ପାଣି, ମୃଦୁପାନୀୟ ନାଁରେ ବିଷ!

ମିନେରାଲ୍ ୱାଟର ନାଁରେ ବିକ୍ରି ହେଉଛି ନିମ୍ନମାନର ପାଣି, ବାଜିରେ ଲାଗିଛି ଲୋକଙ୍କ ଜୀବନ

ଭୁବନେଶ୍ବର: ପ୍ରବଳ ଖରାରେ ତଣ୍ଟି ଶୁଖି ଯାଉଛି। ପାଣି ପିଇବା ପାଇଁ ଯେତେବେଳେ ଶୋଷିଲା ଲୋକଟିଏ ଦୋକାନରେ ପହଞ୍ଚୁଛି, ଦୋକାନୀ ମିନେରାଲ୍ ଵାଟର ବୋତଲଟିଏ ବଢ଼ାଇ ଦେଉଛି। ବଜାରକୁ ନୂଆ ପାଣି ଆସିଛି। ଆଇଏସ୍ଆଇ ମାର୍କାର ଲୋଗୋ ମଧ୍ୟ ବାଜିଛି। ମୂଲ୍ୟ ନାମୀଦାମୀ କମ୍ପାନିର ପାଣି ବୋତଲ ସହ ସମାନ। କିନ୍ତୁ କେବେ ତିଆରି ହୋଇଛି, କେତେ ଯାଏଁ ତା’ର ବୈଧତା ଅଛି, ବୋତଲରେ ତା’ର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି। ପାଣିର ସ୍ବାଦ ବି ସେମିତି ଭଲ ନୁହେଁ। ପ୍ରବଳ ଖରାରେ ରାଜଧାନୀ ସମେତ ଆଖପାଖ ଅଞ୍ଚଳ ସିଝୁଥିବା ବେଳେ ଏବେ ବଜାରରେ ପୁଳାପୁଳା ଏମିତି ନକଲି ପାଣି ବୋତଲ। ଏହା ଯେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ନ କରିବ, ତାହାକୁ ଏଡ଼ାଇ ଦିଆଯାଇନପାରେ।

ମିଳିଥିବା ସୂଚନା ଅନୁସାରେ, ମିନେରାଲ୍ ଵାଟର ତିଆରି ପାଇଁ କିଛି ନିର୍ଦ୍ଦିଷ୍ଟ ପରୀକ୍ଷାନିରୀକ୍ଷା କରାଯାଇଥାଏ। ପାଣିକୁ ପ୍ରଥମେ ଭଲ ଭାବେ ବିଶୋଧନ ଓ ଜୀବାଣୁମୁକ୍ତ କରାଯାଇଥାଏ। ୟୁଭି(ଅଲଟ୍ରା ଭାଓଲେଟ୍), ଓଜୋନ୍ ଏବଂ ଆରଓ(ରିଜର୍ଭ ଓମୋସିସ୍) ପ୍ରକ୍ରିୟା କରାଯାଇଥାଏ। ପାଣି ବଜାରକୁ ଛଡ଼ାଯିବା ପୂର୍ବରୁ ଏହାକୁ ଭଲ ଭାବେ ପରୀକ୍ଷା କରାଯାଏ। ଏହିଭଳି ଭାବେ ନାମୀ କମ୍ପାନିର ପାଣି ବିକ୍ରି ହୋଇଥାଏ। କିନ୍ତୁ କେତେକ ବେନାମୀ କମ୍ପାନି ଏଭଳି ପ୍ରକ୍ରିୟାକୁ ଅନୁକରଣ କରି ନ ଥାନ୍ତି। ଫଳରେ ପାଣିର ମାନ ନେଇ ମଧ୍ୟ ପ୍ରଶ୍ନ ଉଠିଥାଏ। ରାଜଧାନୀର ମଞ୍ଚେଶ୍ବର ଓ ଚନ୍ଦକା ଶିଳ୍ପାଞ୍ଚଳ, ଉପକଣ୍ଠ ବାଲିଅନ୍ତା, ପାତ୍ରପଡ଼ା, ଭୁବନେଶ୍ବର-ପୁରୀ ରାସ୍ତାରେ କେତେକ ବେନାମୀ କମ୍ପାନି ଏଭଳି ପାଣି ପ୍ରସ୍ତୁତ କରୁଛନ୍ତି। ମେସିନ୍ ବସାଇ ପାଣି ତିଆରି କରି ବଜାରକୁ ଛାଡ଼ୁଛନ୍ତି। ରାଜଧାନୀ ସମେତ ଉପକଣ୍ଠ ଅଞ୍ଚଳ, କଟକ, ଖୋର୍ଦ୍ଧାରେ ଏଭଳି ପାଣି ପ୍ରବଳ ମାତ୍ରାରେ ବିକ୍ରି ଚାଲିଛି। ଡହଡହ ଖରାରେ ପାଣି ଖୋଜୁଥିବା ଲୋକ ପାଇଁ ଉପାୟ ମଧ୍ୟ କିଛି ନାହିଁ।

