କଳ୍ପନା ୟୁପିଏଚ୍‌ସିକୁ ପାଣି ଯୋଗାଣ ବନ୍ଦ, ହୋଇପାରୁନି ଡାଏଗ୍ନୋଷ୍ଟିକ୍ ପରୀକ୍ଷା

ଜନସ୍ବାସ୍ଥ୍ୟ-ପୂର୍ତ୍ତ ବିଭାଗ ବିବାଦ, ଅଧାରେ ଅଟକିଲା କାମ

ଭୁବନେଶ୍ବର : କଳ୍ପନା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି)କୁ ପାଣି ଯୋଗାଣ ବନ୍ଦ ହୋଇଯାଇଛି। ପାଣି ଅଭାବରୁ ହସ୍ପିଟାଲରେ କୌଣସି ପ୍ରକାର ଡାଏଗ୍ନୋଷ୍ଟିକ୍ ପରୀକ୍ଷା ହୋଇପାରୁନାହିଁ। ହସ୍ପିଟାଲ କର୍ମଚାରୀ ଶୌଚାଳୟ ଯାଇପାରୁ ନାହାନ୍ତି। ହସ୍ପିଟାଲ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ।

ଅପରପକ୍ଷରେ ସୋମବାର ଦିନ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ମରାମତି ଚାଲିଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ବିରୋଧ କରାଯାଇଥିଲା। ଫଳରେ ମରାମତି କାର୍ଯ୍ୟ ଅଧାରେ ଅଟକିଛି। ତେଣୁ ମଙ୍ଗଳବାର ଦିନ ମଧ୍ୟ ଜଳ ଯୋଗାଣ ହୋଇପାରିବ କି ନାହିଁ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ୫ଦିନ ତଳେ କଳ୍ପନା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ହଠାତ୍ ଜଳ ଯୋଗାଣ ବିଚ୍ଛିନ୍ନ ହୋଇ ଯାଇଥିଲା। ଏହାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନ ଥିଲେ ହେଁ, ହସ୍ପିଟାଲ ସମ୍ମୁଖରେ ସଂଯୋଗ କରୁଥିବା ପାଇପ୍‌ରେ କିଛି ସମସ୍ୟା ରହିଥିଲା। ତୁରନ୍ତ ପାଣି ସଂଯୋଗ କରିବା ଲାଗି ହସ୍ପିଟାଲ ପକ୍ଷରୁ ଜନସ୍ବାସ୍ଥ୍ୟ ବିଭାଗକୁ ଯୋଗାଯୋଗ କରାଯାଇଥିଲା। ୫ଦିନ ପରେ ସୋମବାର ଦିନ ଜନସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ହସ୍ପିଟାଲରେ ପହଞ୍ଚି ପାଣି ସଂଯୋଗ କରୁଥିବା ରାସ୍ତାକୁ ଖୋଳି ଏହାର ଅନୁଧ୍ୟାନ କରିଥିଲେ। ହେଲେ କୌଣସି ସୂତ୍ରରୁ ଖବର ପାଇ ପୂର୍ତ୍ତ ବିଭାଗର ଅଧିକାରୀ ସେଠାରେ ପହଞ୍ଚିବା ସହିତ କାମ ବନ୍ଦ କରିବାକୁ କହିଥିଲେ। ଏପରିକି ସେମାନଙ୍କ ଆସବାବପତ୍ର ନେଇ ଯାଇଥିବା ଅଭିଯୋଗ ହୋଇଛି। ପରବର୍ତୀ ସମୟରେ ଜନସ୍ବାସ୍ଥ୍ୟ ବିଭାଗର ଇଞ୍ଜିନିୟର କେଉଁ କାରଣ ପାଇଁ କାମ ବନ୍ଦ କରାଗଲା ବୋଲି ପୂର୍ତ୍ତ ବିଭାଗର ସହକାରୀ ଇଞ୍ଜିନିୟରଙ୍କୁ ପଚାରିଥିଲେ। ବିନା କୌଣସି ସୂଚନାରେ ରାସ୍ତା ଖୋଳା ଯାଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଥିଲା। ଯାହାଫଳରେ ଅପରାହଣ ପର୍ଯ୍ୟନ୍ତ କାମ ବନ୍ଦ ରହିଥିଲା।

ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ପାଣିର ଅଭାବ ପାଇଁ ଡାଏଗ୍ନୋଷ୍ଟିକ୍ ପରୀକ୍ଷାରେ ସମସ୍ୟା ହେଉଛି। ପରୀକ୍ଷା ପାଇଁ ବାହାରୁ ପାଣି ଆଣିବାକୁ ପଡ଼ୁଛି। ମାତ୍ର ଯେଉଁ ସଂଖ୍ୟାରେ ରୋଗୀଙ୍କ ବିଭିନ୍ନ ନମୁନା ପରୀକ୍ଷା ହେଉଛି, ବାହାରୁ ପାଣି ଆଣି ପରୀକ୍ଷା କରିବା ସମ୍ଭବ ନୁହେଁ। ଏହାସହ ହସ୍ପିଟାଲକୁ ଆସୁଥିବା ଡାକ୍ତର, ପାଥୋଲୋଜିଷ୍ଟ ଓ ଅନ୍ୟ କର୍ମଚାରୀମାନେ ଶୌଚାଳୟ ମଧ୍ୟ ଯାଇପାରୁ ନାହାନ୍ତି। ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗର ଇଞ୍ଜିନିୟର ଏ. ପଟ୍ଟନାୟକ କହିଛନ୍ତି, ଆଜି କାମ ଚାଲୁଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ହଠାତ୍ କାମ ବନ୍ଦ କରିବାକୁ କୁହାଯାଇଥିଲା। ଏପରକି ରାସ୍ତା ଖୋଳା ପାଇଁ ୫ହଜାର ଟଙ୍କା ଚାଲାଣ କାଟିବା ପାଇଁ ଅଧିକାରୀ କହିଥିଲେ। ମାତ୍ର ଅପରାହ୍‌ଣରେ କାମ କରାଯାଇଛି। ମଙ୍ଗଳବାର ଦିନ ପାଣି ସଂଯୋଗ ପରେ ସବୁକିଛି ଠିକ୍‌ ଅଛି କି ନାହିଁ ସ୍ପଷ୍ଟ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଅପରପକ୍ଷରେ ପୂର୍ତ୍ତ ବିଭାଗର ଇଞ୍ଜିନିୟର ବି. ସାହୁଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲା। ସେ ଫୋନ୍ ଉଠାଇ ନ ଥିଲେ।

ସମ୍ବନ୍ଧିତ ଖବର