ଖଣ୍ଡଗିରି: ବିଏମ୍ସି ୬୪ ୱାର୍ଡ ନମ୍ବର ପଞ୍ଚସଖାନଗରରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି ବୋଲି ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ପାଇପ୍ ଯୋଗେ ଜଳ ଯୋଗାଣ ହେଉଥିଲେ ବି ତାହା ଯଥେଷ୍ଟ ହେଉନାହିଁ। ଜନସଂଖ୍ୟା ବଢ଼ୁଥିବା ସତ୍ତ୍ବେ ୫ ବର୍ଷ ତଳର ଭିତ୍ତିଭୂମିରେ କିଛି ଉନ୍ନତି ହୋଇନଥିବାରୁ ଜଳ ଯୋଗାଣ ଯଥେଷ୍ଟ ହେଉନାହିଁ। ଏକାଧିକ ସ୍ଥାନରେ ପାଣି ପାଇପ୍ ଫାଟି ଯାଇଥିଲେ ବି ମରାମତି କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ କେବଳ ଗୋଟିଏ ଘଣ୍ଟା ପାଣି ଆସୁଛି, ତା’ ପୁଣି ଧିମା ଗତିରେ। ତେଣୁ ବହୁ ସମୟରେ ପାଣି ଟାଙ୍କି ଭର୍ତ୍ତି ହେଉନାହିଁ। ଦିନକୁ ମାତ୍ର ଗୋଟିଏ ଘଣ୍ଟା ପାଣି ଆସୁଥିବାରୁ ଏକ ମହଲା କୋଠା ଘରେ ରହୁଥିବା କମ୍ ସଂଖ୍ୟକ ଲୋକ କଷ୍ଟେମଷ୍ଟେ ଚଳିଯାଉଛନ୍ତି। କିନ୍ତୁ ୩/୪ ମହଲା ଘରେ ରହୁଥିବା ଅଧିକ ସଂଖ୍ୟକ ଲୋକେ ବଡ଼ କଲବଲ ହେଉଛନ୍ତି। ବହୁ ସମୟରେ ନିତ୍ୟକର୍ମ କରିବାକୁ ମଧ୍ୟ ପାଣି ଅଣ୍ଟୁ ନାହିଁ ବୋଲି ସେମାନେ କହିଛନ୍ତି। ଏବେ ଖରାଦିନ ହୋଇଥିବାରୁ ବୋର୍ ୱେଲ୍ ପାଣି ତଳକୁ ଖସି ଯାଇଛି।
କିଛି କିଛି ସ୍ଥାନରେ ବୋର୍ୱେଲ୍ ପାଣି ପଙ୍କୁଆ ଲାଗୁଥିବା ବେଳେ ଲୌହ ମିଶ୍ରିତ ପାଣି ଆସୁଛି। ତେଣୁ ପାଇପ୍ ପାଣି ଉପରେ ସମସ୍ତେ ନିର୍ଭର କରିବାକୁ ବାଧ୍ୟ। ସରକାର ୨୪ ଘଣ୍ଟିଆ ଜଳ ଯୋଗାଣର ସ୍ବପ୍ନ ଦେଖାଉଥିବା ବେଳେ ଏବେ ଗୋଟିଏ ଘଣ୍ଟା ମଧ୍ୟ ଠିକରେ ପାଣି ଆସୁନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ। ତେବେ ୱାଟ୍କୋର ଏସ୍ଡିଓ ରାମଚନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।