ଜଟଣୀ: ବେଣାପଞ୍ଜରୀ ପଞ୍ଚାୟତ ବିଶିଆପଡ଼ା ଗାଁରେ ବର୍ଷ ବର୍ଷ ଧରି ପିଇବା ପାଣି ନଷ୍ଟ ହେଉଛି। ଲକ୍ଷ ଲକ୍ଷ ଲିଟର ଯୋଗାଣ ପାଣି ରାସ୍ତା ଓ ନାଳରେ ଭାସୁଛି। ପାଇପ୍ରୁ ଲିକ୍ ହୋଇ ଅନବରତ ପାଣି ଭାସିବା ଦ୍ବାରା ବିଭିନ୍ନ ସ୍ଥାନରେ କୃତ୍ରିମ ନାଳ ସୃଷ୍ଟି ହେବା ସହ ରାସ୍ତା ମଧ୍ୟ ଖରାପ ହୋଇଗଲାଣି। ସେହିପରି ପାଇପ୍ ଯୋଗେ ଯୋଗାଣ ହେଉଥିବା ପାଣି ଗୋଳିଆ ଆସୁଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ତେବେ ଯୋଗାଣ ହେଉଥିବା ପାଣିପାଇପ୍ଗୁଡ଼ିକ ପୁରୁଣା ହୋଇଥିବାରୁ ତାହା ନଷ୍ଟ ହୋଇଗଲାଣି। ନଷ୍ଟ ହୋଇଯାଇଥିବା ସ୍ଥାନରୁ ପାଣି ବାହାରୁଥିବା ଦେଖିବାକୁ ମିଳିଛି। ଏବେ ପାଖ ଗାଁ ରାଣୀପୁରରେ ଝାଡ଼ାବାନ୍ତି ଲାଗି ରହିଛି। ତେଣୁ ଆଖ ପାଖ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି।
ଗାଁରେ ନଳକୂଅ ନଥିବାରୁ ୪୦୦ରୁ ଊର୍ଦ୍ଧ୍ୱ ପରିବାର ଏହି ଯୋଗାଣ ପାଣି ଉପରେ ନିର୍ଭର କରନ୍ତି। ତଥାପି ପାନୀୟ ଜଳ ପାଇଁ ସମସ୍ତେ ସଂଘର୍ଷ କରୁଛନ୍ତି। ପାଣିପାଇପ୍ର ଅନେକ ସ୍ଥାନରେ ଟ୍ୟାପ୍ ନାହିଁ। ଯେଉଁଥିପାଇଁ ଗାଁ ଲୋକେ ଏହି ଲିକେଜ୍ ହେଉଥିବା ସ୍ଥାନରୁ ପାଣି ନେଉଥିବା ଦେଖିବାକୁ ମିଳିଛି। ପାଇପ୍ରୁ ଅନେକ ସମୟରେ ଗୋଳିଆ ପାଣି ଆସୁଛି। ଏହାସତ୍ତ୍ବେ ପାଇପ୍ଲାଇନର ମରାମତି ହେଉନି କି ଗୋଳିଆ ପାଣି ସମସ୍ୟାର ସମାଧାନ ପାଇଁ ପ୍ରଶାସନ କିଛି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି।
ଗ୍ରାମର ବାସିନ୍ଦା ମନୋଜ ବେହେରା କହିଛନ୍ତି, ପାଖ ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏଠାରେ ମଧ୍ୟ ପାଣି ଦୂଷିତ ହେଉଥିବାରୁ ସଂକ୍ରାମକ ରୋଗ ବ୍ୟାପିବା ଆଶଙ୍କା କରାଯାଉଛି। ପାଇପ୍ ପାଣି ପିଇବାଯୋଗ୍ୟ ନୁହେଁ। ଲୋକଙ୍କ ସୁବିଧା ପାଇଁ ତୁରନ୍ତ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁ। ସ୍ଥାନୀୟ ସରପଞ୍ଚ ଆରଜୁ ପରବିନ୍ କହିଛନ୍ତି, ପ୍ରତିଦିନ ପାଇପ୍ ଯୋଗେ ଗାଁକୁ ଯୋଗାଣ ପାଣି ଆସୁଛି। କିନ୍ତୁ ପାଣି ଲିକେଜ୍ ହେବା ଓ ଗୋଳିଆ ପାଣି ଆସିବା ସଂକ୍ରାନ୍ତରେ କେହି ଅଭିଯୋଗ କରିନାହାନ୍ତି। ଆଗକୁ ଘଟଣା ସଂପର୍କରେ ବୁଝି ପଦକ୍ଷେପ ନିଆଯିବ।