କ୍ଷେତରେ ଲହଡ଼ି ମାରୁଛି ବନ୍ୟାଜଳ, ଚିନ୍ତାରେ ଚାଷୀ

ବାଲିପାଟଣା: ବନ୍ୟା କମିଛି। ନଦୀର ଜଳ ପତ୍ତନ ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ହଜାର ହଜାର ହେକ୍ଟର ଚାଷ ଜମିରେ ଏବେ ବି ଲହଡ଼ି ମାରୁଛି ବନ୍ୟା ପାଣି। ବାଲିପାଟଣା ବ୍ଲକର ରାଜସ, କୁରୁଞ୍ଜିପୁର ଅଞ୍ଚଳରେ ବ୍ୟାପକ ମାତ୍ରରେ ଚାଷ ଜମି ପାଣିରେ ବୁଡ଼ି ରହିଛି। ସେହିପରି କୁରୁଞ୍ଜିପୁର ପଞ୍ଚାୟତର ଇନ୍ଦୋଳ କୁଶିଆରି, କୁରୁଞ୍ଜିପୁର, ଅନ୍ଧଟି, ସାନମାଛପୁର, ବିଲସାହି, ସ୍ବାଇଁସାହି, ରାଜସ ପଞ୍ଚାୟତର ଗରିଆ, କୃଷ୍ଣପୁର, ରାଜସ, ପମ୍ପାଲୋ ପଞ୍ଚାୟତର ଦରଡ଼ା, କୁଳନ୍ତିରା ଗହିର, ଟିଙ୍କିପଡ଼ା, ନୂଆପଡ଼ା, ଆଳିସି ପଞ୍ଚାୟତର ବେଲରମା, ଦନାପଡ଼ା ଆଦି ଅଞ୍ଚଳର ବହୁ ଚାଷଜମି ଏବେ ବି ଜଳମଗ୍ନ ରହିଛି। ଧାନ ବିଲରେ ପାଣି ମାଡ଼ି ଯିବାରୁ ରୁଆ ଧାନ ନଷ୍ଟ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।

ଧନୁଆ ନଦୀ ଉପକୂଳ ଅଞ୍ଚଳରେ ହଜାର ହଜାର ହେକ୍ଟର ଫସଲ କରାଯାଏ। ବନ୍ୟା ପାଣି ମାଡ଼ି ଯିବାରୁ ପୋଟଳ, ବାଇଗଣ, କଲରା, ଭେଣ୍ତି, ଜହ୍ନି, କାକୁଡ଼ି, କଖାରୁ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବାଲିପାଟଣା ବ୍ଲକ କୃଷି ଅଧିକାରୀ ବିଭୁଦତ୍ତ ସାହୁଙ୍କ ମତରେ ଧାନଗଛ ପାଣିରେ ୪୮ଘଣ୍ଟା ବୁଡ଼ି ରହିଲେ ନଷ୍ଟ ହୋଇଯିବା ସମ୍ଭାବନା ରହିଛି। ବାଲିପାଟଣା ବ୍ଲକର ୫ଟି ପଞ୍ଚାୟତର ରାଜସ୍ବ ନିରୀକ୍ଷକଙ୍କ ଦ୍ବାରା ତଦନ୍ତ ରିପୋର୍ଟ ଆସିଲେ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଧନୁଆ ନଦୀ ବାଲିପାଟଣା ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମିକୁ ବନ୍ୟା ସମୟରେ ନଷ୍ଟ କରୁଛି। ଭାର୍ଗବୀ ନଦୀରେ ଅଚ୍ୟୁତପୁର କାଜରେ ପାଣି ଅଟକାଇବାର ବନ୍ଦୋବସ୍ତ ନ ଥିବାରୁ ଏହି ଦୁର୍ଦଶା ଭୋଗିବାକୁ ପଡୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଧନୁଆ ନଦୀରେ ବନ୍ଧବାଡ଼ ନ ଥିବାରୁ ପାଣି ବ୍ୟାପକ ମାତ୍ରାରେ ଚାଷ ଜମିରେ ବନ୍ୟାଜଳ ମାଡ଼ି ଯାଉଛି। ଧନୁଆ ନଦୀ ଖନନ କରାଯାଇ ଏହାର ପୁନରୁଦ୍ଧାର କରାଗଲେ ବାଲିପାଟଣା ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମି ସୁରକ୍ଷିତ ହୋଇପାରିବ ବୋଲି କହିଛନ୍ତି ରାଜସ ସରପଞ୍ଚ ବାସୁଦେବ ପାଳ। ଶ୍ରୀ ପାଳଙ୍କ ମତରେ କୃଷ୍ଣପୁରଠାରୁ ଧନୁଆରେ ବନ୍ଧ ନାହିଁ। ଏହି ଅଞ୍ଚଳ ଖାଲୁଆ ହୋଇଥିବାରୁ ଅଚ୍ୟୁତପୁର କାଜରେ ପାଣି ପଡ଼ିଲେ ଚାଷ ଜମି, ଗାଁ ଗଣ୍ତା ବୁଡିବା ଛଡ଼ା ଅନ୍ୟ ଉପାୟ ନାହିଁ। ଯଦି ସରକାରଙ୍କ ତରଫରୁ ଧନୁଆ ନଦୀର ପୁନରୁଦ୍ଧାର କରାଯାଆନ୍ତା ତେବେ ବାଲିପାଟଣା ବ୍ଲକର ୫ଟି ପଞ୍ଚାୟତର ଚାଷୀଙ୍କ ଭାଗ୍ୟ ପରିବର୍ତନ ହୋଇପାରନ୍ତା ବୋଲି ଶ୍ରୀ ପାଳ କହିଛନ୍ତି। ଅପରପକ୍ଷେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଗତକାଲି ବାଲିପାଟଣା ବନ୍ୟାଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର