ଭୁବନେଶ୍ୱର : ରାଜ୍ୟରେ ଥିବା ଜଳପ୍ରପାତଗୁଡ଼ିକର ସ୍ଥିତି ଜାଣିବାକୁ ବାହାରିଛନ୍ତି ୪ ଜଣ ଯୁବକ। ପେସାରେ ଫଟୋଗ୍ରାଫର ଏବଂ ବନ୍ୟଜନ୍ତୁ ପ୍ରେମୀ ହୋଇଥିବା ବେଳେ ଓଡ଼ିଶାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁୁ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇବା ଲାଗି ଅଭିନବ ପ୍ରୟାସ କରିଛନ୍ତି ଦୁର୍ଗେଶ ସିଂ, ଉଦ୍ୟାନ ଶତପଥୀ, ଆଦିତ୍ୟ ପଣ୍ଡା ଓ ସୁମନ୍ତ ଲେଙ୍କା। ବାଇକ୍‌ରେ ୨୨ଟି ଜିଲ୍ଲାର ୨୮ଟି ଜଳପ୍ରପାତ ଭ୍ରମଣ ଲକ୍ଷ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ରୁ ଆଜି ସେମାନେ ଯାତ୍ରା ଆରମ୍ଭ କରିଛନ୍ତି। ଏଥିପାଇଁ ଷ୍ଟାଡିୟମ୍‌ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଯୁବକମାନଙ୍କ ଉଦ୍ୟମକୁୁ ପ୍ରଶଂସା କରିବା ସହ ଓଡ଼ିଶାର ପ୍ରାକୃତିକ ପରିବେଶର ପ୍ରଚାରରେ ଏହି ଯାତ୍ରା ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

Advertisment

ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦେଶକ ନିତିନ୍‌ ଭାନୁଦାସ ଜଓ୍ଵାଲେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶାରେ ଅନେକ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ରହିଛି। ସେଗୁଡ଼ିକ ମଧ୍ୟରୁ ଅନେକ ଏବେ ବି ଲୋକଲୋଚନକୁ ଆସିପାରି ନାହିଁ। ଏହି ଯୁବକଙ୍କ ଉଦ୍ୟମ ଫଳରେ ସେଗୁଡ଼ିକର ବ୍ୟାପକ ପ୍ରଚାର ପ୍ର୍ରସାର ହୋଇପାରିବ। ଏସବୁ ସୋସିଆଲ୍‌ ମିଡିଆ ମାଧ୍ୟମରେ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚିପାରିବ। ୧୫ ଦିନର ଯାତ୍ରାରୁ ଫେରିବା ପରେ ପ୍ରତିନିଧିଦଳ ଯେଉଁ ରିପୋର୍ଟ ଦେବେ ତାହାକୁ ଆଧାର କରି ୨୮ଟି ଯାକ ଜଳପ୍ର୍ରପାତକୁ ନେଇ ପର୍ଯ୍ୟଟନ ବିଭାଗ ଏକ କଫି ଟେବୁଲ୍‌ ବହି ପ୍ରସ୍ତୁତ କରିବ। ଜଳପ୍ରପାତ ଅଞ୍ଚଳରେ କ’ଣ ସମସ୍ୟା ରହିଛି, ତାହାର କିଭଳି ବିକାଶ କରାଯିବ ସେଦିଗରେ ବି ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ଝରଣାର ସଂରକ୍ଷଣ ପାଇଁ ବାହାରିଥିବା ଏହି ୪ ଜଣିଆ ପ୍ରତିନିଧିଦଳ ଡୁଡୁମା, ବରେହିପାଣି, ଯୋରନ୍ଦା, ଭୀମକୁଣ୍ଡ, ଦେବକୁଣ୍ଡ, ସାନଘାଗରା, ବଡ଼ଘାଗରା, ଖଣ୍ଡାଧାର, ପ୍ରଧାନପାଟ, ନୃସିଂହନାଥ, ହାଣ୍ଡିଭଙ୍ଗା, ଗୁଣ୍ଡିଚାଘାଗୀ, ପୁଲରିଝରନ୍‌ ଆଦି ଜଳପ୍ରପାତ ବୁଲିବେ। ଭ୍ରମଣ ସାରି ଫେରିବା ପରେ ପର୍ଯ୍ୟଟନ ବିଭାଗ ସହ ମିଶି ଜଳପ୍ରପାତ ସମ୍ପର୍କରେ ଏକ ଓ୍ଵବସାଇଟ୍‌ ପ୍ରସ୍ତୁତ କରିବେ। ଏଥିରେ ଜଳପ୍ରପାତଗୁଡ଼ିକୁ ରାସ୍ତା, ସେଠାକାର ସ୍ଥିତି ସମ୍ପର୍କରେ ତଥ୍ୟ ଉଲ୍ଲେଖ ରହିବ।