ବାଲିଅନ୍ତା : ଜମିରେ ପହଞ୍ଚୁନି କେନାଲ ପାଣି, ଲିଫ୍ଟ ବି ଅଚଳ

ବାଲିଅନ୍ତା : ଶ୍ରାବଣ ମାସ ଅଧା ହେଲା। ବର୍ଷା ନାହିଁ। କେନାଲ ପା‌ଣି ବିଲରେ ମାଡ଼ୁନି। ଲିଫ୍ଟ ପଏଣ୍ଟ ମଧ୍ୟ ଅଚଳ। ତେଣୁ ଏକର ଏକର ଧାନ ଜମି ଶୁଖିଲା ପଡ଼ିଛି। ସମ୍ଭାବ୍ୟ ମରୁଡ଼ି ଆଶଙ୍କାରେ ଦିନ କାଟୁଛି ଚାଷୀ। ଏହା ହେଉଛି ବାଲିଅନ୍ତା ବ୍ଲକର ଚାଷୀମାନଙ୍କ ଅବସ୍ଥା। ଶାଖା କେନାଲ ସଫେଇ ହୋଇନଥିବାରୁ ଜମିକୁ ପାଣି ମାଡ଼ି ପାରୁନାହିଁ। ଫଳରେ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ତୁରନ୍ତ କେନାଲ ସଫେଇ ନ ହେଲେ, ଚାଷୀମାନେ ଜଳସେଚନ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ବେଣ୍ଟପୁର ଜଳସେଚନ କାର୍ଯ୍ୟାଳୟ ଅଧୀନ ପଟୁପଡ଼ା ଡିଷ୍ଟ୍ରିବ୍ୟୁଟାରି କେନାଲରେ ଏବେ ପାଣି ଛଡ଼ା ହୋଇଛି। କିନ୍ତୁ ଅନେକ ଶାଖା କେନାଲ ଶୁଖିଲା ପଡ଼ିଛି । ଉକ୍ତ ଡିଷ୍ଟ୍ରିବ୍ୟୁଟାରି କେନାଲରୁ ଶାଖା କେନାଲକୁ ପାଣି ଛଡ଼ାଯାଉଥିଲେ ମଧ୍ୟ ଶେଷମୁଣ୍ଡ କେନାଲ ପର୍ଯ୍ୟନ୍ତ ପାଣି ପହଞ୍ଚି ପାରୁନି। ଯାହାଫଳରେ ଶହ ଶହ ହେକ୍ଟର ଚାଷଜମିରେ ଏ ପର୍ଯ୍ୟନ୍ତ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଚାଷୀମାନଙ୍କ କହିବା କଥା ଶ୍ରାବଣ ମାସ ଅଧା ହେଲା, ହେଲେ ବର୍ଷା ଉଭାନ୍‌ ହୋଇଯାଇଛି। ଚିତାଲାଗି ଅମାବାସ୍ୟା ବେଳକୁ ଅଧିକାଂଶ ଜମିରେ ଋଆ ବେଉଷଣ କାର୍ଯ୍ୟ ସରିଯିବା କଥା। ମାତ୍ର ଏବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ ବହୁ ପଛରେ ପଡ଼ିଛି। ବଡ଼ ସମସ୍ୟା ହେଉଛି ପାଣି ଅଭାବରୁ ଧାନତଳି ଜଳିଗଲାଣି । ରୁଆ ଧାନ ଜମି ଫା‌ଟି ଗଲାଣି। ଏଭଳି ସ୍ଥିତିରେ କେନାଲ ଓ ଉଠା ଜଳସେଚନ ବ୍ୟବସ୍ଥା ଏକମାତ୍ର ବିକଳ୍ପ। ମାତ୍ର ଜଳସେଚନ ବିଭାଗର ଅବହେଳା ଯୋଗୁ ଶାଖା କେନାଲଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। କେନାଲ ଭିତରେ ଅନାବନା ଗଛଲତା ଭର୍ତି ହୋଇ ଯାଇଥିବାରୁ ସେଥିରେ ପାଣି ଯିବା ସମ୍ଭବ ହେଉନାହିଁ। ଫଳରେ କେନାଲର ଶେଷମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚୁନଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି।

ଏହାର ପ୍ରତିବାଦରେ ରଣପୁର, ଭାରତିବାଗ, ସରକଣା ଉପରମୁଣ୍ଡ ସାହି, କଇଁଜଙ୍ଗା, ଅଂଜିରା ଓ ଲୁଣା ଅଞ୍ଚଳରେ ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଠିକାଦାର କେନାଲ ସଫେଇ କାର୍ଯ୍ୟ ଭଲ ଭାବେ କରିନଥିବାରୁ ପାଣି ଆସୁନଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତ ଅଞ୍ଚଳର ଶତାଧିକ ଚାଷୀ ବେଣ୍ଟପୁର ଜଳସେଚନ କାର୍ଯ୍ୟାଳୟ ଘେରିବେ ବୋଲି ଜଣାଇଛନ୍ତି। କିଛି ଚାଷୀ ଏକାଠି ହୋଇ ନିଜେ କେନାଲ ସଫା କରି ଜମିକୁ ପାଣି ମଡ଼ାଇବାକୁ ଅଣ୍ଟା ଭିଡ଼ିଛନ୍ତି। ସେହିପରି ଉକ୍ତ ଡିଷ୍ଟ୍ରିବ୍ୟୁଟାରି କେନାଲର ବାଲିଗୁଣ୍ଡି, ବୁଦ୍ଧିପଡ଼ା ଓ କାଜିପୁର କେନାଲ ସଫା କରାଯାଇନଥିବାରୁ ପାଣି ଯୋଗାଣ ହେଉନାହିଁ। କେନାଲ ଅବସ୍ଥାକୁ ବଳି ପଡ଼ିଛି ଉଠା ଜଳସେଚନ ପଏଣ୍ଟର ଅଚଳାବସ୍ଥା। ବାଲିଅନ୍ତା ବ୍ଲକ ଅଞ୍ଚଳରେ ୮ଟି ଲିଫ୍ଟ ପଏଣ୍ଟ ଥିଲେ ମଧ୍ୟ କିଛି ବର୍ଷ ମଧ୍ୟରେ ଅଚଳ ହୋଇପଡ଼ିଛି। ବାରମ୍ବାର ଅଭିଯୋଗ କରାଯିବା ପରେ ବି କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଏ ସବୁ ଦିଗ ପ୍ରତି କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଚାଷୀମାନଙ୍କ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର