କ୍ୟାପିଟାଲ ହସ୍ପିଟାଲ, ଗହଳି ସ୍ଥାନରେ ୱାଟର ପ୍ୟୁରିଫାୟର ଅଚଳ

ଭୁବନେଶ୍ବର: ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ପାଣି ସମସ୍ୟା ଦେଖିବାକୁ ମିଳିଛି। ବିଶେଷକରି ହସ୍ପିଟାଲର ଗହଳି ସ୍ଥାନରେ ଲୋକଙ୍କୁ ପାଣି ମିଳୁନାହିଁ। ପ୍ରତ୍ୟେକ ଦିନ ଶହଶହ ରୋଗୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ସେମାନଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲରେ ବିଭିନ୍ନ ସ୍ଥାନରେ ରୋଗୀଙ୍କ ପାଇଁ ପାଣି ସୁବିଧା ରହିଛି। ଓଟିଠାରୁ ଆରମ୍ଭ କରି ଚକ୍ଷୁ, ଶିଶୁ ରୋଗ, ନର୍ସିଂ ହୋମ୍ ଓ କାର୍ଯ୍ୟାଳୟକୁ ମିଶାଇ ଅନ୍ୟାନ୍ୟ ସ୍ଥାନରେ ପିଇବା ପାଣିର ସୁବିଧା ରହିଛି। ମାତ୍ର ଯେଉଁ ସ୍ଥାନରେ ରୋଗୀଙ୍କ ଗହଳି ରହୁଛି ସେଠାରେ ସେସବୁ ଅଚଳ ହୋଇପଡ଼ିଛି। ହସ୍ପିଟାଲର ‘ନିରାମୟ’ କାଉଣ୍ଟରରେ ପ୍ରତ୍ୟେକ ଦିନ ଶହ ଶହ ଲୋକଙ୍କ ଧାଡ଼ି ଲାଗୁଛି। ସେଠାରେ ଔଷଧ ବିତରଣ ପାଇଁ ୪ଟି କାଉଣ୍ଟର ଥିବା ବେଳେ ଧାଡ଼ି ଅନେକ ସମୟରେ ଲମ୍ବା ରହୁଛି। ଟାଣ ଖରାରେ ଲୋକମାନେ ସେଠାରେ ଔଷଧ ପାଇଁ ଅପେକ୍ଷା କରୁଥିଲେ ହେଁ ପାଣିର ସୁବିଧା ନାହିଁ। ‘ନିରାମୟ’ କାଉଣ୍ଟରକୁ ଲାଗି ଦାନ ସୂତ୍ରରେ ଏକ ୱାଟର ପ୍ୟୁରିଫାୟର ହସ୍ପିଟାଲକୁ ମିଳିଥିଲା। ପ୍ୟୁରିଫାୟର ଅଛି ଓ ଗ୍ଲାସ୍ ବି ରହିଛି ହେଲେ ସେଥିରେ ପାଣି ଆସୁନାହିଁ। ସେହିପରି ପୁରୁଷ ୱାର୍ଡ ନିକଟରେ ଏକ ଆକ୍ବାଗାର୍ଡର ବ୍ୟବସ୍ଥା କରାଯାଇଥିଲା। ତାହା ମଧ୍ୟ ଅଚଳ।

ଏହାସହ ଅନେକ ସ୍ଥାନରେ ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ପକ୍ଷରୁ ପାନୀୟ ଜଳ ସୁବିଧା ପାଇଁ ଦାବି ହେଉଥିଲେ ହେଁ ସେଠାରେ ପାଣିର ବ୍ୟବସ୍ଥା ନାହିଁ। ତେଣୁ ଏଠାରେ ରହୁଥିବା ରୋଗୀମାନଙ୍କୁ ଅନ୍ୟ ସ୍ଥାନରୁ ପାଣି ଆଣିବା ପାଇଁ ନିର୍ଭର କରିବାକୁ ପଡ଼ୁଛି। ଅପରପ‌କ୍ଷେ କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘଦିନ ହେବ ଥିବା ନଳକୂପରୁ ପ‌ାଣି ବାହାରୁନି। ବହୁତ ଦିନ ହେଲା ତାହା ମଧ୍ୟ ଅଚଳ ହୋଇଯାଇଛି। ହସ୍ପିଟାଲ ଭିତରେ କେବଳ ପାଣିର ସୁବିଧା ରହିଛି। ୱାର୍ଡ ବାହାରେ ରୋଗୀ ଆଟେଣ୍ଡାଣ୍ଟଙ୍କ ପାଇଁ ପାଣିର କୌଣସି ସୁବିଧା ନାହିଁ। ଏ ସଂପର୍କରେ ହସ୍ପିଟାଲର ଅଧିକାରୀଙ୍କ କୌଣସି ମତାମତ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର