ଠକାମୀର ଶିକାର ହେଲେ ଗ୍ରାହକ: ଗ୍ୟାସ୍‌ ସିଲିଣ୍ଡରରୁ ବାହାରିଲା ୧୧ ଲିଟର ପାଣି, ଥିଲା ମାତ୍ର ୩ କେଜି ଗ୍ୟାସ୍‌

ଭୁବନେଶ୍ୱର : ଗ୍ୟାସ୍‌ ସିଲିଣ୍ଡରରୁ ବାହାରିଲା ୧୧ ଲିଟର ପାଣି। ଅର୍ଥାତ୍ ସିଲିଣ୍ଡରରେ ଥିଲା ମାତ୍ର ୩ କେଜି ଗ୍ୟାସ୍‌। ବର୍ଦ୍ଧିତ ଗ୍ୟାସ ଦର ବାଧୁଥିବା ବେଳେ ଏଭଳି ଠକାମି ରାଜଧାନୀରେ ହଇଚଇ ସୃଷ୍ଟି କରିଛି। କଟକରୋଡ୍‌ ବଙ୍ଗାଳିସାହି ରିଫ୍ୟୁଜି କଲୋନିସ୍ଥିତ ସଂଜୀବ ଭୌମିକ ଏଭଳି ଠକାମୀର ଶିକାର ହୋଇଛନ୍ତି। ଅଭିଯୋଗ ପାଇବା ପରେ ଏଜେନ୍‌ସି ପକ୍ଷରୁ ତାଙ୍କୁ ଆଉ ଏକ ସିଲିଣ୍ଡର ଦିଆଇଛି। କିନ୍ତୁ ଠକେଇ କିଭଳି ହେଲା, ସେନେଇ କିଛି ଖୋଳତାଡ୍‌ ହୋଇନାହିଁ। ଏଭଳି ବହୁ ଅଭିଯୋଗ ଆସିଛି ବୋଲି ଏଜେନ୍‌ସି ପକ୍ଷରୁ ମଧ୍ୟ ସ୍ବୀକାର କରାଯାଇଛି।

ସପ୍ତାହ ତଳେ ସଞ୍ଜୀବ ଏକ ଇଣ୍ଡେନ୍‌ ଗ୍ୟାସ୍‌ ସିଲିଣ୍ଡର୍‌ କିଣିଥିଲେ। ୩-୪ ଦିନ ପରେ ଅର୍ଥାତ୍ ରବିବାର ମଧ୍ୟାହ୍ନରେ ହଠାତ୍ ଗ୍ୟାସ୍‌ ଚୁଲା ଲିଭିଗଲା। ଏତେ କମ୍‌ ଦିନରେ କେମିତି ଗ୍ୟାସ୍‌ ସରିଗଲା ବୋଲି ଦ୍ବନ୍ଦ୍ବରେ ପଡ଼ି ସେ ଓଜନ ମେସିନ୍ ଦ୍ବାରା ସିଲିଣ୍ଡର ଓଜନ କଲେ। ଓଜନ ପରେ ମାତ୍ର ୩ କେଜି କମ୍‌ ରହିଥିଲା। ତେଣୁ ୩ କେଜି ଗ୍ୟାସ୍‌ ବ୍ୟବହାର କରାଯାଇଥିବା ଜଣାପଡ଼ିଲା। ତେଣୁ ସିଲିଣ୍ଡର ଜାମ୍‌ ହୋଇଛି ଭାବି ସେ ତୁରନ୍ତ ସଂସ୍ଥାକୁ ଘଟଣା ବିଷୟରେ ଜଣାଇଥିଲେ। ସୋମବାର ଦିନ ଉକ୍ତ ଏଜେନ୍‌ସିର କର୍ମଚାରୀ ଆସି ଟାଙ୍କି ‌ଚେକ୍‌ କରିଥିଲେ। ଯାଞ୍ଚ କରିବାରୁ ସେଥିରେ ୧୧ ଲିଟର ପାଣି ଥିବା ଜାଣିବାକୁ ପାଇଥିଲେ। ଆଗରୁ ମଧ୍ୟ ଅନେକ ଲୋକ ଆମକୁ ଏଭଳି ‌ଅଭିଯୋଗ କରିଛନ୍ତି ବୋଲି କର୍ମଚାରୀ ଜଣକ କହିଥିଲେ। ସଞ୍ଜୀବଙ୍କୁ ବୁଝାସୁଝା କରି ସେ ଆଉ ଏକ ନୂଆ ଟାଙ୍କି ଦେବାକୁ କହିଥିଲେ।

ବଡ଼ କଥା ହେଲା, କେଳେଙ୍କାରୀ ପଦାରେ ପଡ଼ିବା ଭୟରେ ସେମାନେ ଟାଙ୍କି ବଦଳାଇବାକୁ ତୁରନ୍ତ ରାଜି ହୋଇଗ‌ଲେ। କିନ୍ତୁ କିଏ ଏଭଳି କାଣ୍ଡ କରିଥିଲା, ତାହା ଜଣାଇଲେ ନାହିଁ। ଆଜି ୧୧ ଲିଟର ପାଣି ବୋଲି କଥାଟା ଶୀଘ୍ର ଜଣାପଡ଼ିଗଲା। ଯଦି ୩ ଲିଟର ପାଣି ଭର୍ତ୍ତି ହୋଇଥାନ୍ତା, ତେବେ ଉପଭୋକ୍ତା ଗ୍ୟାସ୍‌ ସରିଗଲା ବୋଲି ଭାବିଥାନ୍ତା। ତେଣୁ ଏଭଳି ଠକାମୀ ପଛରେ କିଏ, ତାହା ତଦନ୍ତ କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର