ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କରିଥିବା ବୁଦ୍ଧବିହାର ଆଫୋର୍ଡେବଲ୍ ହାଉସିଂ ପ୍ରକଳ୍ପ ଘର ନିର୍ମାଣ ଅତି ନିମ୍ନମାନର ବୋଲି ବୁଦ୍ଧିବହାର ଅନ୍ତେବାସୀମାନେ ଅଭିଯୋଗ ଆଣିଛନ୍ତି। ଏ ସଂପର୍କରେ ହିତାଧିକାରୀମାନେ ବିଡିଏ ଉପାଧ୍ୟକ୍ଷ ଏନ୍ ଥିରୁମାଲା ନାଏକଙ୍କୁ ଲିଖିତ ଅଭିଯୋଗ କରିବା ସହ ବିହିତ ପଦକ୍ଷେପ ପାଇଁ ନିବେଦନ କରିଛନ୍ତି। ଅନ୍ତେବାସୀମାନେ ଅଭିଯୋଗ କରିଛନ୍ତି ଯେ ବୁଦ୍ଧବିହାର ବସ୍ତି ଘରର ୧୦ ନମ୍ବର ବ୍ଲକ୍ରେ ବର୍ଷା ହେଲେ ପାଣି ଗଳୁଛି। ନିଷ୍କାସନ ବାଟ ନ ଥିବାରୁ ମାସ ମାସ ଧରି ପାଣି ଛାତ ଉପରେ ଜମା ହୋଇ ରହୁଛି। ସେପଟେ ପାଣି ଜମା ହୋଇ ରହିବାରୁ ନିୟମିତ କାନ୍ଥ ଜକଉଛି। ସିଡ଼ି ଓ ଚଟାଣ ସର୍ବଦା ଓଦାଳିଆ ରହୁଛି। ଯାଆସ ବେଳେ ସମସ୍ୟା ସୃଷ୍ଟି କରୁଛି। ଛାତରେ ପାଣି ମରୁଥିବାରୁ କାନ୍ଥ ଜକେଇ କୋଲା କୋଲା ଛାଡ଼ିଲାଣି। ଅପରପକ୍ଷେ ଦୀର୍ଘଦିନ ହେବ ୧୦ ନମ୍ବର ବ୍ଲକ୍ ଅନ୍ଧକାର ଭିତରେ ରହିଛି। କୋଠାର ଆଗ ଓ ପଛରେ କୌଣସି ଆଲୋକ ବ୍ୟବସ୍ଥା କରାଯାଇନି। ସେପଟେ ୧୧, ୧୨ ଓ ୧୩ ନମ୍ବର ବ୍ଲକ କାହାରିକୁ ଦିଆଯାଇନଥିବାରୁ ଏହାର ସୁଯୋଗ ନେଇ ନିୟମିତ ଅସାମାଜିକ ଯୁବକ ଏଠାରେ ଠୁଳ ହେଉଛନ୍ତି। ନିଶା ସେବନ ସହ ନିଶା କାରବାର କରୁଛନ୍ତି। ଏଣୁ ଲୋକେ, ବିଶେଷ କରି ମହିଳା ଓ ଛାତ୍ରଛାତ୍ରୀମାନେ ଏକୁଟିଆ ଯାଆସ ପାଇଁ ଡରୁଛନ୍ତି। ଯେହେତୁ ଏମାନେ ନିଶାଡ଼ି ଓ ଅସାମାଜିକ କାର୍ଯ୍ୟରେ ଲିପ୍ତ, ଏଣୁ କେହି ଭୟରେ କିଛି କହୁନାହାନ୍ତି। ଫଳରେ ନିଶା କାରବାର ଦିନକୁ ଦିନ ବଢ଼ିଚାଲିଛି।
ଅଗ୍ନି ନିରାପତ୍ତା ବ୍ୟବସ୍ଥା ବି କାମ ଦେଉନି। ତତ୍କାଳ ପାଣି ମାଡ଼ କରି ନିଆଁ ଲିଭାଇବା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି ସତ, କିନ୍ତୁ ଏଥିରେ ପାଣି ଆସୁନି। ସେପଟେ ୫ଟି ପାଣି ଟାଙ୍କି ବସିଥିଲେ ବି ଏହା ନିୟମିତ ସଫା କରାଯାଉନି। ଏଣୁ ଟାଙ୍କିରେ ମାଟି, ପଙ୍କ, ବାଲି ସବୁ ଜମା ହୋଇ ରହିଛି। ଏ ସଂପର୍କରେ ବିଭିନ୍ନ ସମୟରେ ଫଟୋ ସମ୍ବଳିତ ପ୍ରମାଣପତ୍ର ବିଡିଏକୁ ପ୍ରଦାନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି। କମିଟିକୁ ଜଣାଅ କହି ନିରବଦ୍ରଷ୍ଟା ସାଜିଛନ୍ତି। ଏଣୁ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିହିତ ପଦକ୍ଷେପ ନେବାକୁ ଅନ୍ତେବାସୀମାନେ ନିବେଦନ କରିଛନ୍ତି।