ଭୁବନେଶ୍ୱର: ଜଳ ହେଉଛି ଆମ ମୌଳକ ଅଧିକାର। କିନ୍ତୁ ଜନସଂଖ୍ୟା ବୃଦ୍ଧି ସହ ଜଳସ୍ତର ଯେଉଁଭଳି କ୍ଷୟକ୍ଷତିର ସମ୍ମୁଖୀନ ହେଲାଣି ତାକୁ ଦେଖିଲେ ଲାଗୁଛି ତୃତୀୟ ବିଶ୍ୱଯୁଦ୍ଧ, ଏହି ଜଳ ପାଇଁ ହିଁ ହେବ। ଆଜି ରାଜଧାନୀ ପୁସ୍ତକ ମେଳା ପରିସରରେ ‘ଶିକ୍ଷା ସଂଧାନ’ ପକ୍ଷରୁ ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଏଭଳି ମତପ୍ରକାଶ କରିଛନ୍ତି ମଞ୍ଚାସୀନ ଅତିଥିମାନେ। ଏହି ଅବସରରେ ଲେଖକ ଅଚ୍ୟୁତ ଦାସଙ୍କ ଜଳ ସମସ୍ୟାକୁ ନେଇ ପୁସ୍ତକ ‘ପାଣି ସମସ୍ତଙ୍କ ପାଇଁ’ ଓ ଆଦିବାସୀଙ୍କ ସମସ୍ୟାକୁ ନେଇ ‘ସେମାନେ ବି ବଞ୍ଚିବେ’ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମରେ ସାହିତ୍ୟିକ ଦାଶ ବେନହୁର, ଅରବିନ୍ଦ ବେହେରା, ପ୍ରଫେସର ରାଧାମେହାନ ମଲ୍ଲିକ ଓ ଶିଶିରକାନ୍ତ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ର ସଭାରେ ସଭାପତିତ୍ୱ କରିଥିଲେ। ଚନ୍ଦନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିଲେ ଓ ଅନୁଷ୍ଠାନର ସଂପାଦକ ଅନୀଲ ପ୍ରଧାନ ଧନ୍ୟବାଦ ଜଣାଇଥିଲେ।