ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ ଅଧୀନ ଉମାଦେଇ ବ୍ରହ୍ଣପୁର ପଞ୍ଚାୟତ ନାଗପୁର ପାଇପ୍‌ ଲାଇନ୍‌ ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ଦୀର୍ଘ ୧ ମାସ ହେବ ପାଣି ଯୋଗାଣ ବନ୍ଦ ରହିଛି। ଫଳରେ ଲୋକେ ପାଣି ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରକଳ୍ପ ପରିସରରେ ଅନାବନା ଗଛଳତା ଭର୍ତ୍ତି ହୋଇଯାଇଛି l ବର୍ଷା ପାଣି ଜମି ରହି ପ୍ରଦୂଷିତ ହୋଇଯାଇଛି। ପ୍ରକଳ୍ପରେ କୌଣସି ଯାନ୍ତ୍ରିକ ତ୍ରୁଟି ଉପୁଜି ନଥିଲେ ମଧ୍ୟ ବିଦ୍ୟୁତ୍‌ ବିଲ୍‌ ପଇଠ ଜନିତ ସମସ୍ୟା ସମାଧାନ ହୋଇ ପାରୁ ନଥିବାରୁ ପ୍ରକଳ୍ପରୁ ଜଳଯୋଗାଣ ବନ୍ଦ ରହିଛି। ପ୍ରକଳ୍ପ ପରିସରରୁ ଅନ୍ୟ ଏକ ସଂସ୍ଥାକୁ ବେଆଇନ ବିଦ୍ୟୁତ୍‌ ଯୋଗାଣ ନେଇ ଗ୍ରାମବାସୀ ଏହି ପ୍ରକଳ୍ପର ଜଣେ କର୍ମଚାରୀଙ୍କ ନାମରେ ଦେଇଥିବା ଅଭିଯୋଗ ପରେ ବାଳକାଟି ବିଦ୍ୟୁତ୍‌ ସେକ୍‌ସନ ପକ୍ଷରୁ ଏଠାକୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା।

Advertisment

ଏହାପରେ ବିଦ୍ୟୁତ ଯୋଗାଣ କର୍ମଚାରୀ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ରହିଥିବା ବକେୟା ବାବଦ ୩୦ ହଜାର ଟଙ୍କା ଦାବି କରିଥିଲେ। ହେଲେ ଉମାଦେଇ ବ୍ରହ୍ମପୁର ସରପଞ୍ଚ ରମାଲତା ନାୟକଙ୍କ ବିରୋଧରେ କୋର୍ଟରେ ୱାର୍ଡ ସଭ୍ୟ ମାନଙ୍କ ଅନାସ୍ଥା ପ୍ରସ୍ଥାବ ବିଚାରାଧୀନ ଥିବାରୁ  ବକେୟା ବିଦ୍ୟୁତ ବିଲ ପୈଠ ତାଙ୍କର କ୍ଷମତା ବାହାରେ ଥିବା ଦର୍ଶାଇଛନ୍ତି। ଫଳରେ ସମସ୍ୟାର ସମାଧାନ ହୋଇପାରି ନାହିଁ। ଅପରପକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ମାସାଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ। ଏଭଳି ସ୍ଥିତିରେ ପାଣି ପାଇଁ ମାସେ ହେଲା ହିନସ୍ତା ହେଉଛନ୍ତି ଲୋକେ।

ଏନେଇ ଆଜି ପ୍ରତାପ ଶାସନ ପଞ୍ଚାୟତ ପକ୍ଷରୁ ଜ୍ଞାନଦେବୀ କଲ୍ୟାଣ ମଣ୍ଡପ ସଭାକକ୍ଷରେ ଆୟୋଜିତ ପଲ୍ଲୀ ପ୍ରଶାସନ ସଭାରେ ଗ୍ରାମବାସୀ ବିଡିଓ ରଶ୍ମିତା ନାଥଙ୍କ ନିକଟରେ ଅଭିଯୋଗ କରିଥିଲେ। ଶ୍ରୀମତୀ ନାଥ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷରେ ନାଗପୁର ପ୍ରକଳ୍ପ ଉପରେ ନିର୍ଭର କରୁଥିବା ୫ ଖଣ୍ଡ ଗ୍ରାମର ଲୋକଙ୍କ ପାଇଁ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନାଗପୁର, ନାଗପୁର ଭୋଇସାହି, ମଝିସାହି, ନିଙ୍ଗାସହି, ବାଲିଗଡ, ରାୟଗୁରୁ ବାସୁଦେଇପୁର, ସାଗୁଆ ଆଦି ଗ୍ରାମର ୨ ହଜାର ଲୋକ ଏହି ପ୍ରକଳ୍ପ ଉପରେ ପାଣି ପାଇଁ ନିର୍ଭର କରିଥାନ୍ତି। ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ଅଳକାନନ୍ଦା ପାଣିଗ୍ରାହୀଙ୍କୁ ଯୋଗାଯୋଗ କରାଯିବାରେ ବକେୟା ବିଦ୍ୟୁତ ବିଲ୍‌ ପୈଠ କରାଯିବା ପରେ ପ୍ରକଳ୍ପ 
କାର୍ଯ୍ୟକ୍ଷମ କରାଯିବ୍ବ ବୋଲି କହିଛନ୍ତି।