ପୁରୁଣା ଭୁବନେଶ୍ୱର: ଆଜି ଅପରାହ୍ନରେ ଲଗାଣ ବର୍ଷା ଯୋଗୁଁ ଏକାମ୍ର କ୍ଷେତ୍ରର ପୁଣି ବର୍ଷା ପାଣି ସମସ୍ୟା କରିଥିଲା। ୭ନମ୍ବର ଡ୍ରେନ୍‌ ପାଣି ଉବୁଡ଼ୁବୁ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଡ୍ରେନ୍‌ ଉପରେ ଯାଇଥିବା ଛୋଟ ବ୍ରିଜ୍‌ ବୁଡ଼ି ଯାଇଥିଲା। ନାଳମୁହଁସାହିରେ ୭ଟି ଘରେ ଡ୍ରେନ୍‌ ପାଣି ପଶିଥିଲା। ଆଣ୍ଠୁଏ ଲେଖାଏଁ ପାଣି ପଶିବାରୁ ସେମନେ ଅନ୍ୟତ୍ର ପଳାଇଥିଲେ। ୭ନମ୍ବର ଡ୍ରେନ୍‌ ଦୁଇ କଡ଼ ଜବରଦଖଲ ହୋଇଥିବାରୁ ଏପରି ସମସ୍ୟା ଉପୁଜିଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। କୋଟି ତୀର୍ଥେଶ୍ବର ଗଳିରୁ ଲୁଇସ୍‌ ରୋଡ଼୍‌ ଯିବା ବେଳେ ଡ୍ରେନ୍‌ ଦୁଇପଟୁ ଜବରଦଖଲ ହୋଇଛି।

Advertisment

ଫଳରେ ଡ୍ରେନ୍‌ ପାଣି ଠିକ ଭାବେ ନିଷ୍କାସିତ  ହୋଇପାରୁନି। ସେଠାରେ ଡ୍ରେନ୍‌ ଉପରେ ଘର ହୋଇଥିବାରୁ ଏହି ସମସ୍ୟା ଉପୁଜିଛି। ସେହିପରି ଏହି ଡ୍ରେନ୍‌ ଭଲ ଭାବେ ସଫା ହେଉନଥିବାରୁ ବର୍ଷା ହେବା ପରେ ବିଭିନ୍ନ ଅଞ୍ଚଳରେ ପାଣି ପଶିଛି। ଏନେଇ ସ୍ଥାନୀୟ ବାସିନ୍ଦା କୁହନ୍ତି ୭ନମ୍ବର ଡ୍ରେନ୍‌ ଜବରଦଖଲ ଯୋଗୁଁ ପାଣି ନିଷ୍ପାସନରେ ବାଧା ଉପୁଜି ପାଣି ଜମି ରହିଛି। ଏନେଇ ଦୀଘ ବର୍ଷ ହେଲା ଦାବି କରାଯାଉଛି। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସାମୁହିକ ସ୍ବାର୍ଥ ବଳି ନପଡ଼ୁ ବୋଲି ନାରୀ ନେତ୍ରୀ ରଶ୍ମି ମହାପାତ୍ର କହିଛନ୍ତି। ସ୍ଥାନୀୟ ବାସିନ୍ଦା ଗୋପାଳ ମକଦ୍ଦମ କୁହନ୍ତି, ଡ୍ରେନ୍‌ ଜବରଦଖଲ ଯୋଗୁଁ ବର୍ଷା ପାଣି ନିଷ୍କାସନ ହୋଇପାରୁନି। ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କୁହନ୍ତି, ଡ୍ରେନ୍‌ ଜବରଦଖଲ ଓ ଠିକ ଭାବେ ପରିଷ୍କାର ନହେବାରୁ ଏପରି ପରିସ୍ଥିତି ଉପୁଜିଛି। ଏ ନେଇ ବିଏମ୍‌ସି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ପଚାରିବାରୁ ସେ କିଛି କହିନଥିଲେ। 

ପ୍ରକାଶ ଥାଉକି, ଆଜି ବର୍ଷା ଫଳରେ ପର୍ଶୁରାମେଶ୍ବର ମନ୍ଦିରରେ ଠାକୁର ପୁଣି ପାଣିରେ ବୁଡ଼ିଯାଇଥିଲେ। ରାସ୍ତାରେ ଆଣ୍ଠୁଏ ପାଣି ଜମିଥିବା ବେଳେ ମନ୍ଦିରର ପାଣି ପଶି ଗର୍ଭଗୃହରେ ଠାକୁର ବୁଡ଼ି ଯାଇଥିଲେ। ଦୀର୍ଘ ୨ଘଣ୍ଟା ପର୍ଯ୍ୟନ୍ତ ମନ୍ଦିରରେ ପାଣି ଜମିଥିଲା। ସେହିପରି ଗୋସାଗରେଶ୍ବର ମନ୍ଦିର ପରିସରରେ ଗୋସାଗରେଶ୍ବର ମହାଦେବ, ପଦାରେଶ୍ବର ମହାଦେବ ଓ ଐଶାନେଶ୍ବର ମହାଦେବ ମଧ୍ୟ ଦୁଇ ଫୁଟ୍‌ ପା‌ଣିରେ ବୁଡ଼ି ରହିଥିଲେ। ବର୍ଷା ପରେ କେଦାରଗୌରୀ ଛକରୁ ତୀର୍ଥେଶ୍ବର ଗଳି ପର୍ଯ୍ୟନ୍ତ ପାଣି ଜମିଥିଲା। ପାଣି ଜମିବାରୁ ସେହି ରାସ୍ତାରେ ଯିବା ଆସିବା ଠପ୍‌ ହୋଇଯାଇଥିଲା। 

ସୂଚନାଯୋଗ୍ୟ, ବରମୁଣ୍ଡାରୁ ବାହାରିଥିବା ୭ ନମ୍ବର ଡ୍ରେନ୍‌ରେ ପୁରୁଣା ଭୁବନେଶ୍ବର ଅଞ୍ଚଳର ଅଧିକାଂଶ ଛୋଟ ବଡ଼ ଡ୍ରେନ୍‌ ସଂଯୋଗ ହୋଇଛି। ବଡ଼ ଡ୍ରେନ୍‌ ବରମୁଣ୍ଡା ଅଞ୍ଚଳରୁ ବାହାରି ନବୀନ ନିବାସ ପଛପଟ ଦେଇ ବ୍ୟାଙ୍କ କଲୋନି ଓ ବାରିକସାହି ମଝି ଦେଇ ରଥରୋଡ୍‌ର ଅସୁଲକିଆରିରେ ରାସ୍ତା ପାର ହୋଇଛି। ନଳାମୁହଁସାହି ନିକଟରେ କେଦାରଗୌରୀ ଛକ, କୋଟିତୀର୍ଥ ରୋଡ୍‌, ଲୁଇସ୍ ରୋଡ୍‌ ଦେଇ ଗଙ୍ଗୁଆ ନାଳରେ ମିଶିଛି। ହେଲେ କୋଟି ତୀର୍ଥେଶ୍ବର ଗଳିରୁ ଲୁଇସ୍‌ ରୋଡ଼୍‌କୁ ଯିବା ବାଟରେ ଜବରଦଖଲ ହୋଇଛି।