ଜଳ ନା ଜହର! ନଳକୂପରୁ ବାହାରୁଛି କଳା ପାଣି

ବାଲିପାଟଣା: ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ପ୍ରଚଳନ କରିଛନ୍ତି ସ୍ବଚ୍ଛ ଜଳଧାରା ଯୋଜନା। ଏହାଛଡ଼ା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସାହି ଓ ୱାର୍ଡରେ ନଳକୂପ ସ୍ଥାପନ କରାଯାଇଛି। ମାତ୍ର ଏଗୁଡ଼ିକ ଲୋକଙ୍କ ସମସ୍ୟା ସମାଧାନ କରୁଛି କି ଦୁର୍ଦ୍ଦଶା ବଢ଼ାଇଛି, ତା’ର ତଦାରଖ କରିବାକୁ କେହି ନାହିଁ। ସରକାରଙ୍କ ଯୋଜନା ଏବେ ଲୋକଙ୍କ ପାଇଁ ମହାକାଳ ଫଳ ସଦୃଶ ହୋଇଛି। ସ୍ବଚ୍ଛ ଜଳଧାରାରେ ପାଣି ଆସୁଛି, ନଳକୂଅରୁ ପାଣି ବାହାରୁଛି ମାତ୍ର ତାହା ବ୍ୟବହାର ଅନୁପଯୋଗୀ।

ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ବାଲିପାଟଣା ଅଞ୍ଚଳବାସିନ୍ଦା। ବ୍ଲକର ସ୍ବଚ୍ଛ ଜଳଧାରା ହେଉ କିମ୍ବା ନଳକୂପ ସବୁଠି ବାହାରୁଛି ଦୂଷିତ ପାଣି। କେଉଁଠି ହଳଦିଆ ତ କେଉଁଠି କଳା ପାଣି। ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ବାଗିଲୋ ୱାଡ ନଂ ୧୪ରେ ନଳକୂପରୁ ବାହାରୁଛି କଳା ପାଣି। ଏହା ସହିତ ଲୌହଗୁଣ୍ଡ ମିଶ୍ରିତ ପାଣି ବାହାରୁଥିବାରୁ ଏହାକୁ ପିଇବା ତ ଦୂରର କଥା ପାଟିରେ ଦେଇ ହେଉନାହିଁ। ବାଗିଲୋ ଗ୍ରାମରେ ୩୦/୪୦ ପରିବାର ବସବାସ କରନ୍ତି। ସରକାରଙ୍କ ଦ୍ବାରା ଲକ୍ଷାଧିକ ଟଙ୍କା ବ୍ୟୟରେ ୩ଟି ନଳକୂପ ସ୍ଥାପନ କରାଯାଇଛି। ଦୁଇଟି ନଳକୂପ ଅଚଳ ହୋଇ ପଡ଼ିଥିବା ବେଳେ ଏବେ ଗ୍ରାମର ଠାକୁରାଣୀ ମନ୍ଦିର ପାଖରେ ବସାଯାଇଥିବା ନଳକୂପରୁ କଳା ଏବଂ ଲୁହାଗୁଣ୍ତ ମିଶା ପାଣି ବାହାରୁଛି। ଗ୍ରାମବାସୀ ପିଇବା ପାଇଁ ଭୟ କରୁଛନ୍ତି। ଲୁଗା, ବାସନ ଯାହା ଧୋଇଲେ ଲୌହଯୁକ୍ତ ପାଣିର ଆସ୍ତରଣ ବସି ନଷ୍ଟ ହୋଇ ଯାଉଛି। ଉକ୍ତ ପାଣିକୁ ଗୋରୁଙ୍କୁ ମଧ୍ୟ ଦେବାକୁ ଲୋକେ ଭୟ କରୁଛନ୍ତି। ନଳକୂପ ଦାୟିତ୍ବ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। ଖରାପ ହେଲେ ପଞ୍ଚାୟତ ତରଫରୁ ମରାମତି କରାଯିବ। ମାତ୍ର କଳାପାଣି ବାହାରିବା ଯୋଗୁଁ ଲୋକେ ନିଜ ଭାଗ୍ୟକୁ ନିନ୍ଦା କରୁଛନ୍ତି। ନଳକୂପ ଖନନରେ ବ୍ୟାପକ ଦୁର୍ନୀତି ଯୋଗୁଁ ଲୋକେ ଏପରି ସମସ୍ୟା ଭୋଗୁଥିବା କହିଛନ୍ତି। ଖନନ ସମୟରେ ବିଭାଗ ତରଫରୁ ଠିକ ଭାବେ ଅନୁଧ୍ୟାନ କରାନଯାଇ ଠିକାଦାରଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖା ଯାଉଥିବାରୁ ଲେକେ ଏଭଳି ସମସ୍ୟା ଭୋଗୁଥିବା କହିଛନ୍ତି। ଅପରପକ୍ଷରେ ବାଲିପାଟଣା ବ୍ଲକରେ ଶହଶହ ନଳକୂପ ଏବେ ଅଚଳ ହୋଇ ପଡ଼ିଛି। ବିଭିନ୍ନ ଗ୍ରାମରେ ଏପରି ଦୂଷିତ ପାଣି ପିଇବା ଦ୍ବାରା ଝାଡ଼ା, ବାନ୍ତି, ଯକୃତ ଏବଂ କିଡ୍‌ନି ରୋଗ ଭଳି ସମସ୍ୟା ଦେଖା ଯାଉଛି।

ସମ୍ବନ୍ଧିତ ଖବର