ଏବେଠୁ ଜଳ ସଙ୍କଟ : ମୁନ୍ଦାଏ ପାଣି ପାଇଁ ଡହଳବିକଳ

ଖରାଦିନ ଆରମ୍ଭ ହୋଇନାହିଁ। ରାଜଧାନୀରେ କିନ୍ତୁ ଦେଖିବାକୁ ମିଳିଲାଣି ଉତ୍କଟ ଜଳ ସମସ୍ୟା। କେଉଁଠି ଲୋକଙ୍କ ପାଇଁ ଥିବା ପାଣି ଟାଙ୍କି ଅଚଳ ହୋଇପଡ଼ିଛି ତ ଆଉ କେଉଁଠି ଟ୍ୟାପ୍‌ରେ ପାଣି ଆସୁନାହିଁ। ବିଶେଷକରି ବସ୍ତି ଅଞ୍ଚଳରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ସୋମବାର ରାଜଧାନୀର ବିଭିନ୍ନ ବସ୍ତିର ସମସ୍ୟାକୁ ନଜରକୁ ଆଣିଛନ୍ତି ‘ସମ୍ବାଦ’ ପ୍ରତିନିଧି ପ୍ରଗତି ସାହୁ ଫଟୋ: ବିଭୂତି ସାହୁ

୫ଶହ ଲୋକଙ୍କ ପାଇଁ ଗୋଟିଏ ନଳକୂପ

ପୂର୍ବାହ୍ନ ୧୧.୩୫ରେ ଯାଇ ପହଞ୍ଚିଲୁ ଓ୍ଵାର୍ଡ ନଂ-୧୮ସ୍ଥିତ ଅରବିନ୍ଦ ନଗର ବସ୍ତିରେ। ପ୍ରାୟ ୫୦୦ରୁ ଅଧିକ ଲୋକ ରହୁଥିବା ବେଳେ ଗୋଟିଏ ନଳକୂପ ହେଉଛି ସେମାନଙ୍କ ସହା ଭରଷା। ତାହା ମଧ୍ୟ ଅନେକ ସମୟରେ ଅଚଳ ହୋଇପଡ଼ୁଛି। ଆରମ୍ଭରୁ ୧୫ରୁ ୨୦ ମିନିଟ୍‌ ନଳକୂପ ମାରିଲା ପରେ ସେଥିରୁ ମୁନ୍ଦାଏ ପାଣି ବହାରୁଛି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ନଳକୂପରୁ ବାହାରୁଥିବା ପାଣିର ରଙ୍ଗ ହଳଦିଆ ହୋଇଥିବା ବେଳେ ଲୁହାଟିଆ ଗନ୍ଧ ଯୋଗୁଁ ପାଣି ପିଇବା ସମ୍ଭବ ହେଉନାହିଁ। ଏ ପର୍ଯ୍ୟନ୍ତ ପାଇପ ପାଣିର ସୁବିଧା ଦିଆଯାଇନାହିଁ। ମାସ ମାସ ଧରି ଏଭଳି ସମସ୍ୟା ବସ୍ତିରେ ଲାଗି ରହିଥିଲେ ହେଁ, କେହି ଏହାକୁ ଧ୍ୟାନ ଦେଉ ନାହାନ୍ତି।

ହାତୀଆଶୁଣୀ ନଗରରେ ଟାଙ୍କି ଓ ଟ୍ୟାପ୍‌ ଅଚଳ

ଏହା ପରେ ଆମେ ପହଞ୍ଚିଥିଲୁ ଓ୍ଵାର୍ଡ଼ ନଂ-୨୧ରେ ଥିବା ସାଲିଆସାହି ହାତୀଆଶୁଣୀ ନଗରରେ। ସେଠାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ସ୍ଥାନୀୟ ବସ୍ତିରେ ସମସ୍ତ ଟାଙ୍କି ଓ ଟ୍ୟାପ୍‌ ଆଚଳ ହୋଇପଡ଼ିଛି। ପିଇବା ପାଣି ଲାଗି ସ୍ଥାନୀୟ ଲୋକମାନଙ୍କୁ ତଳପଟ ସାହିକୁ ଯିବାକୁ ପଡ଼ୁଛି। ଏଠାରେ ପ୍ରାୟ ୨୦୦ ପରିବାର ବସବାସ କରୁଥିଲେ ହେଁ, ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେବାକୁ ପଡ଼ୁଛି। ଦୀର୍ଘଦିନ ହେବ ଟ୍ୟାପ୍‌ ଖରାପ ହୋଇ ପଡ଼ିଥିବା ବେଳେ ବିଏମ୍‌ସି କିମ୍ବା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ମରାମତି କରାଯାଉ ନାହିଁ।

