହେଲେ ସମସ୍ୟା ସୃଷ୍ଟି ହୋଇପାରେ। ପାଣି ଯୋଗାଣ ବ୍ୟବସ୍ଥାକୁ ଦେଖିଲେ ପ୍ରଶ୍ନ ଉଠୁଛି, ରାଜଧାନୀରେ ଦେଖାଯାଉଥିବା ଜଳ ସଂକଟ ପାଇଁ ପ୍ରକୃତରେ ଦାୟୀ କିଏ? ସହର ଭିତରେ ପାଣି ଯୋଗାଣ କରୁଥିବା ସଂସ୍ଥା ୱାଟ୍କୋ ନା ନଦୀରେ ଯେପରି ବର୍ଷତମାମ୍ ପାଣି ବହିବ ଓ ଜଳ ସଂରକ୍ଷିତ ହୋଇ ରହିବ, ସେ ବ୍ୟବସ୍ଥା କରିବାକୁ ଥିବା ଜଳସମ୍ପଦ ବିଭାଗ?
ୱାଟ୍କୋରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜଧାନୀବାସୀଙ୍କୁ ଦୈନିକ ପ୍ରାୟ ୧୪୦ ମିଲିଅନ ଲିଟର ଜଳ ଆବଶ୍ୟକ ଥିବା ବେଳେ ମହାନଦୀ, କୁଆଖାଇ ଓ ଦୟା ନଦୀ ସମେତ ବିଭିନ୍ନ ସ୍ଥାନରେ ବୋରୱେଲ ମାଧୢମରେ ଦୈନିକ ପ୍ରାୟ ୨୬୦ରୁ ୨୭୦ମିଲିଅନ୍ ଲିଟର ପାଣି ଯୋଗାଣ ହେଉଛି। ଏବେ କୁଆଖାଇ ନଦୀରୁ ପଳାସୁଣି ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧୢମରେ ୯୨ମିଲିଅନ ଲିଟର ପାଣି ଯୋଗାଣ ହେବାର ବ୍ୟବସ୍ଥା ଥିଲେ ହେଁ ଲୋକଙ୍କ ଆବଶ୍ୟକତା ମେଣ୍ଟାଇବାକୁ ଦୈନିକ ପ୍ରାୟ ୧୦୮ ମିଲିଅନ ଲିଟର ଯୋଗାଣ ହେଉଛି। ଦୟା ନଦୀରୁ ଭୁଆଶୁଣି ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧୢମରେ ଦୈନିକ ୧୫ ମିଲିଅନ ଲିଟର ପାଣି ଯୋଗାଣ ହେଉଛି। ମୁଣ୍ତଳୀରୁ ୧୦୦ ମିଲିଅନ ଲିଟର ପାଣି ଯୋଗାଣ ହେଉଛି। ହେଲେ ଅଧା ରାଜଧାନୀକୁ ପାଣି ଯୋଗାଉଥିବା ଦୟା ଓ କୁଆଖାଇ ବର୍ଷର ଅଧିକା˚ଶ ଶୁଖିଲା ରହିଥିବାରୁ ନଦୀରେ ବାଲି ବନ୍ଧ କରି ପାଣି ଯୋଗାଣ ହେଉଛି। ଅଧିକାଂଶ ସମୟରେ ଆବଶ୍ୟକ ପାଣି ଉଠାଇବା ସମ୍ଭବ ହେଉ ନଥିବାରୁ ମୁଣ୍ଡଳୀରୁ ଆସୁଥିବା ମହାନଦୀ ପାଣିକୁ ବିଭିନ୍ନ ଅଞ୍ଚଳକୁ ପଠାଯାଉଛୁ। ପୂରା ରାଜଧାନୀରେ ପାଣି ଯୋଗାଣ ପାଇଁ ଏବେ ମୁଣ୍ଡଳୀ ପ୍ଲାଣ୍ଟ ଉପରେ ଅଧିକ ନିର୍ଭର କରିବାକୁ ପଡ଼ୁଛି।