ଭୁବନେଶ୍ବର: ବର୍ଷା ଆରମ୍ଭ ପରଠାରୁ ରାଜ୍ୟବ୍ୟାପୀ ଝାଡ଼ାବାନ୍ତି, ହଇଜା ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଣୁ ରାଜ୍ୟବ୍ୟାପୀ ଖାଦ୍ୟ, ପାଣି ଚଢ଼ଉ ଜୋରଦାର କରାଯାଇଛି। ଭୁବନେଶ୍ବର ମହାନଗର ନିଗମ ସହ ଅନ୍ୟ ସହରାଞ୍ଚଳ ବି ଏଥିରୁ ବାଦ୍ ପଡ଼ିନି। କିନ୍ତୁ ସ୍ମାର୍ଟସିଟି ଭୁବନେଶ୍ବରର ଚିତ୍ର ଆଜି ପର୍ଯ୍ୟନ୍ତ ବଦଳି ପାରିନି। ସ୍ମାର୍ଟସିଟିର ମାନ୍ୟତା ପାଇଥିବା ସତ୍ତ୍ବେ ଆଜି ବି ଭୁବନେଶ୍ବରରେ ସବୁ ନାଳ ଭିତରେ ପାଣି ପାଇପ୍ ଯାଇଛି। ପ୍ରତିଦିନ ଏହି ପାଇପ୍ର ପାଣି ସହରବାସୀ ପିଉଛନ୍ତି। ଯାହା ସହରବାସୀଙ୍କ ମନରେ ଝାଡ଼ାବାନ୍ତି, ହଇଜା ସଂକ୍ରମଣର ଭୟ ସୃଷ୍ଟି କରିଛି। ମେୟର ସୁଲୋଚନା ଦାସ ବି ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ନାଳ ଭିତରେ ପାଣି ପାଇପ୍ ଯିବା ନିଶ୍ଚିତ ସଂକ୍ରମଣର ଭୟ ସୃଷ୍ଟି କରାଉଛି ବୋଲି ଶ୍ରୀମତୀ ଦାସ କହିଛନ୍ତି।
ରାଜଧାନୀ ଭୁବନେଶ୍ବର ସ୍ମାର୍ଟସିଟିର ମାନ୍ୟତା ଅର୍ଜନ ପରେ ସ୍ମାର୍ଟ ଜନପଥର ପରିକଳ୍ପନା କରାଯାଇଥିଲା। ୫.୮ କିଲୋମିଟର ଏହି ପଥକୁ ସହରର ସବୁଠୁ ଅଧିକ ବିକଶିତ ଓ ସୁନ୍ଦର କରିବାକୁ ଯୋଜନା ହୋଇଥିଲା। ଏ ବାବଦରେ ପ୍ରାୟ ୧୦୬ କୋଟି ଟଙ୍କା ଅନୁମୋଦନ ହୋଇଥିଲା। ଯେଉଁଥିରେ ବର୍ଜ୍ୟଜଳର ସୁବ୍ୟବସ୍ଥା, ଗାଡ଼ିମୋଟର ଯା’ଆସ ପାଇଁ ବିକଶିତ ରାସ୍ତା, ଭିନ୍ନ ଭାବେ ସାଇକେଲ୍ ଓ ପାଦଚଲା ରାସ୍ତା, ବୃକ୍ଷରୋପଣ ଆଦିକୁ ଗୁରୁତ୍ବ ଦିଆଯାଇଥିଲା। ସେହିଭଳି ଭିନ୍ନ ଭାବେ ନାଳ, ପାଣି ପାଇପ୍ ଲାଇନ୍, ବିଜୁଳି ଓ ସର୍ଭିସ୍ କେବୁଲ ନେବାକୁ ଯୋଜନା ଥିଲା। ଜନପଥର ଏହି ଯୋଜନାକୁ ସହରରେ ପାଇଳଟ୍ ପ୍ରକଳ୍ପ ଭାବେ ଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସହରର ସବୁଠି ଏଭଳି ଯୋଜନା ଆପଣାଇବାକୁ ଯୋଜନା ଥିଲା। ନାଳ ଓ ପାନୀୟ ଜଳ ପାଇପ୍ ଅଲଗା ରହିଲେ, ସଂକ୍ରମଣର ଭୟ ବି ଦୂର ହେବ ବୋଲି ଆଶା କରାଯାଉଥିଲା। ସେହିଭଳି ସିୟୋର(ସ୍ମାର୍ଟ ଅର୍ବାନ ରୋଡ୍ ଏକ୍ଜିକ୍ୟୁସନ୍) ରୋଡ୍ ନେଟ୍ୱର୍କ ବି ରାଜଧାନୀର ଏକ ଅଭିନବ କାର୍ଯ୍ୟକ୍ରମ ଥିଲା। ପ୍ରାୟ ୬୦ କୋଟି ଟଙ୍କା ବ୍ୟୟରେ ରାସ୍ତା