ବାଲିଅନ୍ତା : କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀ ବନ୍ୟାରେ ଏହି ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୬ ଦିନ କାଳ ବାଲିଅନ୍ତା ଓ ବାଲିପାଟଣା ବ୍ଲକର ଅନେକ ଗ୍ରାମ ପାଣିରେ ବୁଡ଼ି ରହିଥିବା ବେଳେ ବିପନ୍ନ ଗ୍ରାମବାସୀଙ୍କ ନିକଟରେ ପ୍ରଶାସନ ପହଞ୍ଚି ନଥିବା ଅଭିଯୋଗ ହେଉଛି। ବିଶେଷକରି ଶୁଦ୍ଧ ପାନୀୟ ଜଳ ଅଭାବରୁ ଲୋକେ ବିଭିନ୍ନ ରୋଗରେ ପୀଡ଼ିତ ହୋଇଥିବା ଦେଖାଯିବା ପରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ନିରବ ରହିଥିବା ଅଭିଯୋଗ ହେଉଛି। ଏନେଇ ଜନ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ମୁତାବକ, ଲୋକେ ୬ ଦିନ ହେଲା ବନ୍ୟା ଦାଉରେ ବଡ଼ କଷ୍ଟରେ ଦିନ କାଟିଲେଣି। ଗନ୍ଧମୟ ପରିବେଶ ପାଇଁ ବହୁ ଅଞ୍ଚଳର ଲୋକେ ଝାଡ଼ାବାନ୍ତି, ମହାମାରୀ, ମ୍ୟାଲେରିଆ, ଡେଙ୍ଗୁ, ଥଣ୍ଡା, କାଶ, ଜ୍ବର ଏବଂ ଅନ୍ୟାନ୍ୟ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ସୃଷ୍ଟି ହେଲାଣି। ଦୀର୍ଘ ସମୟ ଧରି ବନ୍ୟାପାଣି ଜମି ରହିବା ଦ୍ବାରା ଅନାବନା ଗଛଲତା ପଚି ସଢ଼ି ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ବନ୍ୟାପାଣିରେ ବୁଡ଼ି ଯାଇଥିବା କୂଅ , ପୋଖରୀ , ବାମ୍ଫି ଏବଂ ଅନ୍ୟାନ୍ୟ ଜଳ ଉତ୍ସଗୁଡ଼ିକର ପାଣି ପ୍ରଦୂଷିତ ହୋଇଯାଇଛି। ନଳକୂପ ଭିତରୁ ବି ଗୋଳିଆ ପାଣି ବାହାରୁଛି। ତେଣୁ ଲୋକମାନେ ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଏବେଠାରୁ କିଛି ଲୋକ ଝାଡ଼ାବାନ୍ତି ରୋଗର ଶିକାର ହୋଇ ଡାକ୍ତରଖାନାରେ ଭର୍ତି ହେବା ଦେଖାଗଲାଣି। ଗତକାଲି ନବାଟି ଗ୍ରାମର ଗଙ୍ଗା ଭୋଇ ପେଟ ଯନ୍ତ୍ରଣା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ସେହିଭଳି ପୁରୋହିତପୁର ପଞ୍ଚାୟତର କିଛି ଲୋକ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଏଭଳି ସ୍ଥିତି ଆରମ୍ଭ ହୋଇଥିବା ସତ୍ତ୍ବେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଉପସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ତେଣୁ ତୁରନ୍ତ ସମସ୍ତ ଜଳ ଯୋଗାଣ ଉତ୍ସଗୁଡ଼ିକରେ ବ୍ଲିଚିଂ ପକାଇବା ସହ ଲୋକମାନଙ୍କୁ ଓଆର୍ଏସ୍ , ହାଲୋଜେନ ଆଦି ପ୍ରତିଷେଧକ ଔଷଧପତ୍ର ଯୋଗାଇ ଦେବାକୁ ଦାବି ହେଉଛି।
ବର୍ତ୍ତମାନ ଫସଲ ଜମି, ଘରଦ୍ବାର ଏବଂ ରାସ୍ତାଘାଟରୁ ବନ୍ୟା ପାଣି ଛାଡ଼ି ଗଲାଣି। କିନ୍ତୁ ତହସିଲ ପ୍ରଶାସନ ପକ୍ଷରୁ ଫସଲ କ୍ଷୟକ୍ଷତିର ଆକଳନ କରାଯାଇନାହିଁ। ବାଲିଅନ୍ତା ପଞ୍ଚାୟତ ସମିତି, ରାଜସ୍ବ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟରେ କରୋନା ଆଳରେ ଅଧିକାଂଶ କର୍ମଚାରୀ ଅନୁପସ୍ଥିତ ରହୁ ଥିବାରୁ ଫସଲ କ୍ଷୟକ୍ଷତି ଆକଳନ କାର୍ଯ୍ୟ ବିଳମ୍ବିତ ହେଉଛି। ସେହିଭଳି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା ମରାମତି ପାଇଁ ମଧ୍ୟ ଆକଳନ କରାଯାଇନାହିଁ। ପୁରୋହିତପୁର ପଞ୍ଚାୟତର ନବାଟି ଗ୍ରାମ ଦନାପଡ଼ା ଗ୍ରାମ ସମେତ ଅନେକ ଗ୍ରାମ୍ୟ ରାସ୍ତା ଧୋଇ ଯାଇଛି। ସରପଞ୍ଚ କବିତା ମାଝୀଙ୍କ ସୂଚନା ମୁତାବକ ଏଫ୍ଡିଆର ଯୋଜନାରେ ରାସ୍ତା ମରାମତି କରାଯିବା ପାଇଁ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/balianta-1.jpg)