ପାଣି ପାଇଁ ଚିନ୍ତାରେ ପଣ୍ଡାକୁଦିଆର ବିସ୍ଥାପିତ ବସ୍ତି ବାସିନ୍ଦା, ଟ୍ରାନ୍ସଫର୍ମର୍‌ ପାଇଁ ଅଟକିଛି ଜଳ ଯୋଗାଣ

ଭୁବନେଶ୍ବର: ୨୦୧୮ ହକି ବିଶ୍ବକପ୍ ପାଇଁ ସରକାର ସହରର ସୌନ୍ଦର୍ଯ୍ୟ ନିମନ୍ତେ କଳିଙ୍ଗ ଷ୍ଟାଡିଅମ୍ ପାର୍ଶ୍ବରେ ଥିବା ଜଗନ୍ନାଥ ବସ୍ତିକୁ ଉଚ୍ଛେଦ କରି ପଣ୍ଡାକୁଦିଆକୁ ସ୍ଥାନାନ୍ତର କଲେ। ପ୍ରଥମେ ସେମାନଙ୍କୁ ଖାଦ୍ୟପେୟ ସହିତ ରହିବା ପାଇଁ କିଛି ଟଙ୍କାର ସହାୟତା ଦିଆଗଲା। କିନ୍ତୁ ଏହି ବସ୍ତିର ୩୦୮ ପରିବାରକୁ ଆଜି ପର୍ଯ୍ୟନ୍ତ ପିଇବା ପାଇଁ ପାଣି ମୁନ୍ଦେ ଦେଇପାରିଲେ ନାହିଁ। ଦୀର୍ଘ ଦେଢ଼ ବର୍ଷ ପରେ ମଧ୍ୟ ଏହି ବସ୍ତି ବାସିନ୍ଦା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ବସ୍ତିର ସମସ୍ତ ପରିବାରକୁ ଆଜି ପର୍ଯ୍ୟନ୍ତ ପାଣି ପାଇପ୍ ସଂଯୋଗ କରାଯାଇନାହିଁ। ଦିନରେ ପାଣି ପାଇପ ସଂଯୋଗ ଘରଗୁଡ଼ିକ ମାତ୍ର ଥରେ ୩୦ ରୁ ୪୫ ମିନିଟ୍ ପାଇଁ ପାଣି ପାଇଥାଆନ୍ତି। ସେଥିରେ ପୁଣି ପ୍ରାୟ ଦିନ ପାଣିର ପ୍ରେସର୍ ରହୁନଥିବାରୁ ଧିମା ଗତିରେ ପାଣି ଆସିବା ସହିତ ବସ୍ତିର ଅଧିକାଂଶ ଘରେ ପାଣି ପହଞ୍ଚିପାରେ ନାହିଁ। ଦିନେ ଦିନେ ଗୋଳିଆ ଓ ଅପରିଷ୍କାର ପାଣି ଆସେ। ବସ୍ତି ମଧ୍ୟରେ ଥିବା ୬ଟି ଟ୍ୟୁବ୍‌ୱେଲ୍‌ରୁ ୪ଟି ବ୍ୟବହାର ଅନୁପଯୋଗୀ। କାରଣ ସେହି ଟ୍ୟୁବ୍‌ୱେଲ୍ ଗୁଡ଼ିକରୁ ଲୁହାଳିଆ ପାଣି ବାହାରୁଛି। ପାଣିରେ ଲୌହ ଅଂଶ ରହୁଥିବାରୁ ପାଣି ଲୁହାଳିଆ ବାସ୍ନା ସାଙ୍ଗକୁ ପଙ୍କ ଗନ୍ଧ ମଧ୍ୟ ଆସୁଛି। ଟ୍ୟୁବ୍‌ୱେଲ୍‌ ଚାରି କଡ଼ରେ ମଧ୍ୟ ପାଣି ଜମି ଜମି ଦୁର୍ଗନ୍ଧ ହେଉଛି। ବାରମ୍ବାର ଅଭିଯୋଗ କରାଗଲେ ସୁଦ୍ଧା ଏହା ସଫା ହେଉନାହିଁ। ଯେଉଁଥିପାଇଁ ଗତ ବର୍ଷ ବସ୍ତିର ଜଣେ ଛୋଟ ଝିଅ ଡ଼େଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ବସ୍ତି ବାସିନ୍ଦା କହିଛନ୍ତି। ଏହା ବ୍ୟତୀତ ବସ୍ତିରେ ଦୁଇଟି ପିଇବା ପାଣି ମେସିନ୍‌ (ଏଟିଏମ୍‌)ରହିଛି। କିନ୍ତୁ ପଣ୍ଡା଼କୁଦିଆରେ ରହୁଥିବା ଲୋକଙ୍କ ତୁଳନାରେ ଏହି ପାଣି ଏଟିଏମ୍‌ରେ ଦିଆଯାଉଥିବା ପାଣି ବସ୍ତିବାସିନ୍ଦାଙ୍କୁ ଅଣ୍ଟୁ ନାହିଁ।

