ୱାର୍ଡ ପରିସୀମା
ଭୀମଟାଙ୍ଗି ଫେଜ୍-୧, ଭୀମଟାଙ୍ଗି ଫେଜ୍-୨, ମଶାଣି ଅଞ୍ଚଳ, ଡାକବଙ୍ଗଳା ଛକ, ଅରବିନ୍ଦ ନଗର, ପୁନାମା ଗେଟ୍, ଖଣ୍ଡୁଆଳବସ୍ତି, ବେହେରା ସାହି, ପିପୁଲସ୍ ବସ୍ତି, ଭଗବତୀ ବସ୍ତି, ମହତାବ ରୋଡ

ଭୋଟର୍: ୧୦୯୬୭
ପୁରୁଷ: ୫୮୦୧
ମହିଳା: ୫୧୫୯
ତୃତୀୟ ଲିଙ୍ଗ: ୭

Advertisment

ପୁରୁଣା ଭୁବନେଶ୍ବର : ସବୁ ବସ୍ତିବାସିନ୍ଦାଙ୍କୁ ପିଏଚ୍‌ଡି ଦ୍ବାରା ଯୋଗାଇ ଦିଆଯାଉଥିବା ପାଇପ୍ ଜଳ ମିଳିନାହିଁ। ବହୁ ଅଞ୍ଚଳରେ ଦୟାୱେଷ୍ଟ କେନାଲର ଦୂଷିତ ପାଣି ସାଧାରଣ କୂଅ ପା‌ଣିକୁ ନଷ୍ଟ କରୁଛି। ତେଣୁ ଏଠାରେ କିଛି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ। ତେବେ ପାନୀୟ ଜଳ ସଂକଟ ଥିବା ଏହି ଅଞ୍ଚଳରେ ବର୍ଷା ଦିନେ କିଛି ପ୍ରମୁଖ ରାସ୍ତାରେ ବନ୍ୟା ଛୁଟେ। ସେହିଭଳି ପଙ୍କ ଭର୍ତ୍ତି ବହୁ ଡ୍ରେନ୍‌ର ପାଣି ଉଛୁଳି ରାସ୍ତାରେ ଲହଡ଼ି ମାରେ। ଏହା ହେଉଛି ବିଏମ୍‌ସି ୬୧ ନମ୍ବର ୱାର୍ଡର ସମସ୍ୟା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଭୀମଟାଙ୍ଗି ତଳ ଫେଜ୍ ଲେନ୍ ୧୫ ମଙ୍ଗଳା ମନ୍ଦିର ନିକଟରୁ କେନାଲ ପର୍ଯ୍ୟନ୍ତ ଡ୍ରେନ୍ ପାଣି ରାସ୍ତାରେ ଜମି ରହୁଛି। ନାରାୟଣୀ କ୍ଲବ୍‌ଠାରୁ ଭୀମଟାଙ୍ଗିକୁ ଯାଇଥିବା ରାସ୍ତା ଓ ଅଟାକଳ ନିକଟ କାହ୍ନା ଟ୍ୟୁଟୋରିଆଲ୍‌ ଗଳିରେ ସମାନ ଅବସ୍ଥା। ପୁରୁଣା ଡ୍ରେନ୍‌ଗୁଡ଼ିକରୁ ପଙ୍କ ଉଦ୍ଧାର ହେଉନଥିବା ବେଳେ ବହୁ ଡ୍ରେନ୍‌ରେ ସ୍ଲାବ୍ ନାହିଁ। ଭୀମେଶ୍ବର ପୁଷ୍କରିଣୀ ପୁନରୁଦ୍ଧାର ହୋଇପାରିଲା ନାହିଁ। ପୁରାଣବର୍ଣ୍ଣିତ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଭୀମକୁଣ୍ଡ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପାଞ୍ଚ ପାଞ୍ଚଟି ମହିଳା ମହାସଂଘ ଥିଲେ ବି ଏଠାରେ ମିସନ ଶକ୍ତି ଗୃହ ନାହିଁ। ସେହିଭଳି ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ଭଡ଼ା ଘରେ ଅତି ଦୟନୀୟ ଅବସ୍ଥାରେ ଚାଲୁଛି। କାଳିଗାଡ଼ିଆ ଶ୍ମଶାନ ଜମିରେ ଜବରଦଖଲ ବଢ଼ିଚାଲିଛି। ଭେଣ୍ଡିଂ ଜୋନ୍‌ କରାଗଲା ନାହିଁ। ତେଣୁ ବସ୍ତିରେ ଡ୍ରେନ୍ ନିର୍ମାଣ ଓ ବସ୍ତିବାସିନ୍ଦାଙ୍କ ଲାଗି ସ୍ଥାୟୀ ପଟ୍ଟା ଦାବି ଏଥର ପୌର ନିର୍ବା‌ଚନର ପ୍ରମୁଖ ପ୍ରସଙ୍ଗ ପାଲଟିବ ବୋଲି ସୂଚନା ମିଳିଛି।

ଏନେଇ ପୂର୍ବତନ କର୍ପୋରେଟର ଅନିତା କୁହନ୍ତି ଯେ ତାଙ୍କ କାର୍ଯ୍ୟକାଳ ଭିତରେ ଏହି ଅଞ୍ଚଳର ବହୁ ରାସ୍ତା ନବୀକରଣ ହେବା ସହ ଡ୍ରେନ୍ ମରାମତି ହୋଇଛି ଓ ପାର୍କ ନିର୍ମାଣ କରାଯାଇଛି। ପାନୀୟ ଜଳ ଯୋଗାଣ ପାଇଁ ସବୁଆଡ଼େ ପାଇପ୍ ବିଛାଇବା କାମ ହୋଇଛି। ୫ଟି ବସ୍ତିରେ ରାସ୍ତା, ଆଲୋକୀକରଣ ଓ ଡ୍ରେନ୍ କାମ ହୋଇଛି।

ଅରବିନ୍ଦନଗରରେ ବଡ଼ ଡ୍ରେନ୍ ହୋଇଛି। ଭୀମେଶ୍ବର ମନ୍ଦିର ଓ ଶ୍ମଶାନରେ ଆଲୋକୀକରଣ ହୋଇଛି। ବିଡିଏ ଶିଶୁ ଉଦ୍ୟାନର ପୁନରୁଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ଏହି ୱାର୍ଡ ସବୁବେଳେ ବିଜେଡି କବ୍‌ଜାରେ ରହିଛି। ୨୦୦୮ରେ ବିଜେଡିର ଛବୀନ୍ଦ୍ର କୁମାର ଜେନା କର୍ପୋରେଟର୍ ହୋଇଥିଲେ। ସେ ବିଜେପିର ସୁବାସିନୀ ପୃଷ୍ଟିଙ୍କୁ ପରାସ୍ତ କରିଥିଲେ। ୨୦୧୪ରେ ଏହି ୱାର୍ଡ ମହିଳାଙ୍କ ଲାଗି ସଂରକ୍ଷିତ ହେବାରୁ ଛବିନ୍ଦ୍ରଙ୍କ ପତ୍ନୀ ରାଜଶ୍ରୀ ଜେନା ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ବିଜେଡିର ଅନିତାରାଣୀ ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସୁବାସିନୀ ପୃଷ୍ଟିଙ୍କୁ ହରାଇଥିଲେ। ଏଥର ଏହି ୱାର୍ଡ ଅଣସଂରକ୍ଷିତ ରହିଛି। ବିଜେଡିରୁ ଅନିତା ପୁଣି ଆଶାବାଦୀ ଥିବା ବେଳେ ଶିବ ନାରାୟଣ ରାୟଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି। ଏହାବାଦ୍‌ ପଡ଼ୋଶୀ ୱାର୍ଡର ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର ଓ ପୂର୍ବତନ କର୍ପୋରେଟର ଛବୀନ୍ଦ୍ର ଜେନାଙ୍କ ନାମ ମଧ୍ୟ ବିଜେଡି ଶିବିରରେ ଆଲୋଚନା ହେଉଛି। ବିଜେପିର ଦୁଇ ଜଣଙ୍କ ନାମ ଚର୍ଚ୍ଚାକୁ ଆସିଛି। ସୁବାସିନୀ ପୃଷ୍ଟି ପୁଣି ବିଜେପି ପ୍ରାର୍ଥୀ ହେବ ବୋଲି ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ସେହିପରି ବିଜେପିରୁ ଟିକେଟ ନପାଇଲେ ବି ଅଜିତ ମହାନ୍ତି ଲଢ଼ିବେ ବୋଲି କହିଛନ୍ତି। ପାର୍ଥସାରଥୀ ମହାପାତ୍ର ମଧ୍ୟ ଦଳୀୟ ଟିକେଟ ପାଇଁ ଆଶା ବାନ୍ଧିଛନ୍ତି ଓ ଟିକେଟ ନମିଳିଲେ, ସ୍ବାଧୀନ ଭାବେ ଲଢ଼ିବେ ବୋଲି ପ୍ରସ୍ତୁତି ଚଳାଇଛନ୍ତି। କଂଗ୍ରେସରୁ ନାରାୟଣ ଜେନା ପ୍ରାର୍ଥୀ ହେବା ପାଇଁ ସଜବାଜ ହେଉଛନ୍ତି।