ସଂପ୍ରସାରଣ, ସୌନ୍ଦର୍ଯ୍ୟୀକରଣ ସହ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଏହାର ଅନ୍ତର୍ଭୁକ୍ତ ଥିଲା। ପ୍ରାଥମିକ ପର୍ଯ୍ୟାୟରେ ବେହେରାସାହିରୁ କଳିଙ୍ଗ ଷ୍ଟାଡିୟମ୍ ଛକ ଦେଇ ଯାଇଥିବା ରାସ୍ତାକୁ ପରୀକ୍ଷାମୂଳକ ଭାବେ ଏହି ଯୋଜନାରେ ବିକଶିତ କରାଯାଇଥିଲା। ସଫଳ ରୂପାୟନ ପରେ ଭୁବନେଶ୍ବର ସହ ରାଜ୍ୟର ଅନ୍ୟ ସହରାଞ୍ଚଳରେ ବି ସିୟୋର ରୋଡ୍ ନେଟ୍ୱର୍କ ପ୍ରକଳ୍ପ କରିବାକୁ ଯୋଜନା ଥିଲା।
କିନ୍ତୁ ଏହା କେବଳ ଲୋକ ଦେଖାଣିଆ ହୋଇ ରହିଯାଇଛି। ସବୁଠି ନାଳ ଭିତରେ ପାଣି ପାଇପ୍ ପଡ଼ିଛି, ଯାହା କଳଙ୍କି ଲାଗିଗଲାଣି। ସେପଟେ ଏହାର ବିଧିବଦ୍ଧ ଯାଞ୍ଚ ହେଉନି। ଯାହା ଝାଡ଼ାବାନ୍ତି, ହଇଜା ଭଳି ରୋଗର ଭୟ ସୃଷ୍ଟି କରିଛି। କୌଣସିଠାରେ ଏହି କଳଙ୍କିଲଗା ପାଇପ୍ରେ ଲିକେଜ୍ ହେଲେ, ନାଳ ପାଣି ସିଧାସଳଖ ଏହି ପାଇପ୍ ଦେଇ ପିଇବା ପାଣିରେ ମିଶିବ। ଏହି ପାଣି ପିଇଲେ, ଝାଡ଼ାବାନ୍ତି, ହଇଜା ଭଳି ରୋଗରେ ଲୋକେ ପଡ଼ିବେ। ଏଣୁ ସେଭଳି କିଛି ଅଘଟଣ ପୂର୍ବରୁ ନାଳରୁ ପିଇବା ପାଣି ପାଇପ୍ ଅଲଗା କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।
ମେୟର ଶ୍ରୀମତୀ ଦାସ କହିଛନ୍ତି, ରସୁଲଗଡ଼, ପୋଖରୀପୁଟ ଆଦି ଅଞ୍ଚଳରେ ବଡ଼ ବଡ଼ ଡ୍ରେନ୍ ମଧ୍ୟ ଦେଇ ପାଣି ପାଇପ୍ ଯାଇଛି। ଯଦି କୌଣସିଠାରେ କଳଙ୍କି ଲାଗି ପାଣି ପାଇପ୍ରେ ଲିକେଜ୍ ଦେଖାଯାଏ, ସଂକ୍ରମଣ ହେବା ସ୍ବାଭାବିକ। ଏଭଳି ସ୍ଥଳେ ଆମେ ବି କେଉଁ ଜାଗାରୁ ଲିକେଜ୍ ହୋଇଛି, ଯାଞ୍ଚ କରିବା ଅସମ୍ଭବ। ତଥାପି ଜଳ ସଂକ୍ରମଣ ରୋକିବାକୁ ଆମେ ଚଢ଼ଉ ଜାରି ରଖିଛୁ। ୱାଟ୍କୋ, ପ୍ଲାନିଂ ସେକ୍ସନ୍ ସହ ଅନ୍ୟ ବିଭାଗ ସହ ଆଲୋଚନା କରିଛୁ।
ଡ୍ରେନ୍ ଭିତରେ ପାଣି ପାଇପ୍, ସଂକ୍ରମଣ ଭୟ
ବର୍ଷା ଆରମ୍ଭ ପରଠାରୁ ରାଜ୍ୟବ୍ୟାପୀ ଝାଡ଼ାବାନ୍ତି, ହଇଜା ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଣୁ ରାଜ୍ୟବ୍ୟାପୀ ଖାଦ୍ୟ, ପାଣି ଚଢ଼ଉ ଜୋରଦାର କରାଯାଇଛି। ଭୁବନେଶ୍ବର ମହାନଗର ନିଗମ ସହ ଅନ୍ୟ ସହରାଞ୍ଚଳ ବି ଏଥିରୁ ବାଦ୍ ପଡ଼ିନି।
/sambad/media/media_files/2025/06/24/poiuyytrd-2025-06-24-06-00-57.jpg)