୭ ଫୁଟ୍‌ ଖସିଗଲାଣି ଭୂତଳ ଜଳ! ଅଟ୍ଟାଳିକା ଖସାଉଛି ଜଳସ୍ତର

ଭୁବନେଶ୍ୱର((ସତ୍ୟନାରାୟଣ ରାଉତରାୟ): ଶୁଖିଗଲାଣି ସହର। ଖସି ଆସିଲାଣି ଜଳସ୍ତର। କଂକ୍ରିଟ ଚାଦରର ସୀମା ଯେତେ ଲମ୍ବୁଛି, ଭୂତଳ ଜଳସ୍ତର ସେତେ ଖସୁଛି। ସ୍ଥିତି ଶୋଚନୀୟ ହେଲାଣି। କିଛି ନିର୍ଦିଷ୍ଟ ସ୍ଥାନରେ ଜଳସ୍ତର ୩ ଫୁଟ ପର୍ଯ୍ୟନ୍ତ ହ୍ରାସ ପାଇଲାଣି। ୭ ବର୍ଷ ତଳେ ଯୋଉଠି ୧୦ ଫୁଟ ଖୋଳୁଖୋଳୁ ପାଣି ବାହାରୁଥିଲା, ଆଜି ସେଠୁ ପଙ୍କ ବାହାରୁଛି। ବୋରୱେଲ୍‌ ପାଇଁ ଅତି କମ୍‌ରେ ୬୦ ଫୁଟ ଖୋଳିବାକୁ ପଡ଼ୁଛି। ନଦୀ, ନାଳ ଓ କୂଅର ସାଂପ୍ରତିକ ଚିତ୍ର ସ୍ମାର୍ଟସିଟିର ନାଗରିକମାନଙ୍କୁ ସାବଧାନ ହେବାକୁ ଚେତାବନୀ ଦେଲାଣି। ତଥାପି ଛତୁ ଫୁଟିଲା ଭଳି ଅଟ୍ଟାଳିକା ସ୍ଥିତି ବିଗାଡ଼ିବାରେ ଲାଗିଛି। ପରିବେଶବିତ୍‌ଙ୍କ କହିବା ମୁତାବକ, ଏବେଠୁ ସାବଧାନ ନହେଲେ ନେଡ଼ି ଗୁଡ଼ କହୁଣିକୁ ବୋହିଯିବା ଭଳି ଦିନେ ପାଣି ମୁନ୍ଦେ ପାଇଁ ବିକଳ ପରିସ୍ଥିତି ସୃଷ୍ଟି ହେବ।

ଗଙ୍ଗନଗରରେ ୭ ଫୁଟ, ଭୀମଟାଙ୍ଗିରେ ସାଢ଼େ ୪ ଫୁଟ ଖସିଲା ଜଳସ୍ତର
କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ (ସିଜିଡବ୍ଲୁବି)ର ୨୦୧୮ର ବର୍ଷା ପୂର୍ବର ପରୀକ୍ଷଣ ହିସାବ କହୁଛି, କେବଳ ଭୀମଟାଙ୍ଗିରେ ଭୂତଳ ଜଳସ୍ତର ସାଢ଼େ ୪ ଫୁଟ ଖସିଛି। ୨୦୧୭ରେ ଏଠାରେ ଜଳସ୍ତର ୮.୬ ମିଟର ତଳେ ଥିବା ବେଳେ ଗୋଟେ ବର୍ଷ ଭିତରେ ୯.୯୭ରେ ପହଞ୍ଚିଛି। ଗଙ୍ଗନଗରର ହିସାବ ଅନୁସାରେ ଭୂତଳ ଜଳସ୍ତର ବର୍ଷକରେ ୭ ଫୁଟ ଖସିଛି। ୨୦୧୭ରେ ଜଳସ୍ତର ୫.୭୫ ମିଟର ଥିବା ବେଳେ ବର୍ଷେ ପରେ ଏହା ୭.୯ ମିଟର ତଳକୁ ଖସିଛି। କପିଳପ୍ରସାଦରେ ମଧ୍ୟ ଭୂତଳ ଜଳସ୍ତର ୭ ଫୁଟରୁ ଅଧିକ ଖସିଯାଇଛି। ସତ୍ୟନଗରରେ ୨୦୧୭ରୁ ୨୦୧୮ ମଧ୍ୟରେ ଜଳସ୍ତର ୪ ଫୁଟ ହ୍ରାସ ପାଇଛି। ରଥ ରୋଡ୍‌ରେ ମଧ୍ୟ ସ୍ଥିତି ଗମ୍ଭୀର ରୂପ ନେଲାଣି। ଏଠି ବର୍ଷକରେ ସାଢ଼େ ୩ ଫୁଟ ଜଳସ୍ତର ଖସି ଆସିଛି। ଭୀମପୁରରେ ସାଢ଼େ ୩ ଫୁଟ, ଘାଟିକିଆରେ ୨ଫୁଟ ଏବଂ ୟୁନିଟ୍‌ ୮ରେ ଦେଢ଼ଫୁଟ ପର୍ଯ୍ୟନ୍ତ ଜଳସ୍ତର ହ୍ରାସ ପାଇଛି। ଖାଲି ସେତିକି ନୁହେଁ ଅନ୍ୟ ଅଞ୍ଚଳରେ ମଧ୍ୟ ଜଳସ୍ତର ଫୁଟେରୁ ୨ ଫୁଟ ପର୍ଯ୍ୟନ୍ତ ହ୍ରାସ ପାଇଛି।

ଖଣ୍ଡଗିରି ସ୍ଥିତି ଗମ୍ଭୀର
ଖଣ୍ଡଗିରି ଓ ଏହାର ଆଖପାଖ ଅଞ୍ଚଳ ସହରର ସୀମାନ୍ତ ହୋଇଥିବାରୁ ଏଠାରେ ଉଚ୍ଚ ଅଟ୍ଟାଳିକାମାନ କାୟା ମେଲାଉଛି। ଫଳରେ ଖଣ୍ଡଗିରି କଂକ୍ରିଟ୍‌ ଜଙ୍ଗଲରେ ରୂପାନ୍ତରିତ ହୋଇଛି। ତେଣୁ ଭବିଷ୍ୟତରେ ଏହାର ପରିଣାମ ଭୋଗିବାକୁ ଯାଉଛି ଏହି ଅଞ୍ଚଳ। ବିଗତ କିଛି ବର୍ଷ ହେଲା ଖଣ୍ଡଗିରିର ଭୂତଳ ଜଳସ୍ତର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଠାରେ ଜଳସ୍ତର ୨୦୦୫ରେ ୧୧.୪୪ ମିଟର, ୨୦୦୬ରେ ୧୨.୫ ମିଟର, ୨୦୦୯ରେ ୧୧.୫୪ ମିଟର, ୨୦୧୦ରେ ୧୧.୩୪ ମିଟର, ୨୦୧୬ରେ ୧୧.୫ ମିଟର, ୨୦୧୭ରେ ୧୦.୯୪ ମିଟର ତଳେ ରହି ଆସିଛି। ଏହା ତଳକୁ ରହିଛି ନୂଆପଲ୍ଲୀ। ଏଠାରେ ୨୦୧୪ରେ ୧୦ ମିଟର, ୨୦୧୫ରେ ୯.୧ ମିଟର, ୨୦୧୬ରେ ୯.୯ ମିଟର ଏବଂ ୨୦୧୭ରେ ୧୧.୧ ମିଟର ତଳେ ଜଳସ୍ତର ରହିଥିଲା। ସେହିପରି ଡେଲ୍‌ଟା ଛକ, କପିଳପ୍ରସାଦ ଓ କାର୍ଗିଲ ବସ୍ତି ଅଞ୍ଚଳରେ ଜଳସ୍ତର ଅନ୍ୟ ଅଞ୍ଚଳ ଅପେକ୍ଷା ଗମ୍ଭୀର ସ୍ଥିତିରେ ପହଞ୍ଚିଛି।

ଜଳଭୂତରେ ଶୂନ୍ୟସ୍ଥାନ
ଦିନେ ୪୦ ହଜାର ଲୋକଙ୍କୁ ନେଇ ଭୁବନେଶ୍ୱରକୁ ରାଜଧାନୀ ଭାବେ ଗଢ଼ିବାକୁ ଯୋଜନା ହୋଇଥିଲେ ହେଁ ଏବେ ଏଠାରେ ଜନସଂଖ୍ୟା ୧୨ଲକ୍ଷ ଟପିଲାଣି। ସେଇ ଅନୁପାତରେ ଭୂତଳ ଜଳର ବ୍ୟବହାର ବୃଦ୍ଧି ପାଇଛି। ସୁଉଚ୍ଚ ବିଲ୍‌ଡିଂ, କଂକ୍ରିଟ୍‌ ଓ ପିଚୁ ରାସ୍ତା ‌ମଧ୍ୟ ସଂପ୍ରସାରିତ ହେବାରେ ଲାଗିଛି। ତେଣୁ ବର୍ଷା ଜଳ ଭୂତଳକୁ ଯିବା ପାଇଁ ଏକରକମ ବାଟ ବନ୍ଦ କରିଦିଆଯାଇଛି। ଫଳରେ ଆକ୍ୱିର୍ଫ‌ ଅର୍ଥାତ (ଜଳଭୂତ)ରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ରାଜଧାନୀରେ ଭୂମିକମ୍ପର ପ୍ରଭାବ ଅଧିକ ଅନୁଭବ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ ମିଟର ଭଳି ଘରେଘରେ ଜଳ ମିଟର ବସାଇବା ଆବଶ୍ୟକ ବୋଲି ପରିବେଶବିତ୍‌ମାନେ କହିଛନ୍ତି। ଖାଲି ସେତିକି ନୁହେଁ, ବ୍ୟାପକ ଗଛ କଟା ଓ ଅସନ୍ତୁଳିତ ପରିବେଶ ଯୋଗୁଁ ବର୍ଷାରେ ଅନିୟମିତତା ଦେଖାଦେଇଛି। ଅନେକ ଘର ଓ ଆପାର୍ଟମେଣ୍ଟ୍‌ ତୋଳୁଥିବା ବେଳେ ବର୍ଷା ଜଳ ରିଚାର୍ଜ ପାଇଁ କୌଣସି ସ୍ଥାନ ସଂରକ୍ଷିତ ରଖୁନାହାନ୍ତି। ତେଣୁ ଏସବୁ ଦିଗ ପ୍ରତି ଦୃଷ୍ଟି ନଦେଲେ ଆଗକୁ ଭୂତଳ ଜଳସ୍ତର ହ୍ରାସ ଯୋଗୁଁ ପିଇବା ପାଣି ପାଇଁ କଲବଲ ହେବାକୁ ପଡ଼ିବ ବୋଲି ପରିବେଶବିତ୍‌ମାନେ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର