ଲିଙ୍ଗରାଜ ମନ୍ଦିରରୁ ପାଣି ଗଳୁଛି, ୫ବର୍ଷ ପରେ ଦେବୋତ୍ତର ବିଭାଗର ନିଦ ଭାଙ୍ଗିଲା

ଏଏସ୍ଆଇ ଡିଜିଙ୍କୁ ପତ୍ର

ପୁରୁଣା ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରକୁ ନେଇ ସବୁ ଆଡେ ଚର୍ଚ୍ଚା ଚାଲିଥିବା ବେଳେ ବିଶ୍ୱପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରର ସୁରକ୍ଷା ନଜର ଆଢ଼ୁଆଳରେ ରହିଯାଇଛି। ସାମାନ୍ୟ ବର୍ଷା ହେଲେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଣି ଗଳୁଥିବା ବେଳେ ୫ବର୍ଷ ଧରି ନିରବ ରହିଥିବା ଦେବୋତ୍ତର ବିଭାଗର ନିଦ ଭାଙ୍ଗିଛି। ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଲିଙ୍ଗରାଜ ମନ୍ଦିର ପ୍ରତି ଆଖି ବୁଜି ଦେଇଥିବାରୁ ଉଦ୍‌ବେଗ ପ୍ରକାଶ କରିଛି ଦେବୋତ୍ତର ବିଭାଗ। ଏଏସ୍ଆଇର ଗୁରୁତର ତ୍ରୁଟି ଯୋଗୁଁ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏହାର ପରିସରରେ ଥିବା ବିଭିନ୍ନ ମନ୍ଦିରର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଦେବୋତ୍ତର କମିସନର ଚିତ୍ତରଞ୍ଜନ ପାଣିଗ୍ରାହୀ ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିକୁ ନେଇ ଏଏସ୍‌ଆଇ ପକ୍ଷରୁ ତତ୍ପରତା ପକାଶ ପାଇଛି। ପ୍ରକାଶ ଯେ, ଶ୍ରୀଲିଙ୍ଗରାଜ ମନ୍ଦିରରେ ଭୋଗ ମଣ୍ଡପ ଓ ଜଗମୋହନ, ପାର୍ବତୀ ମନ୍ଦିର, ଭୁବନେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ବିଶ୍ବକର୍ମା ମନ୍ଦିର, ବଡ଼ ଗଣେଶ ମନ୍ଦିର, ବୈଦ୍ୟନାଥ ମନ୍ଦିର, ବୃଷଭ ମନ୍ଦିର, ସିଦ୍ଧି ବିନାୟକ ମନ୍ଦିରରୁ ପାଣି ଗଳୁଥିବା ବେଳେ ମନ୍ଦିର ଦିନକୁ ଦିନ ଦୁର୍ବଳ ହେଉଛି। ଏଏସଆଇ ଏଥିପ୍ରତି ଧ୍ୟାନ ଦେଉନାହିଁ। ଅପରପକ୍ଷରେ ଏହି ସମସ୍ୟାକୁ ଦେଖି ମନ୍ଦିର ପ୍ରଶାସନ ନ ଦେଖିଲା ପରି ଚୁପ୍‌ ରହିବା ସହ ଏଏସଆଇର ଦାୟିତ୍ବ କହି ଚୁପ୍‌ ବସିଥାଏ। ଏପଟେ ଏଏସଆଇ ପକ୍ଷରୁ ନିୟମିତ ଭାବେ ଅନୁଧ୍ୟାନ କରାଯାଉ ନଥିବାରୁ ଏପରି ସମସ୍ୟା ଦେଖା ଦେଇଥିବା ସେବାୟତମାନେ ଅଭିଯୋଗ କରୁଛନ୍ତି। ଏନେଇ ଦେବୋତ୍ତର ବିଭାଗ ନିରୀକ୍ଷକ ନିରୋଜ ଛୋଟରାୟ କୁହନ୍ତି, ଶ୍ରୀଲିଙ୍ଗରାଜ ମନ୍ଦିର ରକ୍ଷଣାବେକ୍ଷଣ ପାଇଁ ଏଏସଆଇ ଯେପରି ଦାୟିତ୍ବ ନେବା କଥା ସେପରି ନେଉ ନାହିଁ। ଫଳରେ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି। ମନ୍ଦିରରେ ପାଣି ଗଳିବା ସହ ମୂର୍ତି ନଷ୍ଟ ହେଲାଣି। ଏନେଇ ଏଏସ୍ଆଇ ଭୁବନେଶ୍ବର ସଂଗ୍ରାଧୀକ୍ଷକ ନିର୍ମଳ ମହାପାତ୍ର କୁହନ୍ତି, ଏନେଇ ବଜେଟ୍‌ ପ୍ରସ୍ତୁତ କରାଯାଇଛି। ଅର୍ଥ ଆସିଲେ କାମ ହେବ। ମନ୍ଦିରର ରକ୍ଷଣାବେକ୍ଷଣ ସହ ଦଧିନଉତି ଓ ବିଭିନ୍ନ ଛୋଟ ମନ୍ଦିରରୁ ପାଣି ଗଳୁଥିବା ନେଇ ମରାମତି କରାଯିବ।

ସମ୍ବନ୍ଧିତ ଖବର