ଭୁବନେଶ୍ବର: କୌଣସି ଆରାମଦାୟକ କିମ୍ବା ବିଳାସପୂର୍ଣ୍ଣ ସେବା ନୁହେଁ, ଜୀବନର ଆଧାର କୁହାଯାଉଥିବା ପାନୀୟ ଜଳ ପାଇବାରେ ମଧ୍ୟ ସାଧାରଣ ନାଗରିକଙ୍କୁ ବଞ୍ଚିତ କରିଛି ୱାଟ୍‌କୋ। କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ଖୋଦ୍‌ ରାଜଧାନୀ ଭୁବନେଶ୍ବରର ଅଧା ବାସିନ୍ଦା ଆଜି ୱାଟ୍‌କୋ ଯୋଗୁ ପାଣି ପାଇ ନାହାନ୍ତି। କେବଳ ବେଆଇନ ଭାବେ ମାଟି ଖୋଳି ଭୂତଳ ଜଳ ବ୍ୟବହାର କରୁଥିବା ବଡ଼ବଡ଼ିଆ ଏଥିରେ ପ୍ରଭାବିତ ହୋଇ ନାହାନ୍ତି। ତେବେ ବଡ଼ କଥା ହେଉଛି, ପାନୀୟ ଜଳ ଭଳି ଏକ ମୌଳିକ ଆବଶ୍ୟକତାର ଦାୟିତ୍ବ ନେଇଥିବା ୱାଟ୍‌କୋ କିଭଳି କୌଣସି ବିକଳ୍ପ କଥା ଚିନ୍ତା କରିନାହିଁ! ଆଜି ଏଠି ଫାଟିଛି, କାଲି ଅନ୍ୟ ଦୁଇ ଜାଗାରେ ବି ସମାନ ଅବସ୍ଥା ହୋଇପାରେ! ତେବେ ପୂରା ସହରକୁ କଣ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯିବ? ଏତେ ବେପରୁଆ କିଭଳି ହୋଇପାରେ ସରକାରୀ ସଂସ୍ଥା?

Advertisment

କୁଆଖାଇ, ମହ‌ାନଦୀ ଓ ଦୟା ନଦୀରୁ ପାଇପ୍‌ ଜରିଆରେ ପାଣି ଉଠାଇବା ପରେ ୱାଟ୍‌କୋ ତାହାକୁ ବିଶୋଧନ କରି ସହରବାସୀଙ୍କୁ ପାଣି ଯୋଗାଉଛି। କୁଆଖାଇରୁ ପାଣି ଉଠାଉଥିବା ପାଇପ୍‌ ଗତ ବିଳମ୍ବିତ ରାତିରେ ମାଟିତଳେ ଫାଟି ଯାଇଥିଲା। ପ୍ରାୟ ଅଠର ଫୁଟ୍‌ ତଳେ ଫାଟିଯିବାରୁ ଏହାକୁ ଯାଞ୍ଚ କରି ମରାମତି ଆରମ୍ଭ କରିବା ବିଳମ୍ବ ହୋଇଥିଲା। ସକାଳୁ ମରାମତି ଆରମ୍ଭ ହୋଇଛି ଯେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସରିନାହିଁ। ଯାହା ଫଳରେ ସାରା ଦିନ ୱାଟ୍‌କୋର ଡିଭିଜନ୍‌-୨ ଅଧୀନରେ ଥିବା ମଞ୍ଚେଶ୍ବର, ପଳାସୁଣି, ରସୁଲଗଡ଼, ଜିଜିପି କଲୋନି, ବାଣୀବିହାର, ଆଚାର୍ଯ୍ୟ ବିହାର, କଟକ୍‌ ରୋଡ୍‌ର ବମିଖାଲ ଠାରୁ ଆରମ୍ଭ କରି ଝାରପଡ଼ା, ଲକ୍ଷ୍ମୀସାଗର, କଳ୍ପନା, ସତ୍ୟନଗର, ଶାନ୍ତିପଲ୍ଲୀ, ସହିଦନଗର ଭଳି ପ୍ରମୁଖ ସ୍ଥାନ ଭୀଷଣ ପ୍ରଭାବିତ ହୋଇଛି। କେବଳ ପାନୀୟ ଜଳ ପାଇଁ ନୁହେଁ, ନିତ୍ୟକର୍ମ ଓ ଅନ୍ୟ ଅନେକ କାମ ପାଇଁ ମଧ୍ୟ ପାଣି ଦରକାର। ତେଣୁ ଲୋକମାନେ ସକାଳୁ ଉଠି ଫସି ଯାଇଥିଲେ। ଏହି ସରକାରୀ ଯୋଗାଣ ଉପରେ ପାଣି ପାଇଁ ନିର୍ଭର କରୁଥିବା ଲୋକମାନେ ତ୍ରାହି ତ୍ରାହି ଡାକିଥିଲେ।

ଗୋଟିଏ ପଟେ ମରାମତି ଚାଲିବା ସହ ଅନ୍ୟପଟେ ପ୍ରଭାବିତ ଅଞ୍ଚଳକୁ ୱାଟ୍‌କୋ ଟ୍ୟାଙ୍କର ଜରିଆରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିଥିଲା। ଏଥିରେ ୮୦ ହଜାରରୁ ଊର୍ଦ୍ଧ୍ବ ପରିବାର ପ୍ରଭାବିତ ହୋଇଥିବା ବେଳେ ୱାଟ୍‌କୋ ମାତ୍ର ୧୩ଟି ଟ୍ୟାଙ୍କର ବ୍ୟବସ୍ଥା କରିଥିଲା। ଗୋଟିଏ ଜାଗାରେ ଘଣ୍ଟାଏ ମଧ୍ୟରେ ପାଣି ସରି ଯାଉଥିଲା। ସେଠାକୁ ଦ୍ବିତୀୟବାର ଟ୍ୟାଙ୍କର ଆସୁନଥିଲା। କେତେକ ଜାଗାର ଗୋଟିଏ ଗୋଟିଏ ପରିବାର ଜବରଦସ୍ତ ଏକାଧିକ ପାତ୍ର ରଖି ପାଣି ନେଉଥିବା ବେଳେ ‌କେତେକ ପାଣି ପାଇନଥିଲେ। କେତେକ ଜାଗାରେ ଗଣ୍ଡଗୋଳର ଖବର ପାଇ ବା ଉପରୁ ନିର୍ଦ୍ଦେଶ ପାଇ କର୍ପୋରେଟରମାନେ ଘଟଣାସ୍ଥଳରେ ପହଞ୍ଚି ପାଣିର ବଣ୍ଟନ ବ୍ୟବସ୍ଥା ତଦାରଖ କରିଥିଲେ। ଆଜି ଦିନଟି ତ ଯେମିତି ସେମିତି ବିତି ଯାଇଛି, ଆସନ୍ତାକାଲି କଥା ଚିନ୍ତାକରି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପଥରବନ୍ଧ ବସ୍ତିର ଶ୍ରୀକାନ୍ତ ସାହୁ କହିଲେ, ‘‘ଆମେ ତ କେବଳ ଯୋଗାଣ ଜଳ ଉପରେ ନିର୍ଭର କରୁ। ଆଜି କଷ୍ଟେମଷ୍ଟେ ଚଳି ଯାଇଛୁ, କାଲି ପାଣି ନ ଆସିଲେ ଗଣ୍ଡଗୋଳ ହେଇଯିବ।’’ ଅନେକଙ୍କ ମୁହଁରୁ ସମାନ କଥା ଶୁଣିବାକୁ ମିଳିଛି। ପାଣିଟୋପେ ପାଇଁ ପରିବାର ଲୋକଙ୍କ ଧାଁଦଉଡ଼ ଓ ବ୍ୟସ୍ତତାକୁ ଦେଖି ନିର୍ବାକ୍‌ ପାଲଟି ଯାଇଥିବା ଜ‌ଣେ ବରିଷ୍ଠ ନାଗରିକ କହିଲେ, ‘‘ଖୋଦ୍‌ ରାଜଧାନୀରେ ଏମିତି ହେବବୋଲି କିଏ ସ୍ବପ୍ନରେ ସୁଦ୍ଧା ଭାବିଥିଲା...!’’

ଏଣେ ଆଜି ସକାଳୁ କୁଆଖାଇ ପଠାରେ ଏହି ପାଇପ୍‌ର ମରାମତି କାମ ଚାଲିଛି। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ ସରି ପାରିନାହିଁ। ୱାଟ୍‌କୋ ନୀର୍ବାହୀ ଯନ୍ତ୍ରୀ ଗୁରୁ ଦାସଙ୍କ କହିବା ଅନୁସାରେ, ରାତି ସୁଦ୍ଧା ସାରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ୧୫ରୁ ଅଧିକ ଯନ୍ତ୍ରୀ କାମରେ ଲାଗିଛନ୍ତି। କାମ କରିବାପାଇଁ ଜାଗା କମ୍‌ ରହିଛି। ଯେଉଁଠି ମରାମତି ହେବ ତାହା ଭୂମିରୁ ୧୮ ଫୁଟ୍‌ ତଳେ ରହିଛି। ପାଖରେ ଏକ ଦୁଇ ମହଲା ବିଶିଷ୍ଟ କୋଠା ମଧ୍ୟ ରହିଛି। ଏହା ଭୁଶୁଡ଼ି ପଡ଼ିବା ଆଶଙ୍କା ଥିବାରୁ ଅତି ସତର୍କତାର ସହ କାମ କରିବାକୁ ପଡ଼ୁଛି। ବାଡ଼ାଦେଇ ବାଲିକୁ ଅଟକା ଯାଇଛି। ଆଜି ଘରୋଇ ଓ ସରକାରୀ ଟ୍ୟାଙ୍କର ମିଶି ୧୩ଟି ବିଭିନ୍ନ ଅଞ୍ଚଳରେ ବିନିଯୋଗ କରାଯାଇଥିଲା। ଯଦି କାମ ନ ସରେ ତେବେ ସକାଳେ ପର୍ଯ୍ୟାପ୍ତ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି।