ବାଲିଅନ୍ତା/ ବାଲିଅନ୍ତା ବଜାର: ପ୍ରଚଣ୍ଡ ଖରା ଆରମ୍ଭ ହୋଇସାରିଥିବା ବେଳେ ବାଲିଅନ୍ତାର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। ଏବେ ବହୁ ଗାଁକୁ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିନାହିଁ। ପୁଣି ବହୁ ସ୍ଥାନରେ ପାଇପ୍ରେ ଗୋଳିଆ ପାଣି ବା ଲୌହମିଶ୍ରିତ ପାଣି ଆସୁଛି। କେଉଁଠି ଷ୍ଟାଣ୍ଡ ପୋଷ୍ଟ ଅଭାବରୁ ଲୋକେ ଖରାରେ ବଡ଼ କଷ୍ଟରେ ଦୂରରୁ ପାଣି ବୋହିବାକୁ ବାଧ୍ୟ ହେଉଛନ୍ତି। ଆଗକୁ ଖରା ବଢ଼ିବ ଓ ଲୋକେ ଏବେଠୁ କଲବଲ ହେଲେଣି। ଏମିତି ପୁଳାପୁଳା ଅଭିଯୋଗ କରି ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଆଜି ବ୍ଲକ୍ର ସାଧାରଣ ସମିତି ବୈଠକରେ ପ୍ରବଳ ହୋ-ହଲ୍ଲା କରିଥିଲେ। ପାନୀୟ ଜଳ ସମସ୍ୟାକୁ ନେଇ ଆଜି ଚତୁର୍ଥ ସାଧାରଣ ବୈଠକ ପଡ଼ିଲାଉଠିଲା ଅବସ୍ଥାରେ ପହଞ୍ଚିଥିଲା।
ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ଖଟୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପାନୀୟ ଜଳ ସମସ୍ୟାକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା। ସରପଞ୍ଚ ଓ ସମିତି ସଭ୍ୟମାନେ ଗ୍ରାମ୍ୟ ଜଳଯୋଗାଣ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଅଳକାନନ୍ଦା ପାଣିଗ୍ରାହୀଙ୍କୁ ଘେରି ପାଟିତୁଣ୍ଡ କରିଥିଲେ। ପ୍ରତାପରୁଦ୍ରପୁର ସରପଞ୍ଚ ଶ୍ରଦ୍ଧେୟା ପାତ୍ର ଓ ସମିତି ସଭ୍ୟା ଉମାରାଣୀ ମହାନ୍ତି ୩ ନମ୍ବର ଓ ୫ ନମ୍ବର ୱାର୍ଡକୁ ପାଇପ୍ ଲାଇନ ସଂଯୋଗ ହୋଇନାହିଁ ବୋଲି ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେହିପରି ବାଲିଅନ୍ତା ତିରଣପଦା, କଞ୍ଚିଲୋ ଓ ଅଟଳା ପାଇପ୍ ଲାଇନ୍ ପ୍ରକଳ୍ପରେ ଚାହିଦା ମୁତାବକ ଷ୍ଟାଣ୍ଡପୋଷ୍ଟ ନଥିବା ଓ ଆବଶ୍ୟକ ପରିମାଣର ଜଳ ଯୋଗାଣ ହେଉନଥିବା ଅଭିଯୋଗ କରିଥିଲେ। ଭୁବନପୁର ଗ୍ରାମର ଦୁଇ ନମ୍ବର ୱାର୍ଡରେ ପାଇପ୍ ପାଣି ଆସୁନଥିବା ବେଳେ ଅନ୍ୟ କିଛି ସ୍ଥାନରେ ବହୁ ସମୟରେ ଗୋଳିଆ ପାଣି ଆସୁଥିବାରୁ ଲୋକମାନେ ହନ୍ତସନ୍ତ ହେଉଥିବା ସରପଞ୍ଚ କୃଷ୍ଣ କେଶବ ଆପଟ ଅଭିଯୋଗ କରିଥିଲେ। ଫୌଜଦାରୀ ମାମଲା ପାଇଁ ବେଣୁପୁର ସରପଞ୍ଚ କାର୍ଯ୍ୟାଳୟରେ ବାରମ୍ବାର ଅନୁପସ୍ଥିତ ରହିବା ହେତୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସମିତି ସଭ୍ୟା ନମିତା ପରିଡ଼ା ଅଭିଯୋଗ କରିଥିଲେ।
ପାନୀୟ ଜଳ ପାଇଁ ଏବେ ଲୋକେ ସମସ୍ୟାରେ ପଡ଼ୁଥିବା ସେ କହିଥିଲେ। ପ୍ରତାପଶାସନ ସମିତି ସଭ୍ୟ ଗଙ୍ଗାଧର ମାହାରି, ସରକଣା ସରପଞ୍ଚ ବିଷ୍ଣୁପ୍ରିୟା ସାହୁ, ସମିତି ସଭ୍ୟ ସଂଯୁକ୍ତା ବିଶ୍ବାଳ, ଉମାଦେଇ ବ୍ରହ୍ମପୁର ସରପଞ୍ଚ ରମାଲତା ନାୟକ ଓ ସମିତି ସଭ୍ୟ ରଞ୍ଜନକୁମାର ମହାପାତ୍ର ପ୍ରମୁଖ ସେମାନଙ୍କ ପଞ୍ଚାୟତରେ ପାଣି ସଂକଟ ଦେଖାଦେଇଥିବା କହିଥିଲେ। ମରାମତି ନେଇ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଏଥିରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ସେମାନେ ଦୃଢ଼ ଦାବି କରିଥିଲେ। ଜଳ ସଂକଟ ଅଭିଯୋଗସମୂହକୁ ତୁରନ୍ତ ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଧ୍ୟକ୍ଷା ଶ୍ରୀମତୀ ଖଟୁଆ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ ଘଡ଼େଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଭିଙ୍ଗାରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଅଭାବ ଥିବା ନେଇ ସରପଞ୍ଚ ହୃଷିକେଶ ବେହେରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ତନ୍ମୟ ତ୍ରିପାଠୀଙ୍କୁ ଜଣାଇଥିଲେ। ସେହିଭଳି ଶିକ୍ଷା, ସ୍ବାସ୍ଥ୍ୟ, କଂକ୍ରିଟ ରାସ୍ତା, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ଲୋକପ୍ରତିନିଧିମାନେ ବିଡିଓ ନାରାୟଣଚନ୍ଦ୍ର ନାୟକଙ୍କୁ ଅଭିଯୋଗ କରିଥିଲେ। ବିଲ୍ଡରମାନଙ୍କୁ ସରକାରୀ ଜମିରୁ ଉଚ୍ଛେଦ କରିବାକୁ ତହସିଲଦାର ସମୀର ଦାଶଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।