କୁମ୍ଭୀରିୟା ବସ୍ତିରେ ପାଣି ଟାଙ୍କି ୫ ମାସ ହେଲା ଅଚଳ
ମଧ୍ୟାହ୍ନ ୧୨ଟା ହେବ ପହଞ୍ଚିଥିଲୁ ଓ୍ଵାର୍ଡ ନଂ-୧୯ରେ ଥିବା କୁମ୍ଭୀରିୟା ବସ୍ତିରେ। ୨୫୦ ଲୋକଙ୍କ ପିଇବା ପାଣି ପାଇଁ ବସ୍ତିରେ ପିଏଚ୍‌ଡି ପକ୍ଷରୁ ଗୋଟିଏ ପାଣି ଟାଙ୍କି ଯୋଗାଇ ଦିଆଯାଇଥିବା ବେଳେ ତାହା ମଧ୍ୟ ଅଚଳ ହୋଇପଡ଼ିଛି। ଟାଙ୍କି ଅଛି କିନ୍ତୁ ଟ୍ୟାପ୍‌ ନାହିଁ କି ପାଣି ନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, ୫ ମାସରୁ ଅଧିକ ଦିନ ହେଲା ଅଚଳ ହୋଇ ପଡ଼ିଛି। ପାଣି ପାଇଁ ଦୂରରେ ଥିବା ଏକ କଲୋନିରୁ ପାଣି ଆଣିବାକୁ ପଡ଼ୁଛି। ଆଗକୁ ଖରାଦିନ ଆସୁଥିବାରୁ ଏଭଳି ସମସ୍ୟାକୁ ଦୂର କରିବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

ସାନ୍ତାଳ ବସ୍ତିରେ ବିଏମ୍‌ସି ବନ୍ଦ କରିଦେଲା ପାଣି ଟାଙ୍କି

ଏହାପରେ ପହଞ୍ଚିଥିଲୁ ଓ୍ଵାର୍ଡ ନଂ-୧୬ ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ। ପାନୀୟ ଜଳ ପାଇଁ ଟାଙ୍କି ଓ ଟ୍ୟାପ୍‌ର ବ୍ୟବସ୍ଥା ରହିଛି ବସ୍ତିରେ। ମାତ୍ର ଟାଙ୍କି ଦୀର୍ଘଦିନ ହେବ ଅଚଳ ହୋଇ ପଡ଼ିଥିବା ବେଳେ ଟ୍ୟାପ୍‌ରେ ପାଣି ଆସୁନି। ଲୋକଙ୍କ କହିବା ଅନୁଯାୟୀ ବିଏମ୍‌ସି ୩ ବର୍ଷ ପୂର୍ବରୁ ଲୋକଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଥିଲା। ୨ ମାସ ଭଲ ଭାବେ ପାଣି ଆସୁଥିବା ବେଳେ ପରେ ବିଏମ୍‌ସିର ଅଧିକାରୀ ଆସି ଟାଙ୍କି ପାଣିକୁ ବନ୍ଦ କରିଦେଇଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଟ୍ୟାପ୍‌ ପାଣି ଉପରେ ୪୦ରୁ ଅଧିକ ଘର ନିର୍ଭରଶୀଳ ଥିବା ବେଳେ ପାଣି ପାଇଁ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି।

ଇଡ୍‌କୋ ସାହିରେ ବିଏମ୍‌ସିର ଅଣଦେଖା
ଓ୍ଵାର୍ଡ ନଂ-୨୦ରେ ଥବା ଇଡ୍‌କୋ ସାହିରେ ୫୦୦ରୁ ଅଧିକ ଆଦିବାସୀ ଲୋକେ ବସବାସ କରୁଛନ୍ତି। କିନ୍ତୁ ଏମାନଙ୍କ ସୁବିଧା ପାଇଁ ବିଏମ୍‌ସିର କୌଣସି ନଜର ନାହିଁ। ଏଠାରେ ୨ଟି ଟାଙ୍କି ଓ ୫ଟି କୂଅ ଥିବା ବେଳେ ସେଥିରୁ ୪ଟି କୂଅ ପିଇବା ଉପଯୋଗୀ ନୁହେଁ। ଟାଙ୍କି ଲାଗିବା ପରଠାରୁ ଏହା ଅଚଳ ହୋଇ ପଡ଼ିଥିବା ବେଳେ କୂଅର ପାଣି ହଳଦିଆ ରଙ୍ଗର। କୂଅର ପାଣିରୁ ଉତ୍କଟ ଗନ୍ଧ ବାହାରୁଛି। ସେଥିରେ ନା ବ୍ଲିଚିଙ୍ଗ୍‌ ପକାଯାଉଛି ନା ହାଲୋଜେନ୍‌ ବଟିକା। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଏହି ଗୋଟିଏ କୂଅ ଉପରେ ସମସ୍ତେ ନିର୍ଭର କରୁଛନ୍ତି। ସାହିରେ ଗୋଟିଏ ମାତ୍ର ପିଇବା ଉପଯୋଗୀ କୂଅ ରହିଥିବା ବେଳେ ତାହା ମଧ୍ୟ ଖରାଦିନେ ଶୁଖିଯାଉଛି। ତେଣୁ ପାଣି ପାଇଁ ଲୋକମାନଙ୍କୁ ଖରାପ ପାଣି ଥିବା କୂଅ ଉପରେ ନିର୍ଭର କରିବାକୁ ପଡ଼ୁଛି। ଯାହାକି ଲୋକଙ୍କ ପାଇଁ ବିଭିନ୍ନ ସମସ୍ୟା ଡାକି ଆଣୁଥିବା ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର