ଖଣ୍ଡଗିରି: ବସୁଧା ପାଣି ଟାଙ୍କି ଶୁଖିଲା ପଡ଼ିଛି। ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇପାରିନଥିବାରୁ ବସୁଧା ମଟର ଅଚଳ ହୋଇପଡ଼ିଛି। ଫଳରେ ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ବାଧାପ୍ରାପ୍ତ ହେବା ସହ ବହୁ ଲୋକ ହନ୍ତସନ୍ତ ହେଉଛନ୍ତି। ପଞ୍ଚାୟତ ପକ୍ଷରୁ ଜେନେରେଟର ଲଗାଇ ମଟର ଚାଲୁ କରାଯାଉଥିଲେ ବି ବସୁଧା ଯୋଗାଉଥିବା ପାଣି ଲୋକଙ୍କ ଅଭାବ ପୂରଣ କରିବାରେ ସକ୍ଷମ ହେଉନଥିବା ଅଭିଯୋଗ ହେଉଛି। ତେଣୁ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ରାଜଧାନୀ ଉପକଣ୍ଠରେ ଏବେ ବସୁଧା ଯୋଜନା ପୂରା ଫେଲ୍ ବୋଲି ଅଭିଯୋଗ ହେଉଛି। ମଦନପୁର, ତମାଣ୍ଡୋ, ନଁପୁଟ, ଛତାବର, ମେଣ୍ଢାଶାଳ, ଚନ୍ଦକା, ରଣସିଂହପୁର, ପାଇକରାପୁର, କଣ୍ଟାବାଡ଼, ଅଙ୍ଗାରପଡ଼ା, ଗଙ୍ଗପଡ଼ା ଓ ଯାଁଳା ଆଦି ପଞ୍ଚାୟତରେ ବସୁଧା ଏକପ୍ରକାର ଅଚଳ ବୋଲି ଲୋକମାନେ ଅଭିଯୋଗ କରୁଛନ୍ତି। ଲୋକଙ୍କ ଅଭିଯୋଗ ଅନୁସାରେ, ଏବେ ପାଇପ୍ ଜଳ ଯୋଗାଣ ଅବଧି ହ୍ରାସ କରାଯାଇଛି। ଦୁଇ ଘଣ୍ଟା ବଦଳରେ କେତେବେଳେ ଘଣ୍ଟାଏ ତ କେତେବେଳେ ଅଧଘଣ୍ଟା ଜଳ ଯୋଗାଣ ହେଉଛି। ଦିନେ ଦିନେ ସକାଳ ବେଳା ପାଇପ୍ ପାଣି ଆସୁଥିଲେ, ଅପରାହ୍ଣରେ ବନ୍ଦ କରାଯାଉଛି। ଫଳରେ ଆବଶ୍ୟକତାଠାରୁ ବହୁ କମ୍ ପରିମାଣର ପାନୀୟ ଜଳ ମିଳୁଛି। ତେଣୁ ଲୋକେ ବାଧ୍ୟ ହୋଇ ନଳକୂଅ ଉପରେ ନିର୍ଭର କରୁଛନ୍ତି। ମଦନପୁର ପଞ୍ଚାୟତରୁ ମିଳିଥିବା ଅଭିଯୋଗ ଅନୁସାରେ ସେଠାରେ ବହୁ ନଳକୂଅର ପାଣି ପାନୀୟ ଉପଯୁକ୍ତ ନୁହେଁ। କେଉଁ ନଳକୂଅରୁ ଗୋଳିଆ ପାଣି ତ କେଉଁ ନଳକୂଅରୁ ଲୁହାଳିଆ ପାଣି ବାହାରୁଛି। ତେଣୁ ପିଇବା କଥା ଦୂରେ ଥାଉ ଏହି ଜଳ ରୋଷେଇ ପାଇଁ ମଧ୍ୟ ଅନୁପଯୁକ୍ତ। ପାଇପ୍ ଜଳ ଅଭାବରୁ ଲୋକେ କୂଅ ପୋଖରୀରୁ ଜଳ ସଂଗ୍ରହ କରୁଛନ୍ତି ଓ ଦୂଷିତ ଜଳ ବ୍ୟବହାର କରି ଅସୁସ୍ଥ ହୋଇପଡ଼ୁଛନ୍ତି। କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦାବି ଅନୁସାରେ ବିଦ୍ୟୁତ୍ ନଥିଲେ ବି ଜେନେରେଟର ବ୍ୟବହାର କରି ମଟର ଚାଲୁ କରାଯାଉଛି ଓ ଲୋକଙ୍କୁ ଜଳ ଯୋଗାଣ କରାଯାଉଛି। ଏମିତିକି କିଛି କିଛି ପଞ୍ଚାୟତରେ ଟ୍ୟାଙ୍କର୍ ଯୋଗେ ଜଳ ଯୋଗାଣ କରାଯାଉଥିବା ମଧ୍ୟ ସରପଞ୍ଚମାନେ ଦାବି କରିଛନ୍ତି। ତେବେ ସତ କଥା ହେଉଛି ଜେନେରେଟର ବ୍ୟବହାର ବାବଦ ଖର୍ଚ୍ଚ ପାଇଁ ଯେତିକି ଅର୍ଥ ଆବଶ୍ୟକ ସେତିକି ବରାଦ ହୋଇନାହିଁ। କଣ୍ଟିଜେନ୍ସି ଫଣ୍ଡରେ ପ୍ରଚୁର ଅର୍ଥ ଥିଲେ ବି ଜେନେରେଟର ବ୍ୟବହାର ବାବଦ ଖର୍ଚ୍ଚ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ମଞ୍ଜୁରି ମିଳିବାରେ ସମସ୍ୟା ରହିଛି। ତେଣୁ ସରପଞ୍ଚମାନେ ମାପି ଚୁପି ଖର୍ଚ୍ଚ କରିବାକୁ ବାଧ୍ୟ ହେଉଥିବା କହିଛନ୍ତି। ତେଣୁ ବିଦ୍ୟୁତ୍ ସରବରାହ ସ୍ବାଭାବିକ ହେବା ପର୍ଯ୍ୟନ୍ତ ବସୁଧା ପାଇଁ ଜେନେରେଟର ବ୍ୟବହାର ଖର୍ଚ୍ଚ ଉପରେ ଅଙ୍କୁଶ ନ ରହିଲେ, ସରପଞ୍ଚମାନେ ଲୋକଙ୍କୁ ଆବଶ୍ୟକ ପରିମାଣର ପାଇପ୍ ଜଳ ଯୋଗାଇବାରେ ସକ୍ଷମ ହୋଇପାରନ୍ତେ ବୋଲି କହିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।