ଶୋଷ ମେଣ୍ଟାଇବା ପାଇଁ ଏଭଳି ପାଣି କିଣିବାକୁ ବାଧ୍ୟ ହେଉଛି। କେବଳ ପାଣି ନୁହେଁ, ଅପମିଶ୍ରିତ ମୃଦୁପାନୀୟ ମଧ୍ୟ ବଜାରକୁ ଆସୁଛି। ଯାହା ଲୋକଙ୍କ ଜୀବନ ପ୍ରତି ଆହୁରି ବିପଜ୍ଜନକ। କାରଣ ବଜାରକୁ ଆସୁଥିବା କେତେକ ବୋତଲ ସୋଢ଼ାରେ ତିଆରି ତାରିଖ ରହୁନାହିଁ। ସେହିପରି ଏହି ସୋଢ଼ା ତିଆରି ବେଳେ କେଉଁ ନିର୍ଦ୍ଦିଷ୍ଟ ନିୟମ ପାଳନ କରାଯାଉଛି, ତାହା ମଧ୍ୟ କାହାକୁ ଜଣା ନାହିଁ। ଥଣ୍ଡା ପାନୀୟ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ଅନେକ ନକଲି ଓ ବେନାମୀ ସଂସ୍ଥା ଏଭଳି ଥଣ୍ଡାପାନୀୟ ତିଆରି କରୁଛନ୍ତି। ଯାହା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ। ତେଣୁ ଲୋକଙ୍କ ଜୀବନ ବାଜିରେ ଲାଗିଛି ବୋଲି କୁହାଯାଇପାରେ। ବିଶେଷଜ୍ଞଙ୍କ ମତରେ, ନିମ୍ନମାନର ପାନୀୟ ଅନେକ ପେଟ ରୋଗ ସହ ମାରାତ୍ମକ ରୋଗର କାରଣ ହୋଇପାରେ।

ଯାହା ସ୍ବାସ୍ଥ୍ୟାବସ୍ଥା ବିଗାଡ଼ି ଦେଇପାରେ। ଏଭଳି ପାନୀୟଠାରୁ ସବୁବେଳେ ଦୂରରେ ରହିବା ଦରକାର। ନିକଟରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ବୈଧ ତାରିଖ ନ ଥିବା ମୃଦୁପାନୀୟ ବଜାରରେ ବିକ୍ରି ହେଉଥିବା ନେଇ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ପ୍ରଶାସନ ପକ୍ଷରୁ ଚଢ଼ଉ କରି ନମୁନା ସଂଗ୍ରହ କରାଯାଇଥିଲା। ସେହିପରି ପୂର୍ବରୁ ନକଲି, ନିମ୍ନାମାନର ପାଣି ଓ ମୃଦୁପାନୀୟ ତିଆରି ୟୁନିଟ୍ ଉପରେ ପୁଲିସ ଏବଂ ବିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। କିନ୍ତୁ ଏବେ ପ୍ରବଳ ଖରାରେ ଏଭଳି କାରବାର ବଢ଼ି ବଢ଼ି ଚାଲିଥିବା ବେଳେ ଚଢ଼ଉର ଆବଶ୍ୟକ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର