୬ ବସ୍ତିରେ ୭୫% ଲୋକଙ୍କୁ ମିଳୁନି ମୌଳିକ ସୁବିଧା
ଜାଗା ମିସନ୍ରେ ୧୧୬ ବସ୍ତିର ଉନ୍ନତୀକରଣ ଯୋଜନା
୪୦ ବସ୍ତିରେ ଅଧା ଲୋକଙ୍କ ଘରେ ପାଇଖାନା ନାହିଁ
ଜାନୁଆରି ୩୧, ୨୦୨୧ ସୁଦ୍ଧା ସବୁ ସୁବିଧା ଯୋଗାଇବାକୁ ଯୋଜନା
ବିଏମ୍ସି କମିସନରଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କୋର୍ କମିଟି
ଭୁବନେଶ୍ୱର : ବିଏମ୍ସି କହୁଛି ସବୁ ବସ୍ତିରେ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି, ସବୁଠି ଗୋଷ୍ଠୀ ପାଇଖାନା ଅଛି। ୱାଟ୍କୋ କହୁଛି ରାଜଧାନୀରେ ପ୍ରତି ଘରକୁ ପାଣି ପାଇପ୍ ସଂଯୋଗ ଦିଆସାରିଲଣି। ହେଲେ ଅସଲ ଚିତ୍ର ହେଲା ରାଜଧାନୀର ବିଭିନ୍ନ ବସ୍ତିରେ ଅଧିକାଂଶ ଘରକୁ ପାଇପ୍ ପାଣି ସଂଯୋଗ ଦିଆଯାଇନି, ଷ୍ଟ୍ରିଟ ଲାଇଟ୍ ନାହିଁ, ରାସ୍ତା ନାହିଁ, ଘରେ ପାଇଖାନା ନାହିଁ। ଏପରିକି ରାଜଧାନୀରେ ଏବେ ବି ସବୁ ଘରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇପାରିଲାନି।
ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ୬୭ଟି ୱାର୍ଡରେ ୪୩୬ଟି ବସ୍ତି ଥିବା ବେଳେ ଏଠାରେ ୧,୦୦,୮୭୦ଟି ଘର ଅଛି। ଏଥିରେ ୪,୨୬,୭୮୦ଜଣ ବାସ କରୁଛନ୍ତି। ବର୍ତ୍ତମାନ ରାଜଧାନୀର ମୋଟ୍ ଜନସଂଖ୍ୟା ପ୍ରାୟ ୧୦,୬୨,୪୩୬ ଥିବା ବେଳେ ଏଥିରୁ ୪୦.୧୭% ହେଉଛନ୍ତି ବସ୍ତିବାସିନ୍ଦା। ହେଲେ ବହୁ ବସ୍ତିରେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ମିଳୁନି। ରାଜଧାନୀର ଚିତ୍ର ଯାହା ସେଥିରୁ ସାରା ରାଜ୍ୟର ସ୍ଥିତି ଜଣା ପଡ଼ିଯାଉଛି।
ବିଏମ୍ସି ପକ୍ଷରୁ ୩୩ଟି ୱାର୍ଡର ୧୧୬ଟି ବସ୍ତିକୁ ନେଇ ହୋଇଥିବା ସର୍ଭେରେ ଜଣାପଡ଼ିଛି ଯେ ୬ଟି ବସ୍ତିରେ ୨୫% ଲୋକଙ୍କୁ ପାଣି, ଆଲୋକ, ରାସ୍ତା, ଡ୍ରେନ୍, ଷ୍ଟ୍ରିଟଲାଇଟ୍, ପାଇଖାନା ସୁବିଧା ମିଳୁଛି। ଏହି ସୁବିଧା ୩୨ଟି ବସ୍ତିରେ ୫୦% ଲୋକଙ୍କୁ, ୩୭ଟି ବସ୍ତିରେ ୭୫% ଲୋକଙ୍କୁ, ୪୧ଟି ବସ୍ତିରେ ୯୦% ଲୋକଙ୍କୁ ମିଳୁଛି। ଏଥିରେ ୩୪ଟି ବସ୍ତିରେ ୨୫% ଲୋକଙ୍କୁ ପାଇପ୍ ପାଣି ମିଳୁଛି, ୪ଟି ବସ୍ତିରେ ଏକ ୨୫% ଅଞ୍ଚଳକୁ ରାସ୍ତା ଅଛି, ୪୫ଟି ବସ୍ତିରେ ୨୫%ରୁ କମ୍ ଅଞ୍ଚଳରେ ଡ୍ରେନ୍ ଅଛି। କେତେକ ଅଞ୍ଚଳରେ ତ ଜମା ଡ୍ରେନ୍ ନାହିଁ। ୧୦୦ଟି ବସ୍ତିରେ ଅଧାରୁ ଅଧିକାଂଶ ସ୍ଥାନରେ ଷ୍ଟ୍ରିଟଲାଇଟ୍ ନାହିଁ। ଏଥିରୁ ୭୧ଟି ବସ୍ତିରେ ତ ୨୫%ରୁ କମ୍ ସ୍ଥାନରେ ଷ୍ଟ୍ରିଟ ଲାଇଟ୍ ଜଳୁଛି। ୨୮ଟି ବସ୍ତିରେ ୭୫% ଲୋକଙ୍କ ଘରେ ପାଇଖାନା ନାହିଁ। ୪ଟି ବସ୍ତିରେ ମାତ୍ର ୨୫% ଲୋକଙ୍କ ଘରକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଏବେ ବି ଏହି ବସ୍ତିରେ ୭୫% ଘର ବିନା ଆଲୋକରେ ରହୁଛନ୍ତି।
ରାଜଧାନୀର ସବୁ ବସ୍ତିବାସିନ୍ଦାଙ୍କୁ ଯେପରି ସମସ୍ତ ମୌଳିକ ସୁବିଧା ସୁଯୋଗ ମିଳିବ, ସେଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଜାଗା ମିସନ୍ ଯୋଜନାରେ ବସ୍ତି ବାସିନ୍ଦାଙ୍କ ଜୀବନଶୈଳୀ ଉନ୍ନତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜାନୁଆରି ୩୧, ୨୦୨୧ ସୁଦ୍ଧା ରାଜଧାନୀର ୧୧୬ଟି ବସ୍ତିରେ ପ୍ରତି ଘରକୁ ପାଣି ପାଇପ୍ ସଂଯୋଗ, ବିଦ୍ୟୁତ ସଂଯୋଗ ଯୋଗାଇବା ସହ ବସ୍ତିରେ ଡ୍ରେନ୍, ରାସ୍ତା, ଷ୍ଟ୍ରିଟ ଲାଇଟ୍ ଲଗାଇବା ସହ ପ୍ରତି ଘରେ ପାଇଖାନା ନିର୍ମାଣ କରିବାକୁ ଯୋଜନା ହୋଇଛି।
ରାଜଧାନୀରେ ୪୩୬ଟି ବସ୍ତି ଥିଲେ ହେଁ ବିଏମ୍ସି ପକ୍ଷରୁ ୧୧୬ଟିର ଉନ୍ନତୀକରଣ ପାଇଁ ବଛା ଯାଇଛି। କେଉଁ ଆଧାରରେ ବସ୍ତି ଚୟନ କରାଯାଇଛି, ପଚାରିବାରୁ ଜାଣିବାକୁ ମିଳିଛି ଯେ ଯେଉଁ ବସ୍ତିଗୁଡ଼ିକ ଏବେ ନିକଟରେ ଉଚ୍ଛେଦ ହେବାର ନାହିଁ, ଯେଉଁ ବସ୍ତିଗୁଡ଼ିକ ସ୍ଥାନାନ୍ତର ହୋଇଛି ଏବଂ ଆଫୋର୍ଡେବଲ୍ ହାଉସିଂ ଯୋଜନାରେ ସ୍ଥାନାନ୍ତର ହେବାର ଅଛି, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସୁଲଭ ମୂଲ୍ୟରେ ଘର ପାଇବାକୁ ଯୋଜନା ଅଛି କିମ୍ବା ଜାଗା ମିସନରେ କିଛି ଉନ୍ନତୀକରଣ ହୋଇଛି ସେହି ବସ୍ତିଗୁଡ଼ିକୁ ବଛା ଯାଇଛି। ସବୁ ବସ୍ତିରେ ଯେପରି ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ମିଳିବ, ସେଥିପାଇଁ ବିଏମ୍ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ଏକ କୋର୍ କମିଟି ଗଠନ ହୋଇଛି। ଏଥିରେ ବିଏମ୍ସିର ଅତିରିକ୍ତ କମିସନର, ଡେପୁଟି କମିସନର (ଗୃହ ନିର୍ମାଣ), ସିଟି ଇଞ୍ଜିନିୟର, ତିନିଜୋନ୍ର ଜୋନାଲ ଡେପୁଟି କମିସନର, ଜନସ୍ବାସ୍ଥ୍ୟ ବିଭାଗର ଦୁଇ ଜଣ ଯନ୍ତ୍ରୀ ଅଛନ୍ତି।