ଭୁବନେଶ୍ବର: ରାଜଧାନୀ ଦୁଇ ପାର୍ଶ୍ବରେ ଥିବା କୁଆଖାଇ ଓ ଦୟା ନଦୀ ଶୁଖିଲା ପଡ଼ିଛି। ପାଣି ନାହିଁ। ନଦୀର ଗୋଟିଏ ପାର୍ଶ୍ବରେ ଗୋଟିଏ ଧାରର ଜଳସ୍ରୋତ। ଯୁଆଡ଼େ ଚାହିଁଲେ ଖାଲି ବାଲି। ସହରରେ ଥିବା ଜଳାଶୟ, ପୋଖରୀ କଥା ନ କହିବା ଭଲ। କେଉଁଠି ମାଟି ଫାଟି ଆଁ କରିଛି ତ କେଉଁଠି ଦଳ ଭର୍ତ୍ତି ହୋଇଗଲାଣି। କେନାଲରେ ବି ପାଣି ନାହିଁ। ଗ୍ରୀଷ୍ମ ଆରମ୍ଭରୁ ସହରର ସ୍ଥିତି ଏମିତି ଯେ ସହରବାସୀଙ୍କ ଲାଇଫ୍ଲାଇନ୍ କୁହାଯାଉଥିବା କୁଆଖାଇରେ ବାଲିବନ୍ଧ କରାଯାଇ ପିଇବା ପାଣି ଯୋଗାଣ ହେଉଛି। ଗୋଟିଏ ପଟେ ନଦୀ ଶୁଖିଲା ପଡ଼ିଥିବା ବେଳେ ଅନ୍ୟପଟେ ସହରର ଭୂତଳ ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ନିୟମିତ ବର୍ଷା ହେଉ ନଥିବାରୁ ଗ୍ରାଉଣ୍ଡ ୱାଟର୍ ବି ରିଚାର୍ଜ ହୋଇପାରୁନାହିଁ। ଫଳରେ ଆଗକୁ ଭୟଙ୍କର ସ୍ଥିତି ଉପୁଜିବାର ଆଶଙ୍କା ସୃଷ୍ଟି ହୋଇଛି।
ଭୂତଳ ଜଳ ଟାଣୁଛନ୍ତି ଆପାର୍ଟମେଣ୍ଟ
ସଂରକ୍ଷଣ ପାଇଁ ଆକ୍ସନ୍ ପ୍ଲାନ୍ ହେଉ
ସୂଚନା ଅନୁଯାୟୀ, ୨୦୦୭ରୁ ୨୦୧୨ ମଧ୍ୟରେ ସହରର ପ୍ରମୁଖ ଅଞ୍ଚଳର ଭୂତଳ ଜଳସ୍ତର ଗୋଟିଏ ମିଟର ହ୍ରାସ ପାଇଥିଲା। ତେବେ ଗତ ଏକ ଦଶନ୍ଧି ଭିତରେ ସହରର ଜନସଂଖ୍ୟା ବୃଦ୍ଧି ପାଇଛି। ୨୦୧୧ ବେଳକୁ ସହରରେ ୧୦ ଲକ୍ଷ ଲୋକ ବସବାସ କରୁଥିବା ବେଳେ ଏବେ ସହରର ଲୋକସଂଖ୍ୟା ୧୬ ଲକ୍ଷ ଉପରକୁ ଚାଲି ଗଲାଣି। ତେଣୁ ଲୋକଙ୍କ ଆବଶ୍ୟକତା ବଢ଼ୁଥିବାରୁ ଜଳ ସଂକଟ ବି ପରିଲକ୍ଷିତ ହୋଇଛି। ଇତିମଧ୍ୟରେ ଭୂତଳ ଜଳସ୍ତର ପ୍ରାୟ ୫ ମିଟର କମିଛି। ଭୁବନେଶ୍ୱର ଉପକଣ୍ଠରେ ବି ସମାନ ସ୍ଥିତି ପରିଲକ୍ଷିତ ହୋଇଛି। ଗତ ୨୦ବର୍ଷ ମଧ୍ୟରେ କିଛି ସ୍ଥାନରେ ୮ ମିଟର ପର୍ଯ୍ୟନ୍ତ ଜଳସ୍ତର ହ୍ରାସ ପାଇଛି। ଶିଳ୍ପ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରୋଇ କ୍ଷେତ୍ରରେ ଜଳର ବ୍ୟବହାର ଦିନକୁ ଦିନ ବଢ଼ୁଥିବା ବେଳେ ବିପୁଳ ପରିମାଣର ଜଳ ଅପଚୟ ଦ୍ବାରା ଏଭଳି ସ୍ଥିତି ଉପୁଜିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।
ସହରର ତାପମାତ୍ରା ବଢ଼ୁଥିବାରୁ ତାହାର ସିଧାସଳଖ ପ୍ରଭାବ ଭୂତଳ ଜଳ ଉପରେ ପଡ଼ୁଛି। ନିୟମିତ ବର୍ଷା ହେଉ ନ ଥିବାରୁ ଭୂତଳ ଜଳ ରିଚାର୍ଜ ବି ବହୁ ପରିମାଣରେ କମିଯାଇଛି। ଜଳାଶୟଗୁଡ଼ିକୁ ନିୟମିତ ଭାବେ ପୋତା ଚାଲିଛି। ହଂସପାଳ, ପାହାଳ, ନଖରା, ଜୋହଳ, ଅଟଳା, ରଘୁନାଥପୁର, କଳାରାହାଙ୍ଗ, ରଙ୍ଗମାଟିଆ, କେଶୁରା, ପଥରଗାଡ଼ିଆ, ନନ୍ଦନକାନନ ଆଦି ଖାଲୁଆ ଅଞ୍ଚଳରେ ଏବେ ବଡ଼ ବଡ଼ କୋଠା ନିର୍ମାଣ ହେଉଛି। ପରିଣାମସ୍ବରୂପ, ଖାଲୁଆ ଅଞ୍ଚଳରେ ପୂର୍ବରୁ ଜମୁଥିବା ଜଳ ଏବେ ତଳକୁ ଯାଇ ପାରୁନାହିଁ। ବଡ଼ ବଡ଼ ଅଟ୍ଟାଳିକା ତିଆରି ହେବା ଦ୍ବାରା ସେମାନେ ବି ଭୂତଳ ଜଳ ଶୋଷଣ କରିବାରେ ଲାଗିଛନ୍ତି। ବିଲ୍ଡିଂ ଉପରେ ବଡ଼ବଡ଼ ଟାଙ୍କି କରିବା ସହ ଭୂତଳ ଜଳକୁ ଉପରକୁ ଉଠାଉଛନ୍ତି। ବର୍ଷକର ୩୦ ପ୍ରତିଶତ ବର୍ଷା ଗୋଟିଏ ଦିନରେ ହୋଇଯାଉଥିବାରୁ ବର୍ଷାଜଳ ଭୂତଳକୁ ଯିବା ସମ୍ଭବ ହୋଇପାରୁନାହିଁ। ଭୂତଳ ଜଳସ୍ତର କମିବା ଦ୍ବାରା ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ବର, ବଡ଼ଗଡ଼, ରସୁଲଗଡ଼, ଖଣ୍ଡଗିରି ପ୍ରଭୃତି ଅଞ୍ଚଳରେ ସ୍ଥିତି ସଙ୍ଗିନ ହୋଇଛି। କେଉଁଠି ବୋରୱେଲ୍ରୁ ନାଲି ପାଣି ବାହାରୁଛି ତ ଆଉ କେଉଁଟି ଗୋଳିଆ ପାଣି। କେତେକ ସ୍ଥାନରେ ପଙ୍କୁଆ ପାଣି ବାହାରୁଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବିଶେଷଜ୍ଞଙ୍କ କହିବା କଥା, ସହରର ଜନସଂଖ୍ୟା ବୃଦ୍ଧି ସହ ଆକାଶଛୁଆଁ ଅଟ୍ଟାଳିକା ଗଢ଼ି ଉଠୁଛି। ଜଙ୍ଗଲ କଟାଯାଇ ନୂଆ ନୂଆ ବସତି ସ୍ଥାପନ ହେଉଛି। ଲୋକେ ପାନୀୟ ଜଳ ଓ ଦୈନନ୍ଦିନ କାର୍ଯ୍ୟ ପାଇଁ ଭୂତଳ ଜଳ ଉପରେ ନିର୍ଭର କରୁଥିବାରୁ ଭୂତଳ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ହାଇଲେବୁଲ୍ ବୋରିଂ ଦ୍ବାରା ଭୂତଳ ଜଳ ଉତ୍ତୋଳନ ହେତୁ ଜଳସ୍ତର ସଂଘାତିକ ଭାବେ କମୁଛି। ଜଳ ସମ୍ପଦ ବିଭାଗ ତଥ୍ୟ କହୁଛି, ୨୦୦୯ରୁ ୨୦୧୭ ଭିତରେ ରାଜ୍ୟରେ ଭୂତଳ ଜଳସ୍ତର ୬.୭୧ପ୍ରତିଶତ ହ୍ରାସ ପାଇଛି। ପ୍ରାକ୍-ମୌସୁମୀ ସମୟରେ ସହରର ବିଭିନ୍ନ ସ୍ଥାନରେ ନଳକୂପର ଜଳସ୍ତର ସର୍ବନିମ୍ନ ୧.୨୨ ମିଟର ଓ ସର୍ବାଧିକ ୧୧.୩୦ ମିଟର ତଳକୁ ଖସୁଥିବା ବେଳେ ହାରାହାରି ଭାବେ ୪.୭୭ ମିଟର ତଳକୁ ଖସୁଛି। ମୌସୁମୀ ପରବର୍ତ୍ତୀ ସମୟରେ ଜଳସ୍ତର ସର୍ବନିମ୍ନ ୧.୦୮ ମିଟର ଏବଂ ସର୍ବାଧିକ ୯.୦୨ ମିଟର ଏବଂ ହାରାହାରି ୪.୩୮ ତଳକୁ ଖସୁଛି। ଏହାକୁ ନଜରରେ ରଖି ଏବେଠାରୁ ଭବିଷ୍ୟତ ଲାଗି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ପଡ଼ିବ।
ସହରକୁ ଲୋଡ଼ା ୪୨୨ ମିଲିୟନ ଲିଟର
ଭୁବନେଶ୍ୱର ସହରର ପ୍ରାୟ ୧୭ଲକ୍ଷ ଜନସଂଖ୍ୟା ଲାଗି ଦୈନିକ ପ୍ରାୟ ୪୨୨ ମିଲିୟନ ଲିଟର ପାଣିର ଆବଶ୍ୟକତା ରହିଛି। ଏଭଳି ସ୍ଥଳେ ଭୂତଳ ଜଳ ଦୈନିକ ୧୨୨ ମିଲିୟନ ଲିଟର ଯୋଗାଇ ପାରିବ। ୨୦୧୦ରେ ଦୈନିକ ଆବଶ୍ୟକତା ୨୦୬ ମିଲିୟନ ଲିଟର ରହିଥିଲା। ତେବେ ୧୧ ବର୍ଷ ମଧ୍ୟରେ ସହରର ଜଳ ଆବଶ୍ୟକତା ଦୁଇଗୁଣାରୁ ଊର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ଜଳ ସଂରକ୍ଷଣ କ୍ଷେତ୍ରରେ ଭୁବନେଶ୍ବର ବହୁ ପଛରେ ପଡ଼ିଛି। ସହର ଓ ଏହାର ଉପକଣ୍ଠରେ ଏବେ ପ୍ରାୟ ଦେଢ଼ ହଜାର ଛୋଟ ବଡ଼ ଆପାର୍ଟମେଣ୍ଟ ରହିଛି। ଉକ୍ତ ଆପାର୍ଟମେଣ୍ଟଗୁଡ଼ିକରେ ଭୂତଳ ଜଳକୁ ମନଇଚ୍ଛା ବ୍ୟବହାର କରୁଛନ୍ତି। ଗୋଟିଏ ଗୋଟିଏ ଆପାର୍ଟମେଣ୍ଟରେ ୩ରୁ ୪ଟି ବୋରୱେଲ୍ ଖୋଳାଯାଇ ଲୋକଙ୍କ ପାଇଁ ଜଳଯୋଗାଣ ହେଉଛି। ଏମିତିକି ବଡ଼ ବଡ଼ ଆପାର୍ଟମେଣ୍ଟରେ ଦେଢ଼ ହଜାରରୁ ଅଧିକ ଲୋକ ରହୁଥିବାରୁ ସେମାନଙ୍କ ଲାଗି ଅଧିକ ବୋରୱେଲ୍ ଖୋଳା ଯାଇ ଜଳ ଯୋଗାଣ କରାଯାଉଛି।