ଜଗନ୍ନାଥ ବସ୍ତିର ଉପସଭାପତି କାଳୁ ମଲ୍ଲିକ କହିଛନ୍ତି ଯେ, ବସ୍ତିରେ ଏକ ପାଣି ପମ୍ପ୍‌ ହାଉସ୍ ହୋଇଛି। ବର୍ଷେ ତଳୁ ଏହି ପମ୍ପ ହାଉସ୍‌ର କାମ ଶେଷ ହୋଇଯାଇ ଥିଲେ ସୁଦ୍ଧା କେବଳ ଟ୍ରାନ୍ସଫର୍ମର୍‌ ନ ଥିବାରୁ ପମ୍ପ୍ ହାଉସ୍‌କୁ ବିଦ୍ୟୁତ୍ ଦିଆଯାଇ ପାରୁନି। ଯାହାଦ୍ବାରା ବସ୍ତିରେ ପାଣି ସମସ୍ୟା ରହୁଛି। ପାଣି ସମସ୍ୟାକୁ ନେଇ ଘାଟିକିଆସ୍ଥିତ ପାଣି କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ଆଜି କରିବୁ, କାଲି କରିବୁ କହି ଭଣ୍ଡାଉଛନ୍ତି। ଏ ବାବଦରେ ଘାଟିକିଆ ଜଳଯୋଗାଣ କାର୍ଯ୍ୟାଳୟର ଯନ୍ତ୍ରୀ ନିରଂଜନ ନନ୍ଦୀଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ତାଙ୍କ ନିକଟକୁ ପାଣି ସମସ୍ୟା ନେଇ ପଣ୍ଡାକୁଦିଆରୁ କୌଣସି ଅଭିଯୋଗ ଆସିନାହିଁ। ପଣ୍ଡାକୁଦିଆକୁ ପ୍ରତିଦିନ ଦେଢ଼ ଘଣ୍ଟା ପାଣି ଦିଆଯାଉଥିବା ସେ କହିଛନ୍ତି। ଯଦି ଏଭଳି କିଛି ସମସ୍ୟା ଆସେ, ତା’କୁ ଦୂର କରାଯିବ ବୋଲି ଶ୍ରୀ ନନ୍ଦୀ କହିଛନ୍ତି।

କେହି ଆମ କଥା ଶୁଣୁନାହାନ୍ତି
ଯେଉଁ ‌ ‌କେତେକ ଘରକୁ ପାଣି ପାଇପ୍‌ ସଂଯୋଗ ହୋଇଛି, ସଂଯୋଗ ଦିନରୁ ସମସ୍ୟା ଲାଗି ରହିଛି। ଦିନ ତମାମ୍ ଅଧ ଘଣ୍ଟା ପାଣିରେ ଚଳିବା ଅସମ୍ଭବ ‌ହୋଇପଡ଼ୁଛି। ଏନେଇ ଯେତେ ଥର ଅଭିଯୋଗ କରାଗଲେ ମଧ୍ୟ ଆମ କଥା କେହି ଶୁଣୁନାହାନ୍ତି। ପାଣି ବିନା ବହୁ କଷ୍ଟରେ ଚଳିବାକୁ ପଡ଼ୁଛି।
ନବୀନ ନାୟକ, ବସ୍ତି ବାସିନ୍ଦା

ଟଙ୍କା ଦେଉଛୁ କିନ୍ତୁ ପାଣି ପାଉନୁ
ଆମେ ପ୍ରତି ମାସରେ ପାଣି ବିଲ୍ ଦଉଛୁ। କିନ୍ତୁ ସେମାନେ ପାଣି ଠିକ୍‌ରେ ଦେଉନାହାନ୍ତି। ଅତିକମ୍‌ରେ ଦୁଇ ଘଣ୍ଟା ପାଣି ଦେଲେ ଆମେ ପାଣି ରଖି ପାରନ୍ତୁ।
ଉମା ଦିଗଲ, ବସ୍ତି ବାସିନ୍ଦା

ସମ୍ବନ୍ଧିତ ଖବର