ବାତ୍ୟା ଫନିକୁ ୫ ଦିନ ବିତିଲା, ପାଣି ପାଇଁ ଡହଳବିକଳ

ଭୁବନେଶ୍ବର : ‘ଫନି’କୁ ୫ଦିନ ବିତି ଗଲାଣି। ରାଜଧାନୀର କେତେକାଂଶରେ ବିଦ୍ୟୁତ ସଂଯୋଗ କାମ ମଧ୍ୟ ଆରମ୍ଭ ହୋଇଗଲାଣି। ଏପରିକି ରସୁଲଗଡ଼, ଜିଜିପି କଲୋନି ଓ ଜଗନ୍ନାଥ ନଗରରେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇ ସାରିଲାଣି। କିନ୍ତୁ ରସୁଲଗଡ଼ ନିକଟ ପଳାସୁଣୀ, ପ୍ରାଚୀବିହାର, ସତ୍ୟବିହାର, ମଞ୍ଚେଶ୍ବର ଗାଁ,ଚକେଇସିଆଣି, ମଞ୍ଚେଶ୍ବର ଶିଳ୍ପାଞ୍ଚଳ, କିଶାନନଗର, ସପ୍ତସତୀ ବିହାର ଆଦିକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଫଳରେ ଏହି ଅଞ୍ଚଳରେ ରହୁଥିବା ପାଖାପାଖି ୮୦ ହଜାର ଲୋକ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତାଘାଟ ଅନ୍ଧାର ରହିବା ସହ ପିଇବା ପାଇଁ ପାଣି ମଧ୍ୟ ପାଉନାହାନ୍ତି। ରାତି ବେ‌ଳା ମଶାଙ୍କ ପ୍ରାଦୁର୍ଭାବ ମଧ୍ୟ ବଢ଼ିଯାଉଛି। ଆଜି ସ୍ଥାନୀୟ ସତ୍ୟବିହାରର କେତେକ ଯୁବକ ରସୁଲଗଡ଼ ସେସୁ କାର୍ଯ୍ୟାଳୟକୁ ଯାଇ ବିଦ୍ୟୁତ ସଂଯୋଗ କରିବାକୁ ଦାବି କରିଥିଲେ। ନଚେତ ଏହି ସବୁ ଅଞ୍ଚଳର ଲୋକ ଆସନ୍ତାକାଲି ସେସୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଜାତୀୟ ରାଜପଥ ମଧ୍ୟ ଅବରୋଧ କରିବେ ବୋଲି ଧମକ ଦେଇଛନ୍ତି। ସେମାନଙ୍କ କହିବା ମୁତାବକ, ସତ୍ୟବିହାର, ସପ୍ତସତୀ ନଗର, କିଶାନନଗରରେ ଗୋଟିଏ ହେଲେ ବି ବିଦ୍ୟୁତ ଖୁଣ୍ଟ ଉପୁଡି ନାହିଁ, କିମ୍ବା ଗଛ ମଧ୍ୟ ପଡ଼ିନାହିଁ। କିନ୍ତୁ ସେସୁ କର୍ତୃପକ୍ଷ ଜାଣିଶୁଣି ଏହି ସବୁ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଦେବାରେ ବିଳମ୍ବ କରୁଛନ୍ତି।

ସେହିପରି ସବୁ ଅଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ଯୋଗାଣ ବ୍ୟବସ୍ଥା ନ ଥିବାରୁ ଲୋକେ ପାଣି ପାଇଁ ବୋରିଂ ଉପରେ ନିର୍ଭର କରୁଛନ୍ତି। ତେବେ ବିଦ୍ୟୁତ ନ ଥିବାରୁ ମଟର ଚାଲୁ ନାହିଁ। ଫଳରେ ଏହାର ଫାଇଦା ଉଠାଉଛନ୍ତି କେତେକ ଜେନେରେଟର ବ୍ୟବସାୟୀ। ଘରଘର ବୁଲି ଜେନେରେଟର ସଂଯୋଗ କରି ମଟର ଚଳାଉଛନ୍ତି। ଏହି ଜେନେ‌ରେଟର ବ୍ୟବସାୟୀମାନେ ଘଣ୍ଟାକୁ ୧୫ଶହ ଟଙ୍କା ନେଉଛନ୍ତି। ପ୍ରତ୍ୟେକ ଦିନ ଜେନେରେଟର ମାଧ୍ୟମରେ ପାଣି ଭରିବା ସମ୍ଭବ ମଧ୍ୟ ହେଉନାହିଁ। ଫଳରେ ସ୍ଥାନୀୟ ଲୋକମାନେ ଶୌଚ ପାଇଁ କୁଆଖାଇ ନଦୀ ଓ ପୁରୀ କେନାଲ ଉପରେ ନିର୍ଭର କରୁଛନ୍ତି।

ସେହିପରି ବିଏମ୍‌ସି ପକ୍ଷରୁ ମଧ୍ୟ ଏଯାଏ ସ୍ଥାନୀୟ ଅଞ୍ଚଳରେ ପିଇବା ପାଣି ଯୋଗାଣ ହୋଇନାହିଁ। ଲୋକେ ଚଢ଼ାଦରରେ ପାଣି ଖରିଦ କରୁଛନ୍ତି। ଆଉ କିଛି ଖୋଲାରେ ଥିବା ପୁରୁଣା କୂଅ, ଚୁଆ ଓ ଆର୍ପାଟମେଣ୍ଟରେ ଲାଗି ଥିବା ପାଣି ଟ୍ୟାପ ଉପରେ ନିର୍ଭର କରୁଛନ୍ତି। କୂଅ ଓ ଚୁଆ ପାଣି ମଧ୍ୟ ବିଶୁଦ୍ଧ ହୋଇନଥିଲେ ମଧ୍ୟ ଲୋକ ପିଇବାକୁ ବାଧ୍ୟ ହେଉଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ଝାଡ଼ା ଓ ଜଣ୍ଡିସ ଭଳି ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏ ସଂପର୍କରେ ରସୁଲଗଡ଼ ସେସୁ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଗୁରୁବାର ସକାଳୁ ଏହି ସବୁ ଅଞ୍ଚଳରେ ବିଦ୍ୟୁତ ସଂଯୋଗ କରାଯିବ।

ସମ୍ବନ୍ଧିତ ଖବର