ଦିନକୁ ୧୦୦ ଟ୍ୟାଙ୍କରରେ ପାଣି ଯୋଗାଣ ହେଉଛି

କାନ୍ଥ ପଡ଼ି ଆହତ ମହିଳାଙ୍କ ମୃତ୍ୟୁ, କଣ୍ଟ୍ରୋଲ ରୁମ୍‌କୁ ଆସିଲାଣି ୮୭୬ ଅଭିଯୋଗ, ସ୍କୁଲ୍‌‌ ପଡ଼ିଆରେ ଗଦା ହେଉଛି କାଠ

ଭୁବନେଶ୍ବର : ରାଜଧାନୀବାସୀଙ୍କୁ ପିଇବା ପାଣି ଯୋଗାଣ ପାଇଁ ଜନସ୍ବାସ୍ଥ୍ୟ ଉଦ୍ୟମ କରୁଥିବା ବେଳେ ଏବେ ସୁଦ୍ଧା ପ୍ରାୟ ୪୦% ଅଞ୍ଚଳରେ ଜଳ ଯୋଗାଣ ସ୍ବାଭାବିକ ହୋଇଛି। ଯେଉଁ ଅଞ୍ଚଳରେ ପାଇପ୍ ଯୋଗେ ପିଇବା ପାଣି ପହଞ୍ଚୁନି, ସେଠାରେ ଟ୍ୟାଙ୍କର୍‌ ମାଧ୍ୟମରେ ପାଣି ଯୋଗାଯାଉଛି। ଦୈନିକ ପ୍ରାୟ ୧୦୦ଟ୍ୟାଙ୍କର ପାଣି ଯୋଗାଯାଉଥିବା ବେଳେ ସକାଳ ୫ଟା ୩୦ରୁ ରାତି ୧ଟା ପର୍ଯ୍ୟନ୍ତ ଏହି ପାଣି ଯୋଗାଣ ହେଉଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ରାଜଧାନୀବାସୀ ଯେପରି ପାଣି ସଙ୍କଟର ସମ୍ମୁଖୀନ ହେବେନି, ସେଥିପାଇଁ ପୁଲିସ କମିସନର ବି ନିୟମିତ ସମୀକ୍ଷା କରୁଛନ୍ତି। ଯେଉଁଠି ଲୋକ ପାଣି ପାଉନାହାନ୍ତି ସେମାନେ ୦୬୭୪-୨୩୯୦୪୩୩ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।

କାନ୍ଥ ପଡ଼ି ଆହତ ମହିଳାଙ୍କ ମୃତ୍ୟୁ

ବାଲିପାଟଣା : ଗତକାଲି ବାଲିପାଟଣା ବ୍ଲକ ତୁରିନ୍ତିରା ପଞ୍ଚାୟତର ଅଙ୍ଗାରପଡ଼ା ମୌଜାରେ କାନ୍ଥ ପଡ଼ି ଗୁରୁତର ଆହତ ହୋଇଥିବା ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତକାଲି ସକାଳେ ଉକ୍ତ ଗ୍ରାମର ମହିଳା ମନୋରମା ଦାସ (୬୨) ବାତ୍ୟାରେ ଭାଙ୍ଗିଯାଇଥିବା ଘରର ବାଉଁଶ ସଜାଡ଼ୁଥିବା ବେଳେ ତାଙ୍କ ଉପରେ କାନ୍ଥ ପଡ଼ି ଯାଇଥିଲା। କାନ୍ଥ ତଳେ ଚାପି ହୋଇ ଦୀର୍ଘ ସମୟ ରହିବା ପରେ ଗ୍ରାମବାସୀଙ୍କ ସହାୟତାରେ ତାଙ୍କ ପୁଅ ଉଦ୍ଧାର କରି ତାଙ୍କୁ ବାଲିପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମୃତ୍ୟୁ ଖବର ପାଇ ତୁରିନ୍ତିରା ସରପଞ୍ଚ ସୁଲୋଚନା ସ୍ବାଇଁ ୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

କଣ୍ଟ୍ରୋଲ ରୁମ୍‌କୁ ଆସିଲାଣି ୮୭୬ ଅଭିଯୋଗ

ଭୁବନେଶ୍ବର : ଆଜି ସୁଦ୍ଧା ବିଏମ୍‌ସିକୁ ୮୭୬ଟି ଅଭିଯୋଗ ଆସିଥିବା ବେଳେ ଏହାର ସମାଧାନ ପାଇଁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଉଛି। ବିଦ୍ୟୁତ ସଂଯୋଗ ଦେବା, ପାଣି ଦେବା ଏବଂ ଗଛ ଉଠାଇବା ଜନିତ ଅଭିଯୋଗ ମୁଖ୍ୟତଃ ଆସୁଥିବା ବେଳେ ଆବର୍ଜନା ଉଠାଇବା, ଭଙ୍ଗା ଡାଳ ଉଠାଇବା ପାଇଁ ୫୧୬ଟି ଗାଡ଼ି ମୁତୟନ ହୋଇଥିବା କୁହାଯାଇଛି।

ସ୍କୁଲ୍‌‌ ପଡ଼ିଆରେ ଗଦା ହେଉଛି କାଠ

ଭୁବନେଶ୍ବର : ଗଳିକନ୍ଦିରେ ଭାଙ୍ଗି ପଡ଼ିଥିବା ଗଛଲତା ଏବେ ଯାତାୟାତରେ ବାଧକ ସାଜିଛି। ଏଭଳି ସ୍ଥିତିରେ ରାସ୍ତାକୁ କିଭଳି ଯଥାଶୀଘ୍ର ଭାଙ୍ଗି ପଡ଼ିଥିବା ଗଛଲତାର ଡାଳରୁ ମୁକ୍ତି ଦିଆଯିବ ସେନେଇ ପ୍ରାଥମିକତା ଦିଆଯାଇଛି। ଏଥିପାଇଁ କିଛି ସ୍କୁଲ୍‌ ପଡ଼ିଆରେ ଏହି କାଠ ଓ ଡାଳଗୁଡ଼ିକ ଗଦା ହେଉଛି। ବିଏମ୍‌ସି କମିସନରଙ୍କ ନିର୍ଦେଶ ମୁତାବକ, ଏହି ବୃକ୍ଷ ବର୍ଜ୍ୟବସ୍ତୁଗୁଡ଼ିକୁ ଟ୍ରାକ୍ଟର ଓ ଟ୍ରକ୍‌ ଯୋଗେ ନେଇ ସ୍କୁଲ୍‌ ପଡ଼ିଆରେ ଗଦା ହେଉଛି। ପୂର୍ତ ବିଭାଗ ଏହି ବର୍ଜ୍ୟ ଉଠାଇବାରେ ନିୟୋଜିତ ହୋଇଛି। ସହରକୁ କିଛି ଜୋନ୍‌ରେ ବିଭାଜିତ କ‌ରି ଜଣେ ଜଣେ ଅଧିକାରୀଙ୍କ ଦାୟିତ୍ବ ଦିଆଯାଇଛି। ବର୍ଜ୍ୟ ଉଠାଇବା ପାଇଁ କିଛି ଠିକାଦାରଙ୍କୁ ନିଯୁକ୍ତ କରିଛି ପୂର୍ତ ବିଭାଗ। ରୋଡ୍‌ ଓ ଗଳିକନ୍ଦି ପରିସ୍କାର ହୋଇଯିବା ପରେ ଏହା କୋଉଠିକୁ ସ୍ଥାନାନ୍ତର ହେବ, ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ପୂର୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର