ଭଗବତପଡ଼ା ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି

ବାଲିପାଟଣା: ବାଲିପାଟଣା ବ୍ଲକ ନରିଶୋ ପଞ୍ଚାୟତ ଭଗବତପପଡ଼ା ହରିଜନ ସାହି ରାସ୍ତାରେ ବର୍ଷା ସମୟରେ ଆଣ୍ଠୁଏ ପାଣି ଜମୁଛି। ୪ ମାସ ତଳେ କଂକ୍ରିଟ୍‌ ହୋଇଥିବା ଏହି ରାସ୍ତା କାମ ଠିକ୍‌ ମାପଚୁପରେ ହୋଇନଥିବା କାରଣରୁ ଏପରି ସମସ୍ୟା ଉପୁଜୁଛି ବୋଲି ଅଭିଯୋଗ ହେଉଛି। ଫଳରେ ଉକ୍ତ ଅଞ୍ଚଳବାସୀ ଯାତାୟାତରେ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି। ନରିଶୋ ପଞ୍ଚାୟତ ଭଗବତପଡା ହରିଜନ ସାହିରେ ୧୨୮ ପରିବାର ବସବାସ କରନ୍ତି। ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଦୈନିକ ଶହଶହ ଲୋକ ଯା’ଆସ କରନ୍ତି। ବ୍ଲକ ପକ୍ଷରୁ ୨ ଲକ୍ଷ ଟଙ୍କା ବିନିମୟରେ ୪ ମାସ ତଳେ କଂକ୍ରିଟ୍‌ କରାଯାଇଥିଲା। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଯୋଗୁଁ ରାସ୍ତା କାମ ଅତି ନିମ୍ନମାନର କରାଗଲା। ଫଳରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତାରେ ୪/୫ ଦିନ ଧରି ପାଣି ଜମି ରହୁଛି। ଉକ୍ତ ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଖୋର୍ଦ୍ଧା ଜିଲ୍ଲାପାଳ, ବାଲିପାଟଣା ବିଡିଓଙ୍କ ନିକଟରେ ଗ୍ରାମବାସୀମାନେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ସରକାରୀସ୍ତରରେ କୌଣସି ତଦନ୍ତ ହେଉନାହିଁ। ଆଗାମୀ ଦିନରେ ଏହାର ତଦନ୍ତ ନ ହେଲେ ଓ ରାସ୍ତା ମରାମତି କରା ନ ଗଲେ ଲୋକେ ବ୍ଲକ ସମ୍ମୁଖରେ ଧାରଣା ଦେବେ ବୋଲି ଲକ୍ଷ୍ମୀଧର ଭୋଇ, ଜୟକୃଷ୍ଣ କାଣ୍ଡି, ଧନେଶ୍ୱର ଭୋଇ, ପଞ୍ଚାନନ ଭୋଇ, ରାମଚନ୍ଦ୍ର ଭୋଇ ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର