ଓଏସ୍‌ଆର୍‌ଟିସି ବସ୍‌ରୁ ପାଣି ଗଳିଲା, ଛିଡ଼ା ହୋଇ ଖୋର୍ଦ୍ଧାରୁ ବଲାଙ୍ଗୀର ଗଲେ ଯାତ୍ରୀ

ଭୁବନେଶ୍ବର:ଭୁବନେଶ୍ବରରୁ ଭାୟା ବଲାଙ୍ଗୀର ହୋଇ ସିନାପାଲି ଯାଉଥିବା ଓଏସ୍‌ଆରଟିସି ବସ୍‌ରେ ଆଜି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବସ୍‌ ନଂ- ୦୪୦୮ର ଛାତରୁ ବର୍ଷା ପାଣି ଗଳିବାରୁ ବସ୍‌ର ସମସ୍ତ ଯାତ୍ରୀ ଆଜି ଖୋର୍ଦ୍ଧା ନିକଟରୁ ବଲାଙ୍ଗୀର, ସିନାପାଲି ପର୍ଯ୍ୟନ୍ତ ଛିଡ଼ା ହୋଇ ଯାଇଛନ୍ତି। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋ‌ଷ ଦେଖାଦେଇଥିଲେ ହେଁ ଓଏସ୍‌ଆର୍‌ଟିସି କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରିନଥିଲେ। ବସ୍‌‌‌ରେ ଭୁବନେଶ୍ବରରୁ ବଲାଙ୍ଗୀର ଯାଉଥିବା ଯାତ୍ରୀ ପ୍ରଭାକର ଜୟସିଂହଙ୍କ ଅଭିଯୋଗ ଅନୁଯାୟୀ ବସ୍‌ଟି ଖୋର୍ଦ୍ଧା ପାଖାପାଖି ହୋଇଥିବାବେଳେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ବଢ଼ିବା ସହ ବସ୍‌ ଛାତରୁ ଜୋର୍‌ରେ ପାଣି ଗଳିଥିଲା।

ଏଥିରେ ସିଟ୍‌ରେ ବସିଥିବା ଯାତ୍ରୀମାନେ ସଂପୂର୍ଣ୍ଣ ଓଦା ହେବା ସହ ସେମାନଙ୍କ ସମସ୍ତ ସାମଗ୍ରୀ ଓଦା ହୋଇଯାଇଥିଲା। ବର୍ଷା ଛାଡ଼ିବା ପରେ ବି ସିଟ୍‌ ଓଦା ଥିବାରୁ ଯାତ୍ରୀମାନେ ବସିପାରିନଥିଲେ। ଏନେଇ ବିକଳ୍ପ ବ୍ୟବସ୍ଥା କରିବାକୁ ବସ୍‌ କଣ୍ଡକ୍ଟରଙ୍କୁ କହିଥିଲେ ବି ସେ ଶୁଣିନଥିଲେ। ବହୁ ପାଟିତୁଣ୍ଡ ହେବା ପରେ ଯାତ୍ରୀମାନେ କିଛି ଉପାୟ ନପାଇ ଛିଡ଼ା ହୋଇ ଗନ୍ତବ୍ୟସ୍ଥଳକୁ ଯାଇଥିଲା। ଏନେଇ ଓଏସ୍‌ଆର୍‌ଟିସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ବି କିଛି ଉତ୍ତର ମିଳିନଥିଲା।

ସମ୍ବନ୍ଧିତ ଖବର