ଧୁଧୁ ଖରା ଦହଗଞ୍ଜ କରୁଛି। ତାତିର କୋପରେ ତଣ୍ଟି ଶୁଖିଯାଉଛି। ଦେହ ସିଝି ଯାଉଛି। ତେବେ ତାତି କାଟିବାକୁ ମଣିଷ ଆପଣେଇଛି ଉପଶମର ଅନୁରୂପ ବାଟ। କାହାର ଖରାବେଳ ସ୍ୱିମିଂ ପୁଲ୍ରେ ବିତୁଛି ତ ଆଉ କିଏ ଓ୍ଵାଟର ପାର୍କରେ ଢେଉଢେଉକା କୃତ୍ରିମ ସମୁଦ୍ରର ମଜା ନେଉଛି। ବ୍ଲୁ ହୈ ପାନି ପାନି..ଗୀତରେ ଭିଜୁଛି ତନମନ। ଖରା ଯେତେ ଡରଉଛି, ମଣିଷ ଉପଶମର ବାଟଟିଏ ଖୋଜିଦେଇ ମନେମନେ କହୁଛି ‘ଆଃ କି ଶାନ୍ତି...
ଖରାରୁ ତ୍ରାହି ସହ ସନ୍ତରଣ ଦକ୍ଷତା
ଗ୍ରୀଷ୍ମ ଛୁଟିରେ ସନ୍ତରଣ ଅଭ୍ୟାସ କରିବା ରାଜଧାନୀରେ ଏକ ଟ୍ରେଣ୍ଡ୍ରେ ପରିଣତ ହୋଇଛିି। ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ଚାହିଦା ଅଧିକ। ଏହାକୁ ନଜରରେ ରଖି ରାଜଧାନୀର ବିଭିନ୍ନ ସ୍ଥାନରେ ‘ସନ୍ତରଣ ଶିବିର’(ସୁଇମିଂ କ୍ୟାମ୍ପ୍) ଆୟୋଜନ କରାଯାଉଛି। ତାରକା ହୋଟେଲଠାରୁ ଆରମ୍ଭ କରି କ୍ଲବ୍ ପର୍ଯ୍ୟନ୍ତ, ସବୁଠି ସୁଇମିଂ ପୁଲ୍ରେ ଭିଡ଼ ଜମୁଛି। ‘ସୁଇମିଂ କ୍ଲାସ୍’ଗୁଡ଼ିକ ପ୍ରଚଣ୍ଡ ରୌଦ୍ର ତାପରୁ ପିଲାଙ୍କୁ ତ୍ରାହି ଦେବା ସହ ଛୁଟି ଦିନରେ ଏକ ସୁନ୍ଦର ଅନୁଭୂତି ଦେଇପାରୁଛି ବୋଲି କଳିଙ୍ଗ ଷ୍ଟାଡିୟମ୍କୁ ନିଜ ସନ୍ତାନଙ୍କୁ ନେଇ ଆସିଥିବା ଅଭିଭାବକ ରମେଶ ମିଶ୍ର କହିଛନ୍ତି। ଯୁବପିଢ଼ି ଓ ବୟସ୍କ ଲୋକ ବି କିଛି ମାତ୍ରାରେ ସୁଇମିଂ କ୍ଲାସ୍ କରୁଥିବା ଲକ୍ଷ୍ୟ କରାଯାଉଛି।
ଓ୍ଵାଟର ପାର୍କରେ ସମୁଦ୍ର ମଜ୍ଜା
ତାପମାତ୍ରା ଦିନକୁ ଦିନ ଯେତେ ଦାଉ ସାଧୁଛି ଓ୍ଵାଟର୍ ପାର୍କକୁ ଭିଡ଼ ସେତିକି ଲମ୍ବୁଛି। ଭୁବନେଶ୍ୱରରୁ ୨୦ କିଲୋମିଟର ଦୂରରେ ଫୁଲନଖରାସ୍ଥିତ କୁରାଙ୍ଗ ଶାସନରେ ଥିବା ଓ୍ଵାଟର୍ ପାର୍କରେ ଦେହ ଭିଜେଇବାକୁ ପ୍ରବଳ ସମାଗମ ହେଉଛି। କୃତ୍ରିମ ସମୁଦ୍ରର ଲହଡ଼ିରେ ଦୋଳି ଖେଳିବାର ଅନୁଭବ ହେଉ ଅବା କୃତ୍ରିମ ବର୍ଷାରେ ଭିଜିବାର ଅପରୂପ ସମ୍ଭାର ଖୋଲିଛି। ତା ସାଙ୍ଗକୁ ମ୍ୟୁଜିକ୍ର ତାଳେତାଳେ ଲ୍ୟାଣ୍ଡିଂ ପୁଲ୍ର ନିଆରା ମଜା ବି ଖୁବ୍ ଉପଭୋଗ୍ୟ ହେଉଛି। ମାର୍ଚରୁ ଜୁଲାଇ ମଧ୍ୟରେ ଏଠାରେ ଭିଡ଼ ଜମୁଥିବା ବେଳେ ଏବେ ତାତି ବଢ଼ୁଥିବାରୁ ସଂଖ୍ୟା ୫ଶହ ଅତିକ୍ରମ କରୁଛି। ୪ଟି ରାଇଡ୍ରେ ପାଣିରେ ଖସିଖସି ମଜା ନେବାର ସୁଯୋଗ ରହିଥିବା ବେଳେ ଆର୍ଚେରି, ରାଇଫଲ୍ ସୁଟିଂ ଏଟିଭି ବାଇକ୍ ରାଇଡିଂର ସୁବିଧା ଉପଲବ୍ଧ ହେଉଛି। ଟିକେଟ୍ର ମୂଲ୍ୟ ୩୫୦ ଟଙ୍କା ଥିବା ବେଳେ ପିଲାମାନଙ୍କ ପାଇଁ (୫ରୁ ୧୨ ବର୍ଷ) ଦର ରହିଛି ୩୦୦ ଟଙ୍କା। ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କିଡ୍ସ ପୁଲ୍ ମଧ୍ୟ ରହିଛି। ଦିନ ତମାମ ପାର୍କରେ ରହିଲେ ବି ଖାଇବାର ଝିନ୍ଝଟ୍ ନାହିଁ। ଫୁଡ୍ କୋର୍ଟ୍ରେ ବ୍ରେକ୍ଫାଷ୍ଟ୍ରୁ ନେଇ ମଧ୍ୟାହ୍ଣ ଭୋଜନ ଓ ଫାଷ୍ଟ୍ ଫୁଡ୍ର ବ୍ୟବସ୍ଥା ରହିଛି।
ସନ୍ତରଣ ଆତ୍ମରକ୍ଷା କୌଶଳ ଶିଖାଏ
କଳିଙ୍ଗ ଷ୍ଟାଡିୟମ୍ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍ ସନ୍ତରଣର ମୁଖ୍ୟ ପ୍ରଶିକ୍ଷକ ସୁରେନ୍ଦ୍ର ନାୟକ କୁହନ୍ତି, ସନ୍ତରଣର ବହୁ ସକାରାତ୍ମକ ଦିଗ ଥିବାରୁ କୁନି ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଏଥିପାଇଁ ଉତ୍ସାହୀ। ଛୁଆମାନଙ୍କ ମନରୁ ଜଳ ପ୍ରତି ଭୟ କମାଇବା ସହ ସନ୍ତରଣ ଆତ୍ମରକ୍ଷା କୌଶଳ ମଧ୍ୟ ଶିଖାଇଥାଏ। ୭-୧୫ ବର୍ଷ ପିଲାମାନେ ସନ୍ତରଣ ଶିଖିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଥିଲେ ବି ବୟସ୍କ ଲୋକମାନେ ବି ଆସୁଛନ୍ତି ବୋଲି ସେ କହିଛନ୍ତି। ପୁଣି ୧୩୫ ସେମି ଉଚ୍ଚତା ଉପରକୁ ପିଲାମାନଙ୍କୁ ସନ୍ତରଣ ତାଲିମ୍ ପାଇଁ ନିଆଯାଉଛି ବୋଲି ଶ୍ରୀ ନାୟକ କହିଛନ୍ତି। କଳିଙ୍ଗ ଷ୍ଟାଡିୟମ୍ରେ ଖାଲି ଖରା ଦିନେ ନୁହେଁ, ବର୍ଷ ତମାମ ଚାଲିଛି ଏହି ସନ୍ତରଣ ପ୍ରଶିକ୍ଷଣ। ତେବେ ଅନ୍ୟ ଦିନେ ପିଲାଙ୍କ ସଂଖ୍ୟା ଟିକେ କମ୍ ଥିବା ବେଳେ ବର୍ତମାନ ୨୫୦ଜଣ ଛାତ୍ରଛାତ୍ରୀ ସନ୍ତରଣ ଅଭ୍ୟାସ କରୁଛନ୍ତି।
ସ୍ୱାସ୍ଥ୍ୟକର ପରିବେଶ ପାଇଁ ପାଣି ପ୍ରତିଦିନ ଫିଲ୍ଟ୍ରେଟ୍ ହୁଏ
ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ସହ ଚର୍ମ ରୋଗ ଓ ସଂକ୍ରମଣକୁ ନଜରରେ ରଖି ପାଣି ନିୟମିତ ଫିଲ୍ଟର କରାଯାଇ ବଦଳାଯାଏ। ଫଳରେ ଖରାରେ ବି ପାଣି ଗରମ ହୁଏନି ଓ ଅପରାହ୍ଣ ୪ଟାରୁ ପିଲାମାନେ ସନ୍ତରଣ ଆରମ୍ଭ କରିଦିଅନ୍ତି। ସକାଳ ୬ଟାରୁ ୯ଟା ୪୫ମିନିଟ୍ ଓ ଅପରାହ୍ଣ ୪ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ରେ ସନ୍ତରଣ ଶିକ୍ଷା ଦିଆଯାଉଛି। ପୁଣି ନିରାପତ୍ତା ପାଇଁ ସୁଇମିଂ ପୁଲ୍ ପ୍ରତିଦିନ ସଫା କରାଯିବା ସହ ସୁଇମିଂ ପୋଷାକ ଓ ଚଷମା ସମସ୍ତଙ୍କୁ ବାଧ୍ୟତାମୂଳକ କରାଯାଇଛି।