ବାଲିପାଟଣା: କୁରୁଞ୍ଜିପୁର ପଞ୍ଚାୟତରେ ୫ ଦିନ ହେଲା ପାନୀୟ ଜଳ ସଂକଟ ଦେଖାଯାଇଛି। ବସନ୍ତମାଳ ପାନୀୟ ଜଳ ପ୍ରକଳ୍ପର ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର ପୋଡ଼ିଯାଇଥିବା ୪ ୱାର୍ଡର ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତ ପକ୍ଷରୁ ବକେୟା ବିଦ୍ୟୁତ୍ ବିଲ୍ ପଇଠ ହେବା ସତ୍ତ୍ବେ ନୂଆ ଟ୍ରାନ୍‌ସଫର୍ମର ଲାଗିପାରୁନାହିଁ। ସେହିଭଳି ବଦଳାଶାସନ ଗାଁର ଶେଷ ମୁଣ୍ଡକୁ ପାଣି ପହଞ୍ଚି ପାରୁନଥିବାରୁ ଗ୍ରାମବାସୀମ‌ାନେ ପ୍ରକଳ୍ପରେ ତାଲା ପକାଇ ଦେବାରୁ ସମସ୍ତେ କଲବଲ ହେଉଥିବା ଜଣାପଡ଼ିଛି।

Advertisment

ସୂଚନାନୁସାରେ କୁରୁଞ୍ଜିପୁର ବସନ୍ତମାଳ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଟ୍ରାନ୍‌ସଫର୍ମର ଗତ ୭ ତାରିଖରୁ ପୋଡ଼ିଯାଇଛି। ଫଳରେ ଉକ୍ତ ପଞ୍ଚାୟତର ଓରିସ, ନାଗଶେଣୀ, କୁରୁଞ୍ଜିପୁର, ଦଳିତ ସାହି ଏବଂ ନାୟକ ସାହିକୁ ପାନୀୟ ଜଳ ଯୋଗାଣ ଠପ୍‌ ହୋଇଯାଇଛି। ୩ ହଜାରରୁ ଅଧିକ ଲୋକ ଜଳକଷ୍ଟରେ କଲବଲ ହେଉଛନ୍ତି। ଏଣେ ଓରିସ ଗାଁ ଏକମାତ୍ର ନଳକୂପଟି ଦୀର୍ଘ ଦିନ ହେଲା ଅଚଳ ହୋଇପଡ଼ିଛି। ଅନ୍ୟସବୁ ଗାଁରେ ନଳକୂପଗୁଡ଼ିକରୁ ଲୌହ ମିଶ୍ରିତ ପାଣି ବାହାରୁଥିବାରୁ ତାହା ପାନୀୟ ଉପଯୋଗୀ ହେଉନାହିଁ। ପ୍ରବଳ ଖରାରେ ସାଧାରଣ କୂଅ, ପୋଖରୀ ବି ଶୁଖିଯାଇଛି। ଯେଉଁଠି ବି କିଛି କିଛି ପାଣି ଅଛି, ତାହା ଗୋଳିଆ ହୋଇଥିବାରୁ ବ୍ୟବହାର ଉପଯୋଗୀ ନୁହେଁ। କେନାଲରେ ବି ପାଣି ନାହିଁ। ତେଣୁ ଗୋରୁଗାଈଙ୍କଠାରୁ ଆରମ୍ଭ କରି ସମସ୍ତେ ପାଣି ପାଇଁ ଡହଳବିକଳ ହେଉଛନ୍ତି।

ପଞ୍ଚାୟତ ପକ୍ଷରୁ ପାଣି ଟ୍ୟାଙ୍କର ଯୋଗେ ଜଳଯୋଗାଣ ହେଉଥିଲେ ବି ତାହା ଯଥେଷ୍ଟ ହେଉନାହିଁ। ଯେତିକି ପାଣି ମିଳୁଛି, ତାହା ରୋଷେଇ ପାଇଁ ବି ପାଉନାହିଁ। ଏନେଇ ବ୍ଲକ୍‌ ପାନୀୟ ଜଳ ଯୋଗାଣ ଅଧିକାରୀ ରଞ୍ଜନ କୁମାର ଘଡ଼େଇଙ୍କ କହିବା କଥା ବସନ୍ତମାଳ ପ୍ରକଳ୍ପର ଟ୍ରାନ୍‌ସଫର୍ମର ପୋଡ଼ି ଯାଇଛି ବୋଲି ନିମାପଡ଼ା ବିଦ୍ୟୁତ୍‌ ବିଭାଗକୁ ଅବଗତ କରାଯାଇଛି। କୁରୁଞ୍ଜିପୁର ପଞ୍ଚାୟତ ପକ୍ଷରୁ ବି ବକେୟା ବିଲ୍ ପଇଠ ହୋଇସାରିଛି। କିନ୍ତୁ ବୈଷୟିକ ତ୍ରୁଟି କାରଣରୁ ବିଦ୍ୟୁତ୍‌ ବିଭାଗ ଆକାଉଣ୍ଟରେ ଟଙ୍କା ଜମା ହୋଇପାରିନାହିଁ। ତେବେ ଖୁବ ଶୀଘ୍ର ନୂଆ ଟ୍ରାନ୍‌ସଫର୍ମର ବସାଇବାକୁ ପ୍ରସ୍ତୁତି ଚାଲିଛି ବୋଲି ଯନ୍ତ୍ରୀ ଶ୍ରୀ ଘଡ଼େଇ କହିଛନ୍ତି। ଏଣେ ବଦଳାଶାସନ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ସମସ୍ୟା ଦେଖାଯାଇଛି। ବଦଳା ପଣ୍ଡୁଆସାହି ଓ ପାଞ୍ଚବାଟିଆ ଗାଁକୁ ପାଣି ଯାଉନାହିଁ। ଫଳରେ ପ୍ରାୟ ୮୦ ପରିବାର ପିଇବା ପାଣି ପାଇବାରୁ ବଞ୍ଚିତ ହେବା ରାଗରେ ଗତ ୮ ତାରିଖରୁ ଉକ୍ତ ପ୍ରକଳ୍ପରେ ତାଲା ପକାଇ ଦେଇଛନ୍ତି। ଫଳରେ ସମସ୍ତେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଲେ। ତେବେ ଏହି ସମସ୍ୟାର ସମାଧାନ ହୋଇଛି ବୋଲି ଯନ୍ତ୍ରୀ ଶ୍ରୀ ଘଡ଼େଇ କହିଛନ୍